କରୋନା ଖୋଲୁଛି ସ୍ୱଚ୍ଛ ଭାରତ ଗୁମର: ଗୋଚର, ଜଙ୍ଗଲ ଜମିରେ ବି ପାଇଖାନା

ବଲାଙ୍ଗୀର/କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ ସ୍ୱଚ୍ଛ ଭାରତ ମିସନରେ ୪୦୦ କୋଟିର ପାଇଖାନା ଦୁର୍ନୀତିର ଗୁମର ଖୋଲୁଛି। ଗୋଚର, ଜଙ୍ଗଲ ଜମିରେ ପାଇଖାନା ନିର୍ମାଣ କରି ହରିଲୁଟ ହୋଇଛି। ଗାଁ ଗାଁରେ ପାଇଖାନା ନିର୍ମାଣ ନାଁରେ ହରିଲୁଟ କରିଛନ୍ତି ଯନ୍ତ୍ରୀ-ଠିକାଦାର। ହିତାଧିକାରୀଙ୍କ ଅଜାଣତରେ ବି ତାଙ୍କ ନାଁରେ ଖାଇଯାଇଛନ୍ତି ଗୋଟା ଗୋଟା ପାଇଖାନା। ଜଙ୍ଗଲ ଜମି, ଗୋଚର ଜମିରେ ପ୍ରଦର୍ଶନୀ ପାଇଖାନା ନିର୍ମାଣ କରାଯାଇ ଟଙ୍କା ହରିଲୁଟ ହୋଇଛି। ଏହି ଯୋଜନାରେ ଗାଁର ପରିମଳ ବ୍ୟବସ୍ଥାରେ ସୁଧାର ଆସି ନଥିଲେ ବି ଯନ୍ତ୍ରୀ-ଠିକାଦାରମାନଙ୍କ ପକେଟ ଗରମ ହୋଇଛି। କେଉଁଠି ସରକାରୀ ବାବୁ ନିଜେ ଠିକାଦାର ସାଜିଛନ୍ତି ତ ଆଉ କେଉଁଠି ନେତା ସାଜିଛନ୍ତି ଠିକାଦାର। କୋଟି କୋଟି ଟଙ୍କାର ମହାଘୋଟାଲାରେ ତଳୁ ଉପର ସମସ୍ତେ ସଂପୃକ୍ତ ରହିଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଆରଡବ୍ଲୁଏସ୍‌ଏସ୍‌ ଜେଇ ସୁଧାକର ପଣ୍ଡା। ନିଜେ ମୁହଁଟାଣ କରି ଦୁର୍ନୀତି ହୋଇନି ଓ ପାଇଖାନା ସବୁ ଗାଁରେ ହୋଇଥିବା ସଫେଇ ଦେଇ ଚାଲିଛନ୍ତି। ହେଲେ ଜିଲ୍ଲାରେ ମନମାନୀ କାମ ତୁରେକେଲା ବ୍ଲକ୍ ଅଂଚଳରେ ସର୍ବାଧିକ ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି। ତୁରେକେଲା ବ୍ଲକ୍‌ ଧାମନଡଙ୍ଗା ପଂଚାୟତର ଚିତ୍ର ଏବେ ଚର୍ଚ୍ଚାର ପରିସରକୁ ଆସିଥିଲା।

ଶୁକ୍ରବାର ‘ସମ୍ବାଦ ଟିମ୍‌ ଅନୁସନ୍ଧାନ ପାଇଁ ଚଟୁଅନକା ପଂଚାୟତ ବେହେରେନସିଲେଟ ଗାଁରେ ପହଞ୍ଚିଥିଲା। ଗାଁରେ ଲୋକେ କେମିତି ପାଇଖାନା ନିର୍ମାଣରେ ଯନ୍ତ୍ରୀ-ଠିକାଦାର ମିଳିମିଶି ସବୁ ଖାଇଛନ୍ତି ତାହା ସବୁ ଦେଖାଇଥିଲେ। ଗାଁରେ ହୋଇଥିବା ପାଇଖାନା ସବୁରୁ ବ୍ୟାପକ ହେରାଫେରି ହୋଇଛି। ଚଟୁଅନକା ପଂଚାୟତରେ ୨୦୧୪-୧୫ ଆର୍ଥିକ ବର୍ଷରୁ ପ୍ରାୟ ୧୧୦୦ ପାଇଖାନା ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ବେହେରେନସିଲେଟ ଗାଁରେ ୨୦୦ରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି। ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ପାଇଖାନା ନିର୍ମାଣ କରାଯାଇଥିଲା। ହେଲେ ସେସବୁ କାମରେ ଲାଗୁ ନାହିଁ। ପଂଚାୟତର ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି ଓ ବୁଢ଼ାବୁଢ଼ୀଙ୍କ ନାଁରେ ପାଇଖାନା ନିର୍ମାଣ ଗୋଚର ଓ ଜଙ୍ଗଲ ଜମି ସବୁରେ କରାଯାଇ ଟଙ୍କା ହଡ଼ପ କରାଯାଇଛି। ବେହେରେନସିଲେଟ ଗାଁର ବୃଦ୍ଧା ତୁଳା ନାଗଙ୍କୁ ଉଦାହରଣ ଭାବରେ ନିଆଯାଇପାରେ। ତୁଳାଙ୍କ ପୁଅର ପରିବାର ଦାଦନ ଖଟିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ତାଙ୍କ ନାଁରେ ଆସିଥିବା ପାଇଖାନାକୁ ଅନ୍ୟ ଜଣଙ୍କ ଜମିରେ ନିର୍ମାଣ କରି ଦିଆଯାଇଥିଲା। ଫଟୋ ଉଠାଇବା ସମୟରେ ତୁଳା ପ୍ରତିବାଦ କରିବାରୁ ତାଙ୍କ ଘରେ ଯେନତେଣ ପ୍ରକା‌ରେ ଏକ ପାଇଖାନା କରାଗଲା। ଯାହାକି ଅଚଳ ହୋଇ ପଡ଼ିଛି। ଦୁଇ ତିନି ମାସ ପରେ ତାହା ଭାଙ୍ଗିଯାଇଥିଲା। ନିମ୍ନ ମାନର କାମ ହେଉଥିବା ଜାଣି ଭାନୁମତୀ ଜାଲ ନିଜେ ତାଙ୍କ ପାଇଖାନା ନିର୍ମାଣ କରିଥିଲେ। କାମ ଶେଷ ହେବାର ଦୁଇବର୍ଷ ପରେ ବି ତାଙ୍କୁ ତାଙ୍କ ୧୨ ହଜାର ଟଙ୍କା ମିଳିନି। ଜେଇ ନିଜେ ତାଙ୍କ ଟଙ୍କା ଚଞ୍ଚକତା କରି ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି। ଅମ୍ବିକା ପୁଟେଲ, ଯମୁନା ତାଣ୍ଡି, ବଡ଼ ନାଗ, ଦିଗାମ୍ବର ନାଗଙ୍କ ଶୌଚାଳୟ ନିର୍ମାଣ ପାଇଁ ତାଲିକା ବାହାରିଥିଲା। ସେମାନେ ସବୁ ନିଜେ କାମ କରିବାକୁ ଚାହିଁବାରୁ ତାଙ୍କ ପାଇଖାନା ହୋଇପାରିନଥିଲା। ଗାଁ ଲୋକଙ୍କ କହିବାନୁସାରେ, ବେହେରେନସିଲେଟ ଗାଁରୁ କର୍ଲା ଫାଟକ ଯାଉଥିବା ଗାଁ ଶେଷରେ ଗୋଚର, ଜଙ୍ଗଲ ଜମିରେ ପାଇଖାନା କରାଯାଇଥିଲା। ଯେଉଁମାନେ ନିଜେ କରିବାକୁ ଚାହିଁଥିଲେ ସେମାନଙ୍କ ପାଇଖାନା ତାକୁ ଦର୍ଶାଇ ଅନ୍ୟମାନଙ୍କୁ ସେଠାରେ ଛିଡ଼ା କରାଇ ଫଟୋ ନିଆଯାଇଥିଲା।

ସେହିପରି ଗାଁର ପତରା ଜଂଗଲ ପାଖରେ ଦୁଇଟି ପାଇଖାନା ନିର୍ମାଣ କରାଯାଇଛି। ସେଥିରେ କବାଟ ନାହିଁ, କି ଛାତ ନାହିଁ। ପାଇଖାନା କାନ୍ଥରେ ଯାହାର ନାଁ ଲେଖାଯାଇଛି ତାହା ବି ଭଲରେ ଜଣାପଡୁ ନାହିଁ। କାନ୍ଥରେ ଲେଖାଯାଇଥିବା ନାମ ବାରମ୍ବାର ପରିବର୍ତ୍ତନ ହୋଇଥିବା ଦେଖିଲେ ଜଣାପଡୁଛି। ଠିକାଦାର କାମ କରୁଥିଲେ। ଜେଇଙ୍କୁ ପିସି ଦେଇ ମନଇଚ୍ଛା ସମସ୍ତଙ୍କ ନାଁରେ ବିଲ୍‌ କରାଇଛନ୍ତି। କାଗଜପତ୍ର କରି ଜାଲ ଦସ୍ତଖତରେ ସବୁ ଦୁର୍ନୀତି କରାଯାଇଛି। ବାହ୍ୟ ମଳମୁକ୍ତ ଗାଁ ବୋର୍ଡରେ କେବଳ ରହିଛି। ଏବେ ବି ଗାଁ ଲୋକେ ବାହାରକୁ ହିଁ ଶୌଚ କରିବାକୁ ଯାଉଛନ୍ତି। ଦୁର୍ନୀତିର ତଦନ୍ତ କରାଯାଇ ଠିକାଦାର, ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର