ରାଜ୍ୟରେ କରୋନା ପ୍ରକୋପ ଥମୁନି

ଗଞ୍ଜାମ, ଖୋର୍ଧାରେ ସମାନ ସଂଖ୍ୟକ ପଜିଟିଭ୍‌
ଦିନକରେ ୧୨ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୫୦ ଟପିଲା
ସୁସ୍ଥ ହେଲେ ୧୫୪୪, ମୋଟ ସଂଖ୍ୟା ୩୦ ହଜାର ଡେଇଁଲା

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରକୋପ ଥମୁନି। ତଥ୍ୟ ଅନୁସାରେ, କରୋନାରେ ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପି ଯାଇଛି। ଏହା ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୭୦ ପ୍ରତିଶତରୁ ଅଧିକ। ଏହା ତୁଳନାରେ ମହିଳା ମାତ୍ର ୧୨୫୪୩ ଜଣ ସଂକ୍ରମିତ ହୋଇଛନ୍ତି। ଯାହାକି ମାତ୍ର ୨୯ ପ୍ରତିଶତ। ଏହି ପରିସଂଖ୍ୟାନରୁ ଜଣାପଡ଼ୁଛି ଯେ ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ପ୍ରତି କରୋନା ଅଧିକ ବିପଦ ହୋଇଛି। ଏମ୍‌ସ ଭୁବନେଶ୍ବରର ଜଣେ ବିଶେଷଜ୍ଞଙ୍କ ମତରେ, ଭୂତାଣୁ ପୁରୁଷ ଓ ମହିଳାଙ୍କୁ ସମାନ ଭାବେ ସଂକ୍ରମିତ କରିଥାଏ। ପୁରୁଷମାନେ ଅଧିକ ସଂକ୍ରମିତ ହେବା ପଛରେ ନିର୍ଦ୍ଦିଷ୍ଟ ଭାବେ କୌଣସି ବୈଜ୍ଞାନିକ କାରଣ ନାହିଁ। ମାତ୍ର ପୁରୁଷମାନେ କର୍ମସନ୍ଧାନ ପାଇଁ ବାହାରକୁ ବାହାରିବା ଓ ଅଧିକ ସାମାଜିକ ଚଳପ୍ରଚଳ ଏହାର ମୁଖ୍ୟ କାରଣ ହୋଇପାରେ।

ଚଳିତ ମାସ ଆରମ୍ଭରୁ କରୋନା ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି।

ସଂକ୍ରମଣ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି କରୋନାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭ‌ାବେ ଘୋଷଣା କରାଯାଇଛି। ଆଉ ୩ଜଣ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଏହାସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଛି। କୋଭିଡ୍‌ (୨୫୯) ଏବଂ ଅଣକୋଭିଡ୍ ମୃତ୍ୟୁ (୪୮)କୁ ମିଶାଇଲେ ଏହି ସଂଖ୍ୟା ୩୦୭ ହୋଇଛି।

VectorStock

ଆଜି ପ୍ରାଣ ହରାଇଥିବା ୧୨ ଜଣଙ୍କ ମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝରରୁ ୨ଜଣ ଲେଖାଏଁ ଅଛନ୍ତି। ସେମାନେ ମଧୁମେହ, ଉଚ୍ଚ ରକ୍ତଚାପ ସମେତ ଅନ୍ୟ ଜଟିଳ ‌ରୋଗରେ ଆକ୍ରାନ୍ତ ରହିଥିଲେ। ଗଞ୍ଜାମର ୪୮ବର୍ଷର ପୁରୁଷ, ୬୧ବର୍ଷର ମହିଳା, ଭୁବନେଶ୍ବରର ୬୭ ବର୍ଷର ପୁରୁଷ, କନ୍ଧମାଳର ୫୫ ଓ ୬୦ ବର୍ଷର ପୁରୁଷ, କେନ୍ଦୁଝରର ୭୯ ଓ ୬୦ ବର୍ଷର ପୁରୁଷ, ସୁନ୍ଦରଗଡ଼ ୫୫ ବର୍ଷର ମହିଳା, ବରଗଡ଼ର ୬୦ ବର୍ଷର ପୁରୁଷ, ବାଲେଶ୍ବରର ୫୭ ବର୍ଷର ପୁରୁଷ, ଗଜପତିର ୫୯ ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ତେବେ ଭୁବେନଶ୍ବରର ୬୦ ବର୍ଷର ପୁରୁଷ ଫୁସଫୁସ୍ ସମସ୍ୟାରେ ପୀଡ଼ିତ ଥିବାବେଳେ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଧାରେ ୩୩, ସୁନ୍ଦରଗଡ଼ ୧୭, ଗଜପତି ୧୬, କଟକ ୧୧, ରାୟଗଡ଼ା ୧୦ ଓ କନ୍ଧମାଳ ୫ ରାଜ୍ୟର ସର୍ବାଧିକ କରୋନା ମୃତ୍ୟୁ ଜିଲ୍ଲା ପାଲଟିଛି। ଅପରପକ୍ଷରେ ଭୁବନେଶ୍ବରର ୭୧ବର୍ଷର ଆକ୍ରାନ୍ତ ମହିଳା କିଡ୍‌ନି ସମସ୍ୟା, ବହୁ ଅଙ୍ଗ ଅଚଳ ସିଣ୍ଡ୍ରୋମ୍ ଓ ସେପ୍ଟିସିମିଆରେ ପ୍ରାଣ ହରାଇଛନ୍ତି। ସେହିପରି ବାଲେଶ୍ବରର ୫୫ବର୍ଷର ମହିଳାଙ୍କ ଜଟିଳ ନିଶ୍ବାସ ପ୍ରଶ୍ବାସ ସମସ୍ୟା, ପ୍ୟାଙ୍କିଟୋପେନିଆ ରୋଗ ଥିବା ବେଳେ ମୟୂରଭଞ୍ଜର ୫୨ବର୍ଷର ପୁରୁଷ ବହୁ ଅଙ୍ଗ ଅଚଳ ସିଣ୍ଡ୍ରୋମ୍‌, ସେପ୍‌ଟିକ୍ ସକ୍ ଭଳି ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଅଣ କୋଭିଡ ମୃତ୍ୟୁ ୪୮ରେ ପହଞ୍ଚିଛି।

NewsroomPost

ଗତ ୨୪ଘଣ୍ଟାରେ ରାଜ୍ୟରେ ଗଞ୍ଜାମ ଓ ଖୋର୍ଧା ଜିଲ୍ଲାରେ ସମାନ ସଂଖ୍ୟକ ୨୭୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାୟଗଡ଼ା ୧୩୬, ସୁନ୍ଦରଗଡ଼ ୧୧୮, ସମ୍ବଲପୁର ୧୧୨, କଟକ ୯୮, ପୁରୀ ୯୨, ବାଲେଶ୍ବର ୭୩, କନ୍ଧମାଳ ୫୨, କୋରାପୁଟ ୫୦, ବଲାଙ୍ଗୀର ୪୩, ନୟାଗଡ଼୪୦, ମୟୂରଭଞ୍ଜ ୩୯, ଯାଜପୁର ଓ ଢେଙ୍କାନଳ ୩୬ଜଣ ଲେଖାଏଁ, ଗଜପତି ୩୫, କଳାହାଣ୍ଡି ୩୦, ମାଲକାନଗିରି ୨୭, ଜଗତ୍‌ସିଂହପୁର ୨୧, ଅନୁଗୁଳ ୧୬, କେନ୍ଦ୍ରାପଡ଼ା ୧୪, ବୌଦ୍ଧ ଓ ବରଗଡ଼ ୭ଜଣ ଲେଖାଏଁ, ନବରଙ୍ଗପୁର ୫, କେନ୍ଦୁଝର ୩, ଝାରସୁଗୁଡ଼ା ଓ ଭଦ୍ରକ ୨ଜଣ ଲେଖାଏଁ ଓ ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୧୦୧୮ଜଣ ସଙ୍ଗରୋଧରୁ ଓ ୬୨୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲାରେ ଗଞ୍ଜାମ ରହିଛି। ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୨୬୩୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ଖୋର୍ଧା ୬୧୦୩, କଟକ ୨୯୫୩, ସୁନ୍ଦରଗଡ଼ ୨୧୧୦, ଗଜପତି ୧୯୦୪, ଯାଜପୁର ୧୫୬୩, ରାୟଗଡ଼ା ୧୪୬୧, ବାଲେଶ୍ବର ୧୩୧୮, ପୁରୀ ୧୨୧୮, କୋରାପୁଟ ୧୧୪୪ ଓ କେନ୍ଦୁଝରରେ ୧୦୧୧ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧୯୩ରେ ପହଞ୍ଚିଛି।

ରାଜ୍ୟରେ ଆଜି ୧୫୪୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳ‌ରେ ମୋଟ ସୁସ୍ଥ ସଂଖ୍ୟା ୩୦,୨୪୧ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଗଞ୍ଜାମ ୫୬୦, ଖୋର୍ଧା ୨୦୩, କୋରାପୁଟ ୧୪୩, ଗଜପତି ୭୫, ନୟାଗଡ଼ ୬୨, ସୁନ୍ଦରଗଡ଼ ୫୯, କନ୍ଧମାଳ ୪୧, କଟକ ୩୭, କଳାହାଣ୍ଡି ଓ ରାୟଗଡ଼ା ୩୬ଜଣ ଲେଖାଏଁ, ଯାଜପୁର ୩୪, ବାଲେଶ୍ବର ୩୩, ପୁରୀ ୩୨, ସମ୍ବଲପୁର ୩୧, ମାଲକାନଗିରି ୨୪, କେନ୍ଦ୍ରାପଡ଼ା ୨୧, କେନ୍ଦୁଝର ୧୭, ବରଗଡ଼ ଓ ବଲାଙ୍ଗୀର ୧୬ଜଣ ଲେଖାଏଁ, ଢେଙ୍କାନାଳ ୧୩, ମୟୂରଭଞ୍ଜ ୧୨, ଭଦ୍ରକ, ଜଗତସିଂହପୁର ଓ ସୋନପୁରରୁ ୮ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ାରୁ ୬ଜଣ, ନବରଙ୍ଗପୁର ୪ ଓ ଝାରସୁଗୁଡ଼ାରୁ ୩ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର