କରୋନା ମୁକାବିଲା ପାଇଁ କେନ୍ଦ୍ରର ଆର୍ଥିକ ପ୍ୟାକେଜ୍ ପ୍ରସଂଗ : ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ: ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ
ଆହ୍ବାନମୂଳକ ସମୟରେ ଦାୟିତ୍ବବାନ ଶାସନର ଉଦାହରଣ ହୋଇଛନ୍ତି ମୋଦୀ ସରକାର
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ/ଭୁବନେଶ୍ବର : କରୋନା ଭୂତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକ୍ଡାଉନ୍ରେ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଭୂତପୂର୍ବ ସମୟ ଅଭୂତପୂର୍ବ ପଦକ୍ଷେପ ପାଇଁ ଆହ୍ବାନ କରେ। ଆହ୍ବାନମୂଳକ ସମୟରେ ଦାୟିତ୍ବବାନ ଶାସନର ଉଦାହରଣ ହୋଇଛନ୍ତି ମୋଦୀ ସରକାର। ଆଜି ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଞ୍ଚଳର ଗରିବ, କୃଷକ, ସ୍ବାସ୍ଥ୍ୟକର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉପରେ କରୋନା ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ, ବୀମା, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ତିନିଟି ଏଲ୍ପିଜି ସିଲିଣ୍ଡର ଆଗାମୀ ୩ ମାସ ପାଇଁ ଯୋଗାଇବା ଏବଂ ଅନ୍ୟ ନିଷ୍ପତ୍ତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ। ସେହିପରି କରୋନା ଭୂତାଣୁ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡ଼ିକ୍ ଓ ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଘୋଷଣା କରାଯାଇଛି। ଦେଶର ୩ କୋଟି ଗରିବ ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦୦୦ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ୨୦ କୋଟି ମହିଳା ଜନଧନ ଯୋଜନା ଆକାଉଣ୍ଟଧାରୀ ଆସନ୍ତା ୩ ମାସ ପାଇଁ ମାସିକ ୫୦୦ ଟଙ୍କା ପାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏତଦ୍ବ୍ୟତୀତ ୬୩ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବନ୍ଧକବିହୀନ ଋଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତି ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବକୁ କମ୍ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।