ଏବେ ରାଜ୍ୟରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା? କାରଣ କହିଲେ ଶାଲିନୀ ପଣ୍ଡିତ

ଭୁବନେଶ୍ୱର: ରାଜ୍ୟରେ କରୋନା ବା କୋଭିଡ୍‌-୧୯ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଓ ଆୟତ୍ତାଧୀନ ଅବସ୍ଥାରେ ରହିଛି। ହଁ, ଏକଥା ଅବଶ୍ୟ ସତ ଯେ ଲକ୍‌ଡାଉନ୍‌ ନିୟମ କୋହଳ ହେବାପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଯେଉଁଠି ଦୈନିକ ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ ଏବେ ସେହି ସଂଖ୍ୟା ୨୦୦ରେ ପହଞ୍ଚିଛି। ତେବେ, ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ। କାରଣ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ଜାରି କରାଯାଇଥିବା ନୂତନ ମାର୍ଗଦର୍ଶିକା ବା ଗାଇଡ୍‌ଲାଇନ୍‌ ଅନୁଯାୟୀ କରୋନା ନମୁନାର ପରୀକ୍ଷଣ କରାଯାଉଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ।
ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆଜି ଅପରାହ୍ଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଆଇସିଏମ୍‌ଆର୍‌ ତାଙ୍କର ନୂତନ ମାର୍ଗଦର୍ଶିକାରେ କହିଛନ୍ତି ଯେ କେବଳ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ ହେଉଥିବ ଏବଂ ଯେଉଁମାନେ ଲକ୍ଷଣଯୁକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କର ପରୀକ୍ଷା ଆଗ କରାଯିବ। କାରଣ, ଲକ୍ଷଣଯୁକ୍ତ ସଂକ୍ରମିତ ଅଧିକ ସଂଖ୍ୟକ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରିପକାଇ ଥାଆନ୍ତି। କିନ୍ତୁ, ଲକ୍ଷଣ ବିହୀନ ସଂକ୍ରମିତଙ୍କ ଠାରେ ସେପରି ଘଟି ନଥାଏ। ତେଣୁ ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା କରାଯିବା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ସେ ଦର୍ଶାଇଛନ୍ତି।

www.newindianexpress.com

ରାଜ୍ୟରେ ଚାଲିଥିବା କରୋନା ନମୁନା ପରୀକ୍ଷଣ ସଂପର୍କରେ ସୂଚନା ଦେଇ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଗତକାଲି ସୁଦ୍ଧା ରାଜ୍ୟରେ ୨ ଲକ୍ଷ କରୋନା ନମୁନାର ପରୀକ୍ଷଣ ସରିଛି। ପ୍ରଥମ ୫୦ ହଜାର ନମୁନା ପରୀକ୍ଷା ପାଇଁ ୨ମାସ ସମୟ ଲାଗିଥିବା ବେଳେ ଏବେ ପ୍ରତି ୨ ସପ୍ତାହରେ ୫୦ ହଜାର ନମୁନାର ପରୀକ୍ଷା କରାଯାଇ ପାରୁଛି। ସେହିପରି ଫେବ୍ରୁଆରି ମାସରେ ସମଗ୍ର ରାଜ୍ୟରେ ମାତ୍ର ୩ଟି ଲ୍ୟାବ୍‌ ରହିଥିବା ବେଳେ ଏବେ ରାଜ୍ୟର ୧୦ଟି ଜିଲ୍ଲାରେ ୭୦ଟି ଲ୍ୟାବ୍‌ରେ କରୋନା ନମୁନାର ପରୀକ୍ଷା କରାଯାଉଛି। ଏବଂ ଆଗାମୀ ଦିନରେ ରାଜ୍ୟରେ ଆହୁରି ଅଧିକ ଲ୍ୟାବ୍‌ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି।

ସେହିପରି କରୋନା ନମୁନା ପରୀକ୍ଷଣର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବାକୁ ଯାଇ ଶ୍ରୀମତୀ ପଣ୍ଡିତ କହିଛନ୍ତି ସର୍ବ ଭାରତୀୟ ସ୍ତରରେ ପ୍ରତି ୧୦ ଲକ୍ଷରେ ୪,୩୦୫ ଜଣ ନମୁନା ପରୀକ୍ଷା କରାଯାଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୪,୬୩୪ ରହିଛି। ସେହିପରି ଦିଲ୍ଲୀରେ ପ୍ରତି ଲକ୍ଷେ ଲୋକରେ ୨୦୫ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେଉଥିବା ବେଳେ ମୁମ୍ବାଇରେ ୮୮ ଏବଂ ସର୍ବ ଭାରତୀୟ ସ୍ତରରେ ଏହି ସଂଖ୍ୟା ରହିଛି ହାରାହାରି ୨୫ ରହିଛି। କିନ୍ତୁ ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମାତ୍ର ୯.୩ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିପରି ସର୍ବ ଭାରତୀୟ ସ୍ତରରେ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ହାର ୫୧ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ୬୭ ପ୍ରତିଶତ ରହିଛି। ତେଣୁ, ରାଜ୍ୟବାସୀ କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ।

ସମ୍ବନ୍ଧିତ ଖବର