ପିଲାଙ୍କ ପାଇଁ କରୋନା-ନିମୋନିଆ ସମସ୍ୟା

ଶୀତଋତୁରେ ପ୍ରାୟତଃ ଅଧିକାଂଶ ଶିଶୁ ଥଣ୍ଡା, କାଶ, ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି। ତେଣୁ ଏହି ସମୟରେ ଶିଶୁଙ୍କୁ କିପରି ସୁରକ୍ଷିତ ରଖାଯିବ ସେଥିପାଇଁ ଯତ୍ନ ନିଆଯିବା ଦରକାର। ଏବେ କରୋନା ସଂକ୍ରମଣ ଓ ଏହାର ପ୍ରଭାବରେ ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଅନେକ ବିପଦ ଆଣୁଛି। ତାରି ଭିତରେ କରୋନା-ନିମୋନିଆ ପିଲାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି।

ଶରୀରରେ ଫୁସ୍‌ଫୁସ୍‌ ସଂକ୍ରମଣକୁ ନିମୋନିଆ କୁହାଯାଏ। ଛୋଟ ପିଲାମାନଙ୍କ କ୍ଷେତ୍ରରେ ନିମୋନିଆ ଏକ ସାଂଘାତିକ ରୋଗ। ଏପରିକି ଏହା ଅନେକ ସମୟରେ ପିଲାଙ୍କ ମୃତ୍ୟୁର କାରଣ ମଧ୍ୟ ସାଜିପାରେ। କରୋନା ମହାମାରୀ ସମୟରେ ଯଦି ଛୋଟ ପିଲାଟିଏ କରୋନା ସଂକ୍ରମିତ ହୁଏ ଓ ପରବର୍ତ୍ତୀ ସମୟରେ ନିମୋନିଆରେ ଆକ୍ରାନ୍ତ ହୁଏ ତା’ହେଲେ ତାର ଅବସ୍ଥା ଅଧିକ ଗୁରୁତର ହୋଇପଡେ। ତେଣୁ ଛୋଟ ପିଲା କରୋନା ସଂକ୍ରମିତ ହେଲେ ସେମାନଙ୍କ ପ୍ରତି ଅଧିକ ଦୃଷ୍ଟି ଦିଆଯିବା ଦରକାର। ଜୀବାଣୁ ଜନିତ ବା ଭୂତାଣୁ ଜନିତ କାରଣରୁ ଜଣେ ନିମୋନିଆରେ ଆକ୍ରାନ୍ତ ହୋଇପାରେ। ପିଲାଙ୍କ କ୍ଷେତ୍ରରେ ଭୂତାଣୁ ଜନିତ ନିମୋନିଆ ଅଧିକ ସଂଖ୍ୟାରେ ଦେଖାଯାଇଥାଏ। ଯଦି ଜଣେ ପିଲା ଅପପୁଷ୍ଟିର ଶିକାର ହୋଇଥାଏ ସେମାନଙ୍କ କ୍ଷେତ୍ରରେ ନିମୋନିଆ ଅଧିକ ଗୁରୁତର ସମସ୍ୟା ସୃଷ୍ଟି କରେ। ଜ୍ବର, ଜୋର ଜୋର ନିଶ୍ବାସ ନେବା, କାଶ ହେବା, ଖାଦ୍ୟ ଠିକ୍‌ଭାବରେ ଖାଇ ନପାରିବା,ପତଳା ଝାଡା, ବାନ୍ତି, ଶରୀର ବ୍ୟଥା, ଗଳାରେ ବ୍ୟଥା ଏସବୁ କରୋନା ନିମୋନିଆର ଲକ୍ଷଣ ହୋଇପାରେ। ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ପିଲାକୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାନ୍ତୁ।

ଆଦୌ ନିଜ ମନଇଚ୍ଛାରେ ଔଷଧ ଦିଅନ୍ତୁ ନାହିଁ କି ଘରୋଇ ଉପଚାର କରନ୍ତୁ ନାହିଁ। ନଚେତ୍‌ ପିଲାର ଅବସ୍ଥା ଗୁରୁତର ହୋଇପଡିବ। ଯଦି ଜୀବାଣୁ ଜନିତ କାରଣରୁ ଜଣେ ନିମୋନିଆରେ ଆକ୍ରାନ୍ତ ହୁଏ, ସେଥିପାଇଁ ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍‌ ଚିକିତ୍ସା କରାଯାଇଥାଏ। ଯଦି ଜଣେ ସାମନ୍ୟ ଆକ୍ରାନ୍ତ ହୁଅନ୍ତି ତାହେଲେ ଔଷଧ ଖାଇବାକୁ ଦିଆଯାଉଥିବାବେଳେ ଅବସ୍ଥା ଗୁରୁତର ହେଲେ ଶିଶୁକୁ ଇଂଜେକସନ, ସାଲାଇନ୍‌ ସହ ପିଲାଙ୍କୁ ଆଇସିୟୁର ମଧ୍ୟ ଆବଶ୍ୟକତା ପଡିପାରେ। ଯଦି ଜଣେ କରୋନା ସଂକ୍ରମିତ ହୋଇଥିବା ଶିଶୁ ନିମୋନିଆରେ ଆକ୍ରାନ୍ତ ହୁଏ, ତାହେଲେ ସେମାନଙ୍କ ଚିକିତ୍ସା କ୍ଷେତ୍ରରେ ଅଧିକ ସତର୍କତା ଜରୁରୀ। ଠିକ୍‌ଭାବରେ ଚିକିତ୍ସା କରାନଗଲେ ପିଲାର ଛାତିରେ ପାଣିଜମିବା ସହ ବିଭିନ୍ନ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି।ତେଣୁ ଯେପର୍ଯ୍ୟନ୍ତ କରୋନା ଟିକା ନଆସିଛି ସେ ପର୍ଯ୍ୟନ୍ତ ସତର୍କତା ହିଁ ପିଲାଙ୍କ ସୁରକ୍ଷା ପାଇଁ ଶ୍ରେଷ୍ଠ ମାଧ୍ୟମ। ହାତ ପରିଷ୍କାର ରଖିବା, ମୁହଁ, ଆଖି ପାଟିକୁ ବାରମ୍ବାର ନ ଛୁଇଁବା, ଯଦି ପରିବାରରେ କେହି ଅସୁସ୍ଥ ଅଛନ୍ତି, ବା ଥଣ୍ଡା, ଜ୍ବରରେ ଆକ୍ରାନ୍ତ ଅଛନ୍ତି, ତାହେଲେ ସେମାନେ ପିଲାଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ। ବାହାରୁ କାମ ସାରି ଘରକୁ ଫେରିବା ପରେ ପିଲାଙ୍କୁ ଛୁଅଁନ୍ତୁ ନାହିଁ। ଭଲଭାବରେ ପରିଷ୍କାର ପରିଚ୍ଛନ୍ନ ହେବା ସହ କିଛି ସମୟ ପରେ ପିଲାଙ୍କ ପାଖକୁ ଆସନ୍ତୁ। ସବୁଠାରୁ ବଡ କଥା ହେଉଛି ପିଲାକୁ ପୁଷ୍ଟିକର ଖାଦ୍ୟ, ନିୟମିତ ଟିକାକରଣ, ଭିଟାମିନ୍‌ ‘ଏ’, ‘ଡି’ ଅଧିକ ପରିମାଣରେ ଦିଅନ୍ତୁ। ଆବଶ୍ୟକ ନଥିଲେ ପିଲାଙ୍କୁ ଆଦୌ ଘରୁ ବାହାରକୁ ନିଅନ୍ତୁନି। ଯଦି ନେଉଛନ୍ତି ତାହେଲେ ସତର୍କତାର ସହିତ ମାସ୍କ, ଗ୍ଲୋବସ୍‌, ଜୋତା ସହ ଶୀତବସ୍ତ୍ର ପିନ୍ଧାନ୍ତୁ।

ସମ୍ବନ୍ଧିତ ଖବର