ମୁମ୍ବାଇରେ କରୋନା ଆକ୍ରାନ୍ତ ଓଡ଼ିଆଙ୍କ ମୃତ୍ୟୁ, ପତ୍ନୀ ପଜିଟିଭ୍‌, ନାତିର ରିପୋର୍ଟ ନେଗେଟିଭ୍

ହିଞ୍ଜିଳିକାଟୁ : ମହାରାଷ୍ଟ୍ରରେ ମହାମାରୀ କରୋନା ଆକ୍ରାନ୍ତ ହୋଇ ଗଞ୍ଜାମ ଜିଲ୍ଲାର ଜଣେ ମୂଳବାସିନ୍ଦା ପ୍ରାଣ ହରାଇଛନ୍ତି। ମୁମ୍ବାଇରେ ସପରିବାର ରହୁଥିବା ହିଞ୍ଜିଳିକାଟୁ ବ୍ଲକ୍ ‌ଅଧୀନ ପୋଚିଲିମା ଗ୍ରାମର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେହିପରି ତାଙ୍କ ପତ୍ନୀ ମଧ୍ୟ ଆକ୍ରାନ୍ତ ହୋଇଥିବା ବେଳେ ନାତିଙ୍କ ନମୁନା ନେଗେଟିଭ୍ ଆସିଛି।

ମୃତକ ଜଣଙ୍କ ବହୁବର୍ଷ ହେଲା ମୁମ୍ବାଇରେ ସପରିବାର ରହି ଆସୁଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ଝିଅ ହିଞ୍ଜିଳି ଥାନା ଇଲାକାରେ ଏକ ଗ୍ରାମରେ ବିବାହ କରିଛନ୍ତି। ନାତିକୁ ନେଇ ସେ ନିଜ ପାଖରେ ମୁମ୍ବାଇରେ ରଖିଥିଲେ। ସେହିପରି ଦୁଇ ପୁଅ ମୁମ୍ବାଇରେ ଅଲଗା ରହୁଛନ୍ତି। ତିନି ମାସ ତଳେ ସେ ଟେଲିକମ୍ ବିଭାଗରୁ ଅବସର ନେଇଥିଲେ। ଗତବର୍ଷ ଗ୍ରାମକୁ ଆସି ପୁଅର ବାହାଘର କରାଇଥିଲେ। କିନ୍ତୁ ଗତ ଏକ ସପ୍ତାହ ତଳେ ତାଙ୍କର ନମୁନା ପରୀକ୍ଷାରୁ ପଜିଟିଭ୍ ବାହାରିଥିଲା। ସେହିପରି ଦୁଇ ଦିନ ତଳେ ତାଙ୍କ ପତ୍ନୀଙ୍କ ନମୁନା ପରୀକ୍ଷାରୁ ମଧ୍ୟ ପଜିଟିଭ୍ ବାହାରିବା ପରେ ସେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ନାତିଙ୍କ ନମୁନାରୁ ପରୀକ୍ଷା ରିପୋର୍ଟ ନେଗେଟିଭ୍ ବାହାରିଥିବାରୁ ତାଙ୍କୁ ସେଠ‌ାରେ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ରହୁଥିବା ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ଆଉ ଏକ ଗାଁର ଜଣେ ଯୁବକ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୁଇଦିନ ତଳେ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ବାହାରିଥିଲା। ସେଠାରେ ସେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପରିବାରବର୍ଗ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର