ନୂଆ ୧୪୩ଜଣ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର : ରାୟଗଡ଼ା ଛୁଇଁଲା ସଂକ୍ରମଣ, ସର୍ବାଧିକ ମହାରାଷ୍ଟ୍ର ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି | ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୪୩ଜଣଙ୍କ ମଧ୍ୟରୁ ୧୩୨ଜଣ ସଙ୍ଗରୋଧରେ ଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ | ଚିହ୍ନଟ ୧୪୩ ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି | ଅନ୍ୟ ପକ୍ଷରେ ରାୟଗଡ଼ା ଜିଲ୍ଲାରୁ ପ୍ରଥମ ଥର ଲାଗି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ବଲାଙ୍ଗୀରର ହୋଇଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ସେହିପରି ୧୩ ଜଣଙ୍କ ମଧ୍ୟରୁ ୧୦ଜଣ ମହାରାଷ୍ଟ୍ର, ୨ଜଣ ଗୁଜୁରାଟ ଓ ଜଣେ ତାମିଲନାଡୁରୁ ଫେରିଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ |  ସୋନପୁରରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣା ପଡିଛି | ୧୪ଜଣଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ, ୩ଜଣ ତେଲେଙ୍ଗାନା ଓ ୮ଜଣ ତାମିଲନାଡୁରୁ ଫେରିଥିଲେ | ନୂଆପଡ଼ାରୁ ଚିହ୍ନଟ ହୋଇଥିବା ସମସ୍ତ ୮ଜଣ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଥିବା ୯କରୋନା ଆକ୍ରାନ୍ତ ସଙ୍ଗରୋଧରେ ଥିବା ବେଳେ ୫ଜଣ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର ଓ ୨ଜଣ ତାମିଲନାଡୁରୁ ଫେରିଥିଲେ |

ଗଞ୍ଜାମରୁ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୫ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡିଛି | ୩୬ ପ୍ରବାସୀଙ୍କ ମଧ୍ୟରୁ ୧୦ଜଣ ଗୁଜୁରାଟ, ୪ଜଣ ମହାରାଷ୍ଟ୍ର ଓ ଜଣେ ଆନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୧ଜଣ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଫେରି ଘରେ ସଙ୍ଗରୋଧରେ ରହିଥିଲେ | ସେହିଭଳି ରାୟଗଡାରୁ ଚିହ୍ନଟ ହୋଇଥିବା ଜଣେ କରୋନା ରୋଗୀ ଦିଲ୍ଲୀରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ |

ଦେବଗଡ଼ରୁ ଚିହ୍ନଟ ହୋଇଥିବା ଜଣେ କରୋନା ରୋଗୀ ତାମିଲନାଡୁରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ୮ଜଣ କରୋନା ଆକ୍ରାନ୍ତ(୬ଜଣ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନା, ଜଣେ ଦିଲ୍ଲୀ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ଏହା ସହ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ରୋଗୀ ରାଜ୍ୟ ବାହାରୁ (୨ଜଣ ସୁରତ, ଜଣେ ଦିଲ୍ଲୀ) ଫେରି ସଙ୍ଗରୋଧରେ ଥିଲେ |

ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୨୪ଜଣଙ୍କ ମଧ୍ୟରୁ ୨୩ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ଜଣେ ସ୍ଥାନୀୟ ଲୋକ ଥିବା ଜଣା ପଡିଛି | ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ରୋଗୀ (ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର, ଜଣେ ପଶ୍ଚିମବଙ୍ଗ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ଏହା ସହ ଅନୁଗୁଳରୁ ଚିହ୍ନଟ ୩ଜଣ(୨ଜଣ ମହାରାଷ୍ଟ୍ର, ଜଣେ କର୍ଣ୍ଣାଟକ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି |

ସମ୍ବଲପୁରର ୩ଜଣ(ଜଣେ ଆନ୍ଧ୍ରପ୍ରଦେଶ, ଜଣେ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର), ଗଜପତିର ୪ଜଣ(୨ଜଣ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର, ଜଣେ ଆନ୍ଧ୍ରପ୍ରଦେଶ) ଓ କଳାହାଣ୍ଡିର ଜଣେ ଆକ୍ରାନ୍ତ (ଗୁଜୁରାଟରୁ ଫେରନ୍ତା)  ରାଜ୍ୟ ବାହାରୁ ଓଡ଼ିଶା ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ସେହିଭଳି ସୁନ୍ଦରଗଡରୁ ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା କରୋନା ଆକ୍ରାନ୍ତ ରହିଛନ୍ତି | ସଙ୍ଗରୋଧ କେନ୍ଦ୍ରରେ ଥିବା ୨ଜଣ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ଫେରିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର