କରୋନା ପଜିଟିଭ ପରେ ବି ହସ୍ପିଟାଲ ନ ଯାଇ ଖୁଲମଖୁଲା ବୁଲିଲେ ମହିଳା

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଉଦାସୀନତା ଆଣିପାରେ ସଙ୍କଟ

ରାଉରକେଲା: କରୋନା ପଜିଟିଭ ବୋଲି ଚିହ୍ନଟ ହେଵା ପରେ ବି କୋଭିଡ ହସ୍ପିଟାଲକୁ ଗଲେ ନାହିଁ ମହିଳା | ଆଉ ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଏବେ ମହିଳା ଜଣକ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି | ରାଉରକେଲାର କୋଏଲନଗରରୁ ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଜି ଝିରପାଣି ଥାନାରେ କିଛି ଲୋକ ଧାରଣାରେ ବସିରହିଛନ୍ତି | ମିଳିଥିବା ସୂଚନା ମୁତାବକ କୋଏଲନଗର ବି ବ୍ଲକରେ ସ୍ୱାମୀଙ୍କ ସହ ରହୁଥିବା ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି l ତଥାପି ମହିଳା ଓ ତାଙ୍କ ସ୍ୱାମୀ ଘରେ ରହୁଛନ୍ତି ଓ ବିଭିନ୍ନ କାମରେ ଘରୁ ବାହାରକୁ ମଧ୍ୟ ଯିବା ଆସିବା କରୁଛନ୍ତି l

ଏ ଖବର ଜାଣିବା ପରେ ସେହି ଅଂଚଳରେ ରହୁଥିବା ଲୋକମାନେ ଭୟଭୀତ ହୋଇ ସରକାରୀ ବ୍ୟବସ୍ଥାର ସହଯୋଗ ଲୋଡ଼ିଥିଲେ l ମାତ୍ର କେହି ସହଯୋଗ କରିବାକୁ ଆଗେଇ ଆସି ନ ଥିଲେ l ଏପରି ପରିସ୍ଥିତିରେ ସହାୟତା ପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ l କିନ୍ତୁ କେହି ଫୋନ ଉଠାଇ ନ ଥିଲେ l ଦୀର୍ଘ ସମୟ ଅପେକ୍ଷା ପରେ ଉକ୍ତ ମହିଳାଙ୍କୁ କୋଭିଡ ଡାକ୍ତରଖାନାକୁ ନିଆନଯିବାରୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ଆଜି ଅପରାହ୍ନରୁ ଝିରପାଣି ଥାନାରେ ପହଞ୍ଚି ଧାରଣାରେ ବସିଛନ୍ତି l

ଘଟଣା ଜଣାପଡ଼ିବା ପରେ ସୁନ୍ଦରଗଡ଼ ସିଡିଏମଓ ଡାକ୍ତର ସରୋଜ ମିଶ୍ର ଓ ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଧାରଣା ବସିଥିବା ଲୋକଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି l କରୋନା ଆକ୍ରାନ୍ତ ମହିଳାଙ୍କୁ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରାଯାଉଛି ବୋଲି କହୁଛନ୍ତି l କିନ୍ତୁ ଏଯାଏ କୌଣସି ବ୍ୟବସ୍ଥା କରାଯାଇନଥିବା ପଡୋଶୀ କହିଛନ୍ତି l

ସମ୍ବନ୍ଧିତ ଖବର