କରୋନା ରୋଗୀଙ୍କ ପାଇଁ କାଳ ସାଜୁଛି ଏକାଧିକ ରୋଗ, ପ୍ରତି ୫ ସଂକ୍ରମିତଙ୍କ ମଧ୍ୟରେ ଜଣେ ମାତ୍ରାଧିକ ଦୁର୍ବଳ ହୋଇପଡ଼ନ୍ତି

ଭୁବନେଶ୍ବର : ବିଶ୍ବବ୍ୟାପୀ କରେନା (‌କୋଭିଡ-୧୯) ଏବେ ଆତଙ୍କ ସୃଷ୍ଟି କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାକୁ ମହାମାରୀ ଘୋଷଣା କରିସାରିଛି। ଆମେରିକା, ଇଟାଲି ଭଳି ୟୁରୋପୀୟ ଦେଶମାନଙ୍କରେ କରୋନା ହଜାର ହାଜର ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ତେବେ ବିଶେଷଜ୍ଞ ଓ ଗବେଷଣାରୁ କୋ-ମର୍ବିଡିଟି ବା ଜଣେ ବ୍ୟକ୍ତିଙ୍କ ନିକଟରେ ଏକାଧିକ ରୋଗ ରହିବା ଓ ସେହି ବ୍ୟକ୍ତି କରୋନା ସଂକ୍ରମିତ ହେଲେ ତାହା ଘାତକ ସାବ୍ୟସ୍ତ ହେଉଛି। ବିଶେଷକରି ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା, ହୃଦ୍‌ରୋଗ ଓ ଏକାଧିକ ଅଙ୍ଗ ଅଚଳ ହୋଇଯିବା ଦ୍ବାରା ଜଣେ ବ୍ୟକ୍ତିର ମୃତ୍ୟୁ ହୋଇପାରେ। ତେବେ ଲୋକମାନଙ୍କ ଭିତରେ ଏହି ନୂଆ ଭୂତାଣୁ ନେଇ ରୋଗ ପ୍ରତିରୋଧକ ଶକ୍ତି କମ୍ ହେବା ଓ ମାତ୍ରାଧିକ ସଂକ୍ରମଣ ଯୋଗୁଁ କରୋନା ରୋଗୀଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ ଦେଶରୁ ଯେଉଁ ତଥ୍ୟ ସଂଗ୍ରହ କରାଯାଉଛି, ତହିଁରେ କ‌ରୋନା ସଂକ୍ରମିତ ପ୍ରତି ୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମାତ୍ରାଧିକ ଦୁର୍ବଳ ହୋଇପଡ଼ନ୍ତି। ଦୀର୍ଘଦିନ ଧରି ଫୁସଫୁସ୍ ଜନିତ ରୋଗ, ମଧୁମେହ ଓ ହୃଦ୍‌ରୋଗ ସମସ୍ୟା ରହିଥିବା ବ୍ୟକ୍ତିମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି କରୋନା।

ଆପୋଲୋ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡା. ପି.କେ ସାହୁଙ୍କ କହିବା ମୁତାବକ, କୋଭିଡ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତର ଲକ୍ଷଣ ଦେଖାଦେବା ସହ ହୃତ୍‌ପିଣ୍ଡ ଅଚଳ ହେବା ଭଳି ସ୍ଥିତିକୁ ଲୋକଙ୍କୁ ଟାଣି ନେଉଛି। ନିଶ୍ବାସପ୍ରଶ୍ବାସ ସମସ୍ୟା ଥିବା ଲୋକମାନେ କୋଭିଡ୍‌ ପାଇଁ ଅଧିକ ସମ୍ବେଦନଶୀଳ। ଏହି ଭୂତାଣୁ ନିଶ୍ବାସ ପ୍ରଶ୍ବାସ ପ୍ରଭାବିତ କରିବା ସହ ହୃତ୍‌ପିଣ୍ଡରେ ସମସ୍ୟା ସୃଷ୍ଟି କରୁଛି। ହୃଦୟ ମାଂସପେଶୀ ଟାଣ ହୋଇଯାଏ। ଯେଉଁ ବ୍ୟକ୍ତିଙ୍କ ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ରୋଗ ସମସ୍ୟା ରହିଛି, ସେମାନେ କୋଭିଡ୍‌ ପାଇଁ ଅଧିକ ସତର୍କ ହେବା ଦରକାର। ଏପରିକି କୌଣସି ବ୍ୟକ୍ତି ଯଦି ମାତ୍ରାଧିକ ସଂକ୍ରମିତ ହୁଅନ୍ତି, ତାହାର ଅନ୍ୟ କୌଣସି ସମସ୍ୟା ନ ଥିଲେ ମଧ୍ୟ କୋଭିଡ୍ ପାଇଁ ସେ ହୃଦ୍‌ରୋଗର ସମସ୍ୟାରେ ପଡ଼ିପାରନ୍ତି ବୋଲି ଡା. ସାହୁ କହିଛନ୍ତି।

ଅପରପକ୍ଷେ ଯେତିକି ସଂଖ୍ୟକ ଲୋକ କୋଭିଡ୍‌ରେ ଆକ୍ରାନ୍ତ ହୋଇଥା’ନ୍ତି ତହିଁରୁ ମାତ୍ର ୧/୨ପ୍ରତିଶତ ଲୋକ ଏଥିରେ ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି କହିଛନ୍ତି ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବି‌କେ ମହାନ୍ତି। କରୋନା ସଂକ୍ରମିତ ହେଲେ ଯେ ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିବେ, ତାହାର କୌଣସି ପ୍ରମାଣ ନାହିଁ। ଅଧିକାଂଶ ଲୋକ ଏଥିରେ ସୁସ୍ଥ ହେଉଛନ୍ତି। ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ହାତ ଧୋଇବାକୁ ଲୋକମାନେ ଗୁରୁତ୍ବ ଦେବା ଦରକାର। ତେବେ କରୋନାରେ ଆକ୍ରାନ୍ତ ‌ରୋଗୀଙ୍କୁ ଲୋକମାନେ ଘୃଣା ନଜରରେ ଦେଖବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି ଓ ଆପଣ କରୋନାରେ ସଂକ୍ରମିତ ବୋଲି ସିଧାସଳଖ ନ କହି ସମ୍ମାନ ସହ ତାଙ୍କଠାରୁ ଦୂରେଇ ରୁହନ୍ତୁ। ଫଳରେ ସେହି ଆକ୍ରାନ୍ତଜଣକ ମାନସିକ ଚାପର ବଶବର୍ତ୍ତୀ ହେବେ ନାହିଁ ବୋଲି ପ୍ରଫେସର୍‌ ଡା. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର