ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୬ ହଜାର ଉପରେ

ସଂକ୍ରମିତଙ୍କ ତୁଳନାରେ ସୁସ୍ଥ କମ୍, ୭୬୨ ପଜିଟିଭ୍, ୮ ମୃତ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ତୁଳନାରେ କମିଛି। ହେଲେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଗତ ୧୦ ଦିନ ହେବ ସ୍ଥିର ରହିଛି। ସଂକ୍ରମିତଙ୍କ ତୁଳନାରେ କମ୍ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬ ହଜାର ତଳକୁ ଖସୁ ନାହିଁ। ଦେଶରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନବମ ସ୍ଥାନରେ ରହିଛି।

କରୋନାର ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ଶିଶୁ କରୋନାରେ ସଂକ୍ରମିତ ହେଉଥିବା ନଜରକୁ ଆସୁଛି। ରାଜ୍ୟରେ ଦୈନିକ ଯେତିକି ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତହିଁରେ ଶତାଧିକ ରୋଗୀଙ୍କ ବୟସ ୧୮ବର୍ଷରୁ କମ୍ ରହିଛି। ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଖୋଲିବା ପରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି। ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଛନ୍ତି, ବୟସ୍କ ଲୋକମାନେ ଟିକା ନେଇ ସାରିଲେଣି। ଏବେ ବୟସ୍କଙ୍କଠାରୁ ପିଲାମାନଙ୍କୁ ସଂକ୍ରମଣ ବ୍ୟାପିବ। ତେଣୁ ସଂକ୍ରମଣର ଉତ୍ସକୁ ନିୟନ୍ତ୍ରଣ କରିବାକୁ ହେବ। ପିଲାମାନଙ୍କୁ କିଭଳି ସଂକ୍ରମଣ ନ ହେବ, ତାହାକୁ ଜଗିବାରେ ମୁଖ୍ୟ ଭୂମିକା ଅଭିଭାବକଙ୍କର। ପିଲାମାନେ ବିଦ୍ୟାଳୟରେ କିଭଳି ସୁରକ୍ଷିତ ରହିବେ, ତାହା ଶିକ୍ଷକ ଓ କର୍ମଚାରୀଙ୍କ ଦାୟିତ୍ବ। ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହେବା ଜରୁରୀ। ରାଜ୍ୟରେ ୮ ହଜାରରୁ ଅଧିକ ବିଦ୍ୟାଳୟ ରହିଛି। ଯେଉଁଠି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେଠାରେ ପଦକ୍ଷେପ ନିଆଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ସଂକ୍ରମଣ ପାଇଁ ମାନସିକସ୍ତରରେ ଚାପ ରହିବ। ମାତ୍ର ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ, ତାହାକୁ ଗୁରୁତ୍ବ ଦେବାକୁ ହେବ। ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ହାର କମ୍। ବିଦେଶରେ ପିଲାଙ୍କୁ ହାଇବ୍ରିଡ୍‌ ମୋଡ୍‌ରେ ପଢ଼ା ଯାଉଛି। ଯେହେତୁ ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ଟିକା ଆସି ନାହିଁ, ତେଣୁ ପିଲାମାନେ କିଭଳି କୋଭିଡ୍‌ ନିୟମ ପାଳନ କରିବେ, ତାହା ଧ୍ୟାନ ଦେବାକୁ ହେବ। ବିଦ୍ୟାଳୟରେ ପିଲାମାନେ ୬-୮ଘଣ୍ଟା ରହୁଛନ୍ତି। ବଳକା ସମୟ ଘରେ। ତେଣୁ ଅଭିଭାବକ ଓ ଶିକ୍ଷକମାନେ ପିଲାମାନଙ୍କ ଉପରେ ନଜର ରଖନ୍ତୁ ବୋଲି ପ୍ରଫେସର୍‌ ମହାନ୍ତି ପରାମର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୩୧୪, କଟକ ୧୧୯, ମୟୂରଭଞ୍ଜ ୨୯, ସୁନ୍ଦରଗଡ଼ ୨୬, ଜଗତସିଂହପୁର ୨୪, ଅନୁଗୁଳ ୨୦, କେନ୍ଦ୍ରାପଡ଼ା ୨୧, ପୁରୀ ୧୬ ଓ ଷ୍ଟେଟ୍‌ ପୁଲରୁ ୭୪ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୩ହଜାର ୫୬୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୮ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଢେଙ୍କାନାଳ ଓ ଖୋର୍ଧାରୁ ୨ ଲେଖାଏଁ, ଅନୁଗୁଳ, ବାଲେଶ୍ବର, କେନ୍ଦୁଝର, କୋରାପୁଟରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭୦‌ରେ ପହଞ୍ଚିଛି।

ରାଜ୍ୟରେ ଆଜି ୫୭୪ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୯ହଜାର ୧୬୫ରେ ପହଞ୍ଚିଛି। ରାଜ୍ୟରେ ଏବେ ୬୨୭୯ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତହିଁରୁ ୩୮ ପ୍ରତିଶତ କେବଳ ଖୋର୍ଧା ଜିଲ୍ଲାରେ ଅଛନ୍ତି।

ସମ୍ବନ୍ଧିତ ଖବର