କରୋନା ପଜିଟିଭ୍‌ ଚିହ୍ନଟ ପରେ କଳାହାଣ୍ଡିରେ ତନ‌ାଘନା : ପଞ୍ଚାୟତ ସିଲ୍‌, ୩୧ ନମୁନା ପରୀକ୍ଷା ପାଇଁ ଗଲା

ବାହାରିନ୍‌ରୁ ବିମାନରେ ଦିଲ୍ଲୀ ଆସିଥିଲେ, ଦିଲ୍ଲୀରୁ ହାଇଦ୍ରାବାଦ, ବିଶାଖାପାଟଣା, ରାୟଗଡ଼ା, କେସିଙ୍ଗା ଦେଇ ଗାଁକୁ ଫେରିଥିଲେ

ଭବାନୀପାଟଣା/ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲାରେ ଶନିବାର ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବେଶ୍‌ ତତ୍ପରତା ପ୍ରକାଶ ପାଇଛି। ଗୋଲାମୁଣ୍ଡା ବ୍ଲକ୍‌ ଅଞ୍ଚଳର ଏହି ସଂକ୍ରମିତଙ୍କୁ ରବିବାର ଜିଲ୍ଲା ପ୍ରଶାସନ ସହଯୋଗରେ କଟକର କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଏଥିସହ ଶନିବାର ରାତିରୁ ଧର୍ମଗଡ଼ ପୁଲିସ ଏସ୍‌ଡିପିଓ ଓ ଉପଜିଲ୍ଲାପାଳ ପରିସ୍ଥିତିର ଅନୁଧ୍ୟାନ କରି ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ୍‌ କରି ଦେଇଛନ୍ତି। ଆକ୍ରାନ୍ତଙ୍କ ବାପା, ମା, ଭଉଣୀ, ଜେଜେମା, ଦୁଇ କାକା ପୁଅ, ଭଉଣୀଙ୍କ ସମ୍ପର୍କୀୟ ଓ ୧୪ଜଣ କ୍ରିକେଟ୍‌ ଖେଳାଳି, ଜଣେ ବଲେରୋ ଚାଳକଙ୍କ ସମେତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୧ଜଣଙ୍କୁ ଭବାନୀପାଟଣା ଅଣାଯାଇ ରକ୍ତ, ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ସମସ୍ତ ୩୧ ଜଣଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

କଳାହାଣ୍ଡି ଜିଲ୍ଲାପାଳ ହର୍ଷଦ ପରାଗ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି, ୩୧ ଜଣଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ହେଇଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସଂପୃକ୍ତ ପଞ୍ଚାୟତରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରାଯାଇଛି। ଉଭୟ ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକ୍‌ରେ ଲାକ୍‌ଡାଉନ୍‌କୁ ଗାଁ ଲୋକମାନେ ବି କଡାକଡ଼ି କରିଛନ୍ତି। ଏପରିକି ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଆଜି ଲୋକ ଛାଡୁନଥିବା ଦେଖିବାକୁ ମିଳିଥିଲା। ପୁଲିସର ହସ୍ତକ୍ଷେପ ପରେ ୧୦୮ଚଳପ୍ରଚଳ କରିଥିଲା।

ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ ବାହାରିନରେ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ୧୭ ତାରିଖରେ ବିମାନ ଯୋଗେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଥିବା ତାଙ୍କ ସାଥୀଙ୍କୁ ମଧ୍ୟ ଦେଖା କରିଥିଲେ। ହାଇଦ୍ରାବାଦରୁ ବିଶାଖାପାଟଣାକୁ ଓ ବିଶାଖାପାଟଣାରୁ ରାୟଗଡ଼ାକୁ ବସ୍ ଯୋଗେ ଆସିଥିଲେ। ରାୟଗଡ଼ାଠାରୁ କେସିଙ୍ଗା ପର୍ଯ୍ୟନ୍ତ ଟ୍ରେନ୍‌ ଯୋଗେ ଯାତ୍ରା କରିଥିଲେ। କେସିଙ୍ଗା ରେଳ ଷ୍ଟେସନରୁ ଏକ ବଲେରୋ ଗାଡ଼ି ଭଡ଼ା କରି ମାର୍ଚ୍ଚ ୧୯ ତାରିଖ ଦିନ ତାଙ୍କ ଗାଁରେ ପହଞ୍ଚିଥିଲେ। ସେ ସୁସ୍ଥ ଥିବା ଯୋଗୁଁ ହୋମ୍‌ କ୍ୱାରାଣ୍ଟିନ୍‌ରେ ଥିଲେ। ଏମିତିକି ସୁସ୍ଥ ଥିବା ଯୋଗୁଁ କ୍ବାରାଣ୍ଟିନ୍‌ ପରେ ଗାଁରେ ତାଙ୍କ ସାଙ୍ଗମାନଙ୍କ ସହିତ କ୍ରିକେଟ ମଧ୍ୟ ଖେଳିଥିଲେ। ନିକଟରେ ଥିବା ତାଙ୍କ ଭଉଣୀ ଘରକୁ ମଧ୍ୟ ଯାଇଥିଲେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶ ବାହାରୁ ଆସିଥିବା ଯୋଗୁଁ ଗତ ଏପ୍ରିଲ ୨ ତାରିଖ ଦିନ ତାଙ୍କୁ ଭବାନୀପାଟଣାକୁ ଅଣାଯାଇ ତାଙ୍କ ସ୍ବାବ୍ ନମୁନା ନିଆଯାଇଥିଲା। ଶନିବାର ତାଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ମାରାଥନ ବୈଠକ ଅନୁଷ୍ଠିତ ହେଇଥିଲା। କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ ପଜିଟିଭ୍‌ ହେଇଥିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଉ କେଉଁ କେଉଁମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କସରତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର