ସଂକ୍ରମଣ ଓ ସୁସ୍ଥତାରେ ରେକର୍ଡ : ରାଜ୍ୟରେ ଦିନକରେ ୧୦୩ ଆକ୍ରାନ୍ତ, ୯୯ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୬ଟି ଜିଲ୍ଲାରୁ ଦିନକ ମଧ୍ୟରେ ୧୦୩ଜଣଙ୍କ ନମୁନା ପଜିଟିଭ୍‌ ଆସିଛି। ସେଥିରୁ ୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୭ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗୋଟିଏ ଦିନରେ ୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଉଭୟ ପରିସଂଖ୍ୟାନ ଆକ୍ରାନ୍ତ ଓ ସୁସ୍ଥତା କ୍ଷେତ୍ରରେ ରାଜ୍ୟ ପାଇଁ ନୂଆ ରେକର୍ଡ ବୋଲି ଜଣାପଡ଼ିଛି। ସେହିପରି ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି।

ଦେବଗଡ଼ ଜିଲ୍ଲାରେ ଆଜି ସର୍ବାଧିକ ୨୨ଜଣ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ୧୬ଜଣ ତାମିଲନାଡ଼ୁ ଫେରନ୍ତା ଥିବାବେଳେ ୩ଜଣ ଆନ୍ଧ୍ର ଓ ଅବଶିଷ୍ଟ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। କେନ୍ଦ୍ରାପଡ଼ାର ୧୫ଜଣଙ୍କ ମଧ୍ୟରୁ ୭ ପଶ୍ଚିମବଙ୍ଗ, ୪ ତେଲେଙ୍ଗାନା, ୨ଜଣ କର୍ଣ୍ଣାଟକ ଏବଂ ଜଣେ ଲେଖାଏଁ ଗୁଜରାଟ ଓ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ମାଲକାନଗିରିର ୯ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଆନ୍ଧ୍ର, ୨ଜଣ ଲେଖାଏଁ ତେଲେଙ୍ଗାନା ଓ ତାମିଲନାଡ଼ୁ ଏବଂ ଜଣେ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାର ୩ଜଣ ଗୁଜୁରାଟ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଭୁବନେଶ୍ବରରେ ଜଣେ ଘରେ ସଙ୍ଗରୋଧରେ ଅଛନ୍ତି। କୋରାପୁଟର ୬ଜଣ ଯାକ ଆନ୍ଧ୍ରରୁ ଫେରିଥିବା ବେଳେ ଗଞ୍ଜାମର ୪ଜଣରୁ ୨ଜଣ ସଙ୍ଗରୋଧ ଓ ୨ଜଣ ସ୍ଥାନୀୟ ସଂକ୍ରମିତ, ଯାଜପୁରର ଜଣେ ସୁରତ ଫେରନ୍ତା, କେନ୍ଦୁଝରର ମହାରାଷ୍ଟ୍ର ଫେରନ୍ତା ଓ ମୟୂରଭଞ୍ଜର ଜଣେ ଆନ୍ଧ୍ରରୁ ଫେରିଛନ୍ତି। ଗଜପତିର ୬ଜଣ ଯାକ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଭଦ୍ରକର ୮ଜଣଙ୍କ ମଧ୍ୟରୁ ୪ ପଶ୍ଚିମବଙ୍ଗ, ୨ ଗୁଜରାଟ ଓ ଜଣେ ଲେଖାଏଁ ତେଲେଙ୍ଗା‌ନା ଓ ଆନ୍ଧ୍ରରୁ ଆସିଛନ୍ତି। ସେହିପରି ବଲାଙ୍ଗୀରର ୮ଜଣଙ୍କ ମଧ୍ୟରୁ ୫ ମହାରାଷ୍ଟ୍ର, ୨ ଗୁଜରାଟ ଓ ଜଣେ ଛତିଶଗଡ଼, ଢେଙ୍କାନାଳର ଜଣେ ଛତିଶଗଡ଼, କନ୍ଧମାଳର ଜଣେ ସୁରତ ଫେରନ୍ତା ଓ ଜଗତସିଂହପୁରର ୧୦ଜଣଙ୍କ ମଧ୍ୟରୁ ୮ଜଣ ପଶ୍ଚିମବଙ୍ଗ ଓ ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ଚତୁର୍ଥ ଜିଲ୍ଲା ଭାବେ ଭଦ୍ରକ ଜିଲ୍ଲା ସଂକ୍ରମିତ ସଂଖ୍ୟାରେ ଶହେ ପାର କରିଛି। ୩୫୩ ସଂଖ୍ୟା ସହ ଗଞ୍ଜାମ ତାଲିକାର ଶୀର୍ଷରେ ରହିଥିବାବେଳେ ଯାଜପୁରରେ ୨୪୦, ବାଲେଶ୍ବର ୧୩୩ ଏବଂ ଭଦ୍ରକ ୧୦୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଖୋର୍ଧାରେ ୮୨, ପୁରୀରେ ୮୧ ଚିହ୍ନଟ ହୋଇ ଧୀରେ ଧୀରେ ଶହେ ଆଡ଼କୁ ବଢ଼ି ଚାଲିଛନ୍ତି।

ଅପରପକ୍ଷରେ ଆଜିର ସୁସ୍ଥ ତାଲିକାରେ ବାଲେଶ୍ବର ଜିଲ୍ଲାର ୩୪, ଗଞ୍ଜାମ ୧୫, ଯାଜପୁର ଓ କେନ୍ଦ୍ରାପଡ଼ରୁ ୧୩ ଲେଖାଏଁ, ପୁରୀ ୧୦, ଭଦ୍ରକ ୯, ନୟାଗଡ଼ ୩, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି। ରାଜ୍ୟରେ ଏବେ ୭୮୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୯୮୯ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ପୃଥକବାସରେ ରହିଛନ୍ତି। ସେହିପରି ଏ ପର୍ଯ୍ୟନ୍ତ ମୋଟ ୧,୨୭,୭୭୬ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୯୪୨କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ରାଜ୍ୟ ସରକାର ଏବେ ଦିନକୁ ୫ହଜାର କୋଭିଡ୍‌ ନମୁନା ପରୀକ୍ଷା କରୁଥିବା ବେଳେ ଆଗକୁ ଦିନକୁ ୧୫ହଜାର ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ତେବେ ଗତ ୨୪ ଘଣ୍ଟାରେ ୫ହଜାରରୁ କମ୍ ସଂଖ୍ୟକ ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର