ରାଜ୍ୟର ୫ ଜିଲ୍ଲାରେ ଶହେରୁ ଅଧିକ ପଜିଟିଭ୍

ଦିନକରେ ୬୭ ଚିହ୍ନଟ, ୭୫ ସୁସ୍ଥ, ଗଞ୍ଜାମ ଜିଲ୍ଲା ୪ ଶହର ନିକଟତର, ସୁସ୍ଥ ହେଲେଣି ଅଧା ରୋଗୀ

ଭୁବନେଶ୍ବର : ରାଜ୍ୟର ୫ଟି ଜିଲ୍ଲାରେ ଶହେରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆହୁରି ୨ଟି ଜିଲ୍ଲା ଶହେର ନିକଟତର ହୋଇଛନ୍ତି। ତହିଁରେ ଗଞ୍ଜାମ ଜିଲ୍ଲା ୪୦୦ ସଂଖ୍ୟା ଆଡ଼କୁ ଅଗ୍ରସର ହେଉଛି। ରାଜ୍ୟରେ ଯେଉଁଭଳି ଭାବେ କରୋନା ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଛି, ଖୁବ କମ୍ ଦିନରେ ଆହୁରି ଅନେକ ଜିଲ୍ଲା ଏହି ଶହେ ସଂଖ୍ୟା ବିଶିଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭ ନୂତନ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ୧୦ଟି ଜିଲ୍ଲାରେ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଆଜି ୭୫ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଓ ଖୋର୍ଧାରେ ୧୧ଜଣ ଲେଖାଏଁ, ନୟାଗଡ଼ରେ ୭, ବଲାଙ୍ଗୀର, ସମ୍ବଲପୁର ଓ ଜଗତସିଂହପୁରରେ ୨ଜଣ ଲେଖାଏଁ, ସୋନପୁରରେ ୪, କେନ୍ଦୁଝର ଓ ବରଗଡ଼ରେ ଜଣେ ଲେଖାଏଁ ପଜିଟିଭ୍ ବାହାରିଛନ୍ତି। ସମୁଦାୟ ୬୭ଜଣ ପଜିଟିଭଙ୍କ ମଧ୍ୟରୁ ୬୫ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଅଧ‌ାରୁ ଅଧିକ ରୋଗୀ ସୁସ୍ଥ ‌ହୋଇ ସାରିଲେଣି।

ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ଭାବେ ଗଞ୍ଜାମ ଆଗରେ ରହିଛି। ଗଞ୍ଜାମରେ ୩୯୪, ଯାଜପୁରରେ ୨୫୩, ବାଲେଶ୍ବରରେ ୧୩୯, ଖୋର୍ଧାରେ ୧୧୦ ଓ ଭଦ୍ରକରେ ୧୦୬ଜଣ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା କଟକରେ ୮୬ ଓ ପୁରୀରେ ୮୫ ଜଣଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ରାଜ୍ୟର ୨୯ଟି ଜିଲ୍ଲାରୁ ପଜିଟିଭ୍ ଚିହ୍ନଟ ହୋଇସାରିଲାଣି। ସବୁ ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।

ଅପରପକ୍ଷରେ ଆଜି ୭୫ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଯାଜପୁରରେ ୨୫, ଗଞ୍ଜାମ ୧୯, କଟକ୯, ପୁରୀ ୮, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ଜଣ ଲେଖାଏଁ, କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଧାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୮୭ରେ ପହଞ୍ଚିଛି। ଏବେ ୭୬୬ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ରୋଗୀ ସୁସ୍ଥ ହେବାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ୩୯୪ ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାରେ ମାତ୍ର ୮୯ଜଣ ଚିକିତ୍ସିତ ହେଉଛନ୍ତି। ବାଲେଶ୍ବରରେ ୧୩୯ ଜଣଙ୍କ ମଧ୍ୟରୁ ୧୧୯ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ୨୫୩ଜଣରୁ ୧୫୧, ଖୋର୍ଧାରେ ୧୧୦ରୁ ୫୮, ଭଦ୍ରକରେ ୧୦୬ଜଣଙ୍କ ମଧ୍ୟରୁ ୭୪ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର