ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁଲା

ଯାଜପୁରରୁ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଗାଁରୁ ୪, ସବୁ କୋଲକାତା ଫେରନ୍ତା, ରାଜ୍ୟର ୫ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ବର/ଦଶରଥପୁର : ଆଜି ଯାଜପୁର ଜିଲ୍ଲାରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁଛି। ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟର ୫ ଜିଲ୍ଲାରୁ ଏବେ ସମସ୍ତ ସକ୍ରିୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଯାଜପୁର ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟାରେ ଆଉ ୬ ଯୋଡ଼ି ହୋଇଯାଇଛି। ଏମାନେ ସମସ୍ତେ ଦଶରଥପୁର ବ୍ଲକ୍‌ର ବୋଲି ଜଣାପଡ଼ିଛି। ସେଥିରୁ ୪ ଜଣ କଟିକଟା ଗ୍ରାମର ହୋଇଥିବା ବେଳେ ଜଣେ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ଏବଂ ଅନ୍ୟ ଜଣେ ବିରଜାପୁର ପଞ୍ଚାୟତର ବିରଜାପୁର ଗାଁର ଚିହ୍ନଟ ହୋଇଛନ୍ତି। କଟିକଟା ଗ୍ରାମର ୪ଜଣ ଆକ୍ରାନ୍ତଙ୍କ ବିଷୟରେ ଯାଜପୁର ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ସ୍ପଷ୍ଟ କରିଥିବା ବେଳେ ମହାନ୍ତିପାଟଣା ଆକ୍ରାନ୍ତଙ୍କ ସଂପର୍କରେ ଡିଆଇପିଆରଓ ସନ୍ତୋଷ କୁମାର ସେଠୀ ସ୍ପଷ୍ଟ କରିଛନ୍ତି। ଏହି ସମସ୍ତ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି।

ଯାଜପୁର ବ୍ଲକ୍ ଓ ଦଶରଥପୁର ବ୍ଲକ୍‌ରେ ଶତାଧିକ ଲୋକ କୋଲକାତାରୁ ଫେରିଥିବା ବେଳେ ଏବେ ଭୟଙ୍କର ସ୍ଥିତି ଉପୁଜିଛି। ଏବେ ସୁଦ୍ଧା ‌ଜିଲ୍ଲାରେ ମୋଟ ୧୮ଜଣ କରୋନା ରୋଗୀଙ୍କ ମଧ୍ୟରୁ ଯାଜପୁର ବ୍ଲକ୍‌ର ୭ଜଣ ଓ ଦଶରଥପୁର ବ୍ଲକ୍‌ର ୯ଜଣ, କୋରେଇର ଜଣେ ଓ ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳର ଜଣେ ଚିହ୍ନଟ ହୋଇଛନ୍ତି। ବ୍ରହ୍ମବରଦା କରୋନା ରୋଗୀଙ୍କ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିବାବେଳେ ଅନ୍ୟ ୧୭ଜଣ ରୋଗୀଙ୍କର କୋଲକାତା ଲିଙ୍କ୍ ‌ବୋଲି ସ୍ପଷ୍ଟ ହୋଇଛି। ଆଜି ଚିହ୍ନଟ ହୋଇଥିବା ୬ଜଣ ନୂଆ କରୋନା ଆକ୍ରାନ୍ତ ଗତ ୨୯ତାରିଖରେ ଏକ ବୋଲେରୋରେ କୋଲକାତାରୁ ଫେରିଥିଲେ। ୪ଜଣ କଟିକଟା ସ୍କୁଲରେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିବା ବେଳେ ମହାନ୍ତିପାଟଣା ଗ୍ରାମର ଆକ୍ରାନ୍ତଜଣକ ମଧ୍ୟ ଗାଁ ବିଦ୍ୟାଳୟରେ ସଂଗରୋଧରେ ଥିଲେ ବୋଲି ଜଣାପଡିଛି। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩, ୪୯, ୫୨, ୫୭ ଏବଂ ୩୯ ବୋଲି ଜଣାପଡ଼ିଛି। ସଂଗରୋଧରେ ରହିବା ପରେ ଘରକୁ ଫେରିଥିବାରୁ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି।

ଖବରପାଇ ମଙ୍ଗଳପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି ଓ ଏଏସଆଇ ଏସକେ ସିଂହ କଟିକଟାରେ ପହଞ୍ଚିଛନ୍ତି। ସେହିପରି ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରା, ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ମଙ୍ଗଳପୁର ସିଏଚ୍‌ସିର ଡ. ଉମାକାନ୍ତ ମଲ୍ଲିକ ପ୍ରମୁଖ ରାତିରେ କଟିକଟା ଗ୍ରାମରେ
ପହଞ୍ଚିଛନ୍ତି। ଏଥିପୂର୍ବରୁ ଏହି ବ୍ଲକ୍‌ର କୋଦେଇବାଟିର ୨ଜଣ ଓ ଅକରପଡ଼ାର ଜଣେ କରୋନା ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହୋଇଥିବା ଏହି ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯିବ ବୋଲି ଜଣାପଡିଛି।

ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ପୂର୍ବରୁ ପୁରୀ, କଟକ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। ଏହି ୫ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯଥାଶୀଘ୍ର ସେମାନେ ସୁସ୍ଥ ହେବେ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ପ୍ରକଟ କରିଛି। ୨୪ତାରିଖ ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୨୦୫୯୯ କୋଭିଡ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ କରୋନା ସଂକ୍ରମଣର ହାର ୦.୪୫ ପ୍ରତିଶତ ରହିଛି। ତେବେ ଆଜି ୬ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଏ‌ବେ ୬୫ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର