ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି : ରାଜ୍ୟରେ ଆଉ ୯୧ ଆକ୍ରାନ୍ତ ଚିହ୍ନଟ, ୨୪ ସୁସ୍ଥ, ଆକ୍ରାନ୍ତ ସଂଖ୍ୟା ୮୦୦ ଟପିଲା

ସମ୍ବଲପୁରରେ ପଶିଲା, ଭଦ୍ରକରେ ଆଉ ୨୮, ଆଉ ୨ କେନ୍ଦ୍ରରେ ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଆଜି ଗୋଟିଏ ଦିନରେ ୯୧ ସଂକ୍ରମିତ ଚିହ୍ନଟ ହେବା ସହିତ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସରକାର ସ୍ପଷ୍ଟ କରିଛନ୍ତି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩ଶହ ନିକଟତର ହୋଇଛି। ଏହାସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୨୮‌ରେ ପହଞ୍ଚିଛି। ରାଜ୍ୟରେ ଆଉ ୨୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଉ ୨ କେନ୍ଦ୍ରକୁ କୋଭିଡ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଭଦ୍ରକ ଜିଲ୍ଲାର ରହିଛନ୍ତି। ଭଦ୍ରକ ଜିଲ୍ଲାରେ ୨୮ଜଣଙ୍କ ମଧ୍ୟରୁ ୧୭ଜଣ ସୁରତ, ୮ଜଣ ପଶ୍ଚିମବଙ୍ଗ, ୨ଜଣ ମହାରାଷ୍ଟ୍ର ଓ ଜଣେ ହାଇଦ୍ରାବାଦ ଫେରନ୍ତା ରହିଛନ୍ତି। ବାଲେଶ୍ବରରେ ୧୭ଜଣଙ୍କ ମଧ୍ୟରୁ ୧୦ଜଣ ହାଇଦ୍ରାବାଦ, ୩ ପଶ୍ଚିମବଙ୍ଗ, ୨ ସୁରତ, ଜଣେ ମହାରାଷ୍ଟ୍ର ଓ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ଜଣ ସଙ୍ଗରୋଧ କେନ୍ଦ୍ରରେ ରହି ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ୧୫ଜଣଙ୍କ ମଧ୍ୟରୁ ୧୪ଜଣ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପୁରୀର ୭ଜଣଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଓ ଜଣେ ସୁରତରୁ ୩ଜଣ ଲେଖାଏଁ ରହିଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକର ୧୨ଜଣଙ୍କ ମଧ୍ୟରୁ ୮ ଅହମ୍ମଦାବାଦ, ୨ ସୁରତ, ଜଣେ‌ ଲେଖାଏଁ ପଶ୍ଚିମବଙ୍ଗ ଓ ଆନ୍ଧ୍ର ଫେରନ୍ତା ରହିଛନ୍ତି। ଖୋର୍ଧାର ୩ଜଣଙ୍କ ମଧ୍ୟରୁ ୨ଜଣ ସୁରତରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। କେନ୍ଦୁଝରର ୪ଜଣଙ୍କ ମଧ୍ୟରୁ ଜଣେ ଲେଖାଏଁ ଆନ୍ଧ୍ର, ସୁରତ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି। ବଲାଙ୍ଗୀରର ୨ଜଣ ସୁରତ ଫେରନ୍ତା ଏବଂ ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି।

ଆଜିକୁ ମିଶାଇ ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ରେ ପହଞ୍ଚିଛି। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଯାଜପୁରରେ(୧୨୧) ଓ ବାଲେଶ୍ବର(୧୧୯) ରହିଥିବାବେଳେ ଭଦ୍ରକରେ ୭୪, ଖୋର୍ଧାରେ ୫୯, କେନ୍ଦ୍ରାପଡ଼ାରେ ୨୭, ପୁରୀରେ ୨୫, କଟକରେ ୨୨, ଅନୁଗୁଳ ୧୫, ମୟୂରଭଞ୍ଜରେ ୧୧, କେନ୍ଦୁଝରରେ ୮, ନୟାଗଡ଼ରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ୫ରୁ କମ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ନେଇ ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିବାବେଳେ ଆଜି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସେଥିରୁ ଜଣେ ପଜିଟିଭ୍‌ ଓ ଅନ୍ୟ ଜଣେ ନେଗେଟିଭ୍ ରହିଛନ୍ତି। ଦ୍ବିତୀୟ ମୃତକଙ୍କୁ କରୋନା ସ‌ନ୍ଦେହରେ ନମୁନା ପରୀକ୍ଷା କରାଯାଇଥିଲା। ମାତ୍ର ନମୁନା ନେଗେଟିଭ୍ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଅପରପକ୍ଷରେ ଆଜି ରାଜ୍ୟରେ ଆଉ ୨୪ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ତହିଁରେ ୧୯ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ବେଳେ ୩ଜଣ ଯାଜପୁର ଓ ୨ଜଣ ବାଲେଶ୍ବର ଜିଲ୍ଲାର ରହିଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମିତ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି।ଏବେ ରାଜ୍ୟରେ ୬୦୪ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

ରାଜ୍ୟର ଆଉ ୨ଟି କେନ୍ଦ୍ରରେ କୋଭିଡ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛି। ବ୍ରହ୍ମପୁରସ୍ଥିତ ଆଇଜରକୁ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଖୋର୍ଧା ଜିଲ୍ଲାସ୍ଥିତ ଅରୁଗୁଳରେ ଥିବା ଇଣ୍ଟରନାସନାଲ ସେଣ୍ଟର ଫର୍‌ ଫୁଟ୍ ଏଣ୍ଡ ମାଉଥ୍‌ ଡିଜିଜ୍ (ଆଇସିଏଫ୍‌ଏମ୍‌ଡି) ମଧ୍ୟ କୋଭିଡ ନମୁନା ପରୀକ୍ଷା ଆରମ୍ଭ କରିଛି। ଯାହାଫଳରେ ରାଜ୍ୟରେ ଏବେ କୋଭିଡ ନମୁନା ପରୀକ୍ଷା କେନ୍ଦ୍ର ୧୧କୁ ବୃଦ୍ଧି ପାଇଛି। ଏହାସହ ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ କୋଭିଡ ନମୁନା ପରୀକ୍ଷା କରାଯାଇଛି। ତହିଁରେ ଆରଏମ୍‌ଆରସିରେ ୧୫୯୦, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ୧୪୨୫, ଏସ୍‌ସିବି ମେଡିକାଲରେ ୧୩୦୯ ଓ ଅନ୍ୟ କେନ୍ଦ୍ରକୁ ମିଶାଇ ୫୦୮୩ କୋଭିଡ ନମୁନା ପରୀକ୍ଷା ହୋଇଛି। ଫଳରେ ରାଜ୍ୟରେ ଏବେ ୯୧୨୨୩ କୋଭିଡ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର