ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ୧୧ ଜିଲ୍ଲାରେ ୧୧୩ ସଂକ୍ରମିତ, ଜଣେ ମୃତ

କରୋନା ସଂକ୍ରମିତ ହେଲେ ପୁଲିସ, ସଂକ୍ରମିତ ସଂଖ୍ୟା ୧ହଜାର ଟପିଲା, ସୁସ୍ଥ ହେଲେ ଆଉ ୩୦ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟର ୧୧ଟି ଜିଲ୍ଲାରୁ ୧୧୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଯାଜପୁର ଜିଲ୍ଲାରେ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୬ ରେ ପହଞ୍ଚିଛି। ତେବେ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଜଣେ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହ କଟକ ଜିଲ୍ଲାର ଜଣେ ୭୫ବର୍ଷର ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଏବେ ୫ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଆଉ ୩୦ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି।

ଯାଜପୁରରେ ଚିହ୍ନଟ ହୋଇଥିବା ୩୧ଜଣଙ୍କ ମଧ୍ୟରୁ ୩୦ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବା ବେଳେ ଜଣେ ତେଲେଙ୍ଗାନାରୁ ଆସିଛନ୍ତି। ଭଦ୍ରକର ୨୧ଜଣଙ୍କ ମଧ୍ୟରୁ ୧୨ଜଣ ପଶ୍ଚିମବଙ୍ଗ, ୨ଜଣ ତାମିଲନାଡ଼ୁ, ୬ଜଣ ଗୁଜୁରାଟ ଓ ଜଣେ ଆନ୍ଧ୍ରରୁ ଫେରିଛନ୍ତି। ଜଗତସିଂହପୁରର ୬ଜଣ, ଖୋର୍ଧାର ୨ଜଣଙ୍କ ମଧ୍ୟରୁ ସମସ୍ତେ ସୁରତ ଫେରନ୍ତା ଥିବା ବେଳେ ବାଲେଶ୍ବରରୁ ଚିହ୍ନଟ ହୋଇଥିବା ୨ ବ୍ୟକ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୁରୀର ୪ଜଣଙ୍କ ମଧ୍ୟରୁ ସମସ୍ତେ ସୁରତରୁ ଫେରିଥିବା ବେଳେ ସମ୍ବଲପୁରର ୨ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଛନ୍ତି। କେନ୍ଦ୍ରାପଡ଼ାର ୮ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଲେଖାଏ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଫେରିଥିବା ବେଳେ ୩ଜଣ ତାମିଲନାଡ଼ୁ ଓ ଜଣେ କର୍ଣ୍ଣାଟକରୁ ଫେରିଛନ୍ତି। କଟକର ୪ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଲେଖାଏ ମହାରାଷ୍ଟ୍ର, ତେଲେଙ୍ଗାନା ଓ ତାମିଲନାଡ଼ୁରୁ ଫେରିଥିବ‌ା ବ‌େଳେ ଜଣେ ସ୍ଥାନୀୟ ସଂକ୍ରମିତ। ନୟାଗଡ଼ର ଜଣେ ସୁରତରୁ ଫେରିଥିବା ବେଳେ ଖୋର୍ଧାର ୪ଜଣଙ୍କ ମଧ୍ୟରୁ ୨ଜଣ ସୁରତ ଫେରନ୍ତା ଥିବା ବେଳେ ଅନ୍ୟ ୨ଜଣ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି। ତହିଁରୁ ଜଣେ ୟୁନିଟ୍‌ ୬ ଓ ଜଣେ ୟୁନିଟ୍‌-୯ର ବୋଲି ଜଣାପଡ଼ିଛି। ସେହିପରି ବୌଦ୍ଧ ଜିଲ୍ଲାରେ ୨୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ତେବେ ରାଜ୍ୟରେ ପ୍ରଥମଥର ଲାଗି ଜଣେ ପୁଲିସ କରୋନାରେ ସଂକ୍ରମିତ ହୋଇଛନ୍ତି। ୩୬ବର୍ଷର ସଂପୃକ୍ତ ବ୍ୟକ୍ତି ଜଣକ ରିଜର୍ଭ ପୁଲିସ ପଡ଼ିଆ ୟୁନିଟ୍‌-୯ ଅଞ୍ଚଳରେ ରୁହନ୍ତି। ସେ ଛୁଟିରେ ଘରକୁ ଯାଇଥିବା ବେଳେ ଡ୍ୟୁଟିରେ ଯୋଗଦେବା ପୂର୍ବରୁ ତାଙ୍କର କୋଭିଡ ନମୁନା ପରୀକ୍ଷା କରାଯାଇଥିଲା। ତାଙ୍କର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ସେ ରାଜ୍ୟ ବାହାରର ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ତାଙ୍କୁ କୋଭିଡ କେୟାର କେନ୍ଦ୍ରକୁ ପଠାଇ ଦିଆଯାଇଥିବା ପୁଲିସ କମିସନର ସୂଚନା ଦେଇଛନ୍ତି।

ସଂକ୍ରମିତ ତାଲିକାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଏଠାରେ ୩୦୭ ସଂକ୍ରମିତ ଥିବା ବେଳେ ଯାଜପୁରରେ ୧୬୮, ବାଲେଶ୍ବର ୧୨୧ ଓ ଭଦ୍ରକ ଜିଲ୍ଲା ୯୫ରେ ପହଞ୍ଚିଛି। ଖୋର୍ଧା ୬୪, କେନ୍ଦ୍ରାପଡ଼ା ୩୮, ପୁରୀ ୩୩, ଜଗତସିଂହପୁର ୨୮, କଟକ ଓ ସୁନ୍ଦରଗଡ଼ ୨୭, ଅନୁଗୁଳ ୧୭, ମୟୂରଭଞ୍ଜ ୧୧, ନୟାଗଡ଼ ୧୦, କେନ୍ଦୁଝର ୮, ବଲାଙ୍ଗୀର ୬ ଓ ବୌଦ୍ଧରେ ୫ ସଂକ୍ରମିତ ରହିଛନ୍ତି। ଅନ୍ୟ ଜିଲ୍ଲାରେ ୫ରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ କଟକର ୭୫ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବା ସହିତ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ରହିଥିଲା। ଗତ ୧୭ତାରିଖରେ ଭୁବନେଶ୍ବର ଏମ୍‌ସରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ କିଛି ଘଣ୍ଟା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିବା ବେ‌ଳେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତହିଁରୁ ୨୦ଜଣ ଗଞ୍ଜାମ ଜିଲ୍ଲାର ଥିବା ବେଳେ ୫ଜଣ କେନ୍ଦ୍ରାପଡ଼ା, ୨ଜଣ ଲେଖାଏ ବାଲେଶ୍ବର ଓ ଭଦ୍ରକର ଥିବା ବେଳେ ଜଣେ ନୟାଗଡ଼ର ରହିଛନ୍ତି। ଯାହାଫଳରେ ଗଞ୍ଜାମ ଜିଲ୍ଲାରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଥିବା ବେଳେ ବାଲେଶ୍ବର ୨୭, ଭଦ୍ରକ ୨୩ରେ ପହଞ୍ଚିଛି।

ଏକ ଐତିହାସିକ ଘଟଣାକ୍ରମେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ୧ଲକ୍ଷ ପାର୍‌ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ ନମୁନା ୧ଲକ୍ଷ ୩୨ରେ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ୬୬୬ ଜଣ ସକ୍ରିୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ୮୬୬ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲର ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର