ଓଡ଼ିଶାରେ କରୋନା : ଦିନକରେ ସେଞ୍ଚୁରି, କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହ ଟପିଲା

ଗଞ୍ଜାମରେ ୨୧୦, ବାଲେଶ୍ବର ଶହେ ନିକଟତର
୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ସଙ୍ଗରୋଧରେ
ସୁସ୍ଥ ହେଲେ ୨୭, ୧୭ଦିନରେ ୪ଶହ ଆକ୍ରାନ୍ତ

ଭୁବନେଶ୍ବର : ଆଜି ଗୋଟିଏ ଦିନରେ କରୋନା ସେଞ୍ଚୁରୀ ମାରିଛି ଓଡ଼ିଶା। ୫ଟି ଜିଲ୍ଲାରୁ ଗୋଟିଏ ଦିନରେ ୧୦୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫ଶହ ପାର କରିଛି। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୨୭ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟ‌ରେ ଆଜି କରୋନା ସଂକ୍ରମିତ ଚିହ୍ନଟ ହେବାରେ ସର୍ବକାଳୀନ ରେକର୍ଡ କରିଛି। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୮୩ଜଣ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ୧୦୧ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ୫୨, ବାଲେଶ୍ବର ୩୩, ଯାଜପୁର ଓ ସୁନ୍ଦରଗଡ଼ରୁ ୭ଜଣ ଲେଖାଏଁ ଓ କେନ୍ଦୁଝରରୁ ୨ଜଣ ଚିହ୍ନଟ ହେବା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି। ଏହାସହ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଛି। ରାଜ୍ୟର କେବଳ ୩୯ ପ୍ରତିଶତ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି। ତେବେ ଯାଜପୁର ଜିଲ୍ଲାକୁ ପଛରେ ପକାଇ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ନିକଟତର ହୋଇଛି। ବାଲେଶ୍ବର ଜିଲ୍ଲାରେ ଏବେ ୯୦ ଆକ୍ରାନ୍ତ ଥିବା ବେଳେ ଯାଜପୁରରେ ୭୧, ଭଦ୍ରକରେ ୩୧, ସୁନ୍ଦରଗଡ଼ରେ ୨୩, ଅନୁଗୁଳ ୧୫, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ୯ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହୋଇଥିବା ୧୦୧ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରେ ୯୦, ସଂକ୍ରମଣ ଅବରୋଧ ଅଞ୍ଚଳରେ ୮ ଓ ଅନ୍ୟ ସ୍ଥାନରେ ୩ଜଣଙ୍କୁ ଚିହ୍ନଟ କରାଯାଇଛି। ଗଞ୍ଜାମର ୫୨ଜଣ, କେନ୍ଦୁଝରର ୨, ଯାଜପୁରର ୭, ବାଲେଶ୍ବରର ୩୩ଜଣଙ୍କ ମଧ୍ୟରୁ ୨୯ଜଣ ସଙ୍ଗରୋଧ କେନ୍ଦ୍ର, ଜଣେ ସଂକ୍ରମଣ ଅବରୋଧ ଅଞ୍ଚଳ ଓ ୩ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେହିପରି ସୁନ୍ଦରଗଡ଼ର ୭ଜଣଙ୍କ ମଧ୍ୟରୁ ସମସ୍ତ ସଂକ୍ରମିତ ରାଉରକେଲାର ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୭୨୭୫୬ କୋଭିଡ ନମୁନା ପରୀକ୍ଷା ହୋଇଛି। ଚିହ୍ନଟ ୫୩୮ ସଂକ୍ରମିତଙ୍କ ମଧ୍ୟରୁ ୪୬୮ଜଣ ପୁରୁଷ ଥିବା ବେଳେ ୭୦ଜଣ ମହିଳା ରହିଛନ୍ତି। ଏହାସହ ୩୯୨ଜଣ ସକ୍ରିୟ କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୦.୭୩ ପ୍ରତିଶତ ରହିଛି। ଏହାସହ ୫୩୦ଜଣ ହସ୍ପିଟାଲର ପୃଥକବାସରେ ରହିଛନ୍ତି।

ସୁସ୍ଥ ହେଲେ ଆଉ ୨୭
ରାଜ୍ୟରେ ଆଜି ୨୭ଜଣ ସଂକ୍ରମିତ କରୋନାରୁ ମୁକ୍ତ ହୋଇଛନ୍ତି। ବାଲେଶ୍ବର ୯, ଭୁବନେଶ୍ବର ୮, ଭଦ୍ରକ ୪, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ, କୋରାପୁଟ ଓ କେନ୍ଦୁଝରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୦ ସଂକ୍ରମିତଙ୍କ ମଧ୍ୟରୁ ୪୫ଜଣ ସୁସ୍ଥ ହୋଇଥିବା ବେଳେ ଆଉ ମାତ୍ର ୩ଜଣ ଚିକିତ୍ସିତ ହେଉଛନ୍ତି। କୋରାପୁଟ, ଢେଙ୍କାନାଳ, ଦେବଗଡ଼, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାରେ ଏବେ କୌଣସି ସକ୍ରିୟ କରୋନା ଆକ୍ରାନ୍ତ ନାହାନ୍ତି। ଗତକାଲି ରାଜ୍ୟରେ ୩୧ଜଣ ଯାଜପୁର ଜିଲ୍ଲାରୁ ସୁସ୍ଥ ହୋଇଥିଲେ।

୧୭ଦିନରେ ୪ଶହ ଆକ୍ରାନ୍ତ
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ମାର୍ଚ ୧୫ତାରିଖରେ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ରାଜ୍ୟରେ ଏହି ସଂଖ୍ୟା ୧୦୦ ଛୁଇଁବା ଲାଗି ୪୧ଦିନ ସମୟ ନେଇଥିଲା। ଏପ୍ରିଲ ୨୬ତାରିଖରେ ଶହେ ପାର କରିଥିଲା ରାଜ୍ୟ। ତେବେ ସୁରତ ଫେରନ୍ତାଙ୍କ ଯୋଗୁଁ ହଠାତ୍ ରାଜ୍ୟର ଚିତ୍ର ବଦଳି ଯାଇଥିଲା। ଏପ୍ରିଲ ୨୬ତାରିଖରୁ ମେ’୬ତାରିଖ ଭିତରେ ୨ଶହ, ୯ତାରିଖରେ ୩ଶହ, ୧୧ତାରିଖରେ ୪ଶହ ଓ ଆଜି ସଂକ୍ରମିତଙ୍କ ସଂଖ୍ୟା ୫ଶହ ପାର ହୋଇଯାଇଛି।

ସମ୍ବନ୍ଧିତ ଖବର