ରାଜ୍ୟରେ ଆଗକୁ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବ; ଏଥିପାଇଁ ବିଚଳିତ ନୁହେଁ, ସଂଗଠିତ ହେବାକୁ ପଡ଼ିବ: ବାଗଚୀ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯ର ଯେଉଁ ଚିତ୍ର ଓ ଚରିତ୍ର ଦେଖିବା ପାଇଁ ମିଳିଛି ସେଥିରୁ ଗୋଟିଏ ସ୍ପଷ୍ଟ ସଙ୍କେତ ମିଳିଛି ଯେ ଆଗାମୀ ଦିନରେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ଘଟିବ। ଆଉ ଏହା ହିଁ ହେଉଛି ବାସ୍ତବତା। ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ତେଣୁ ଏହାକୁ ନେଇ ରାଜ୍ୟବାସୀ ବିଚଳିତ ନୁହେଁ ବରଂ ସଂଗଠିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ବାଗଚୀ କହିଛନ୍ତି ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ପଜିଟିଭ୍‌ମାନଙ୍କର ଏକ ତୁଳନାତ୍ମକ ସମୀକ୍ଷା କଲାପରେ ଏହି ଆଭାସ ମିଳୁଛି। ସେ କହିଛନ୍ତି ରାଜ୍ୟରେ ପ୍ରଥମ ୫୦ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରିବାକୁ ଲାଗିଥିଲା ୨୭ ଦିନ। ଏହାପର ୫୦ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ୧୫ ଦିନରେ। ଏହାର ପର ୬ ଦିନ ଭିତରେ ଚିହ୍ନଟ ହୋଇଥିଲେ ଆଉ ୫୦ କରୋନା ପଜିଟିଭ୍‌। ଏହାପର ୫୦ ପଜିଟିଭ୍‌ଙ୍କୁ ଚିହ୍ନଟ କରା ଯାଇଥିଲା ୫ ଦିନରେ। ଏବଂ ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୦ କରୋନା ପଜିଟିଭ୍‌। ତେଣୁ, ଏହି ଗ୍ରାଫ୍‌ ସୂଚାଉଛି ଯେ ଆଗାମୀ ଦିନରେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଦ୍ରୃତ ବୃଦ୍ଧି ଘଟିବ। କାରଣ, ଏହାହିଁ ହେଉଛି ବାସ୍ତବତା ଓ ଆମ ସମସ୍ତଙ୍କୁ ଏହାକୁ ସ୍ୱୀକାର କରିବା ପାଇଁ ପଡ଼ିବ।
ତେବେ, ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାର ସ୍ଥିତି ତୁଳନାତ୍ମ ଭାବେ ବହୁତ ଭଲ ରହିଛି। ଏହାର ସମସ୍ତ ଶ୍ର୍ରେୟ ରାଜ୍ୟବାସୀଙ୍କର। ରାଜ୍ୟବାସୀଙ୍କ ଅସାଧାରଣ ତ୍ୟାଗ ଓ ନିୟନ୍ତ୍ରଣ ଫଳରେ ଏହା ସମ୍ଭବ ହୋଇ ପାରିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟକୁ ଫେରୁଥିବା ସମସ୍ତ ପ୍ରବାସୀ ନିଜକୁ ଶୃଙ୍ଖଳିତ କରି ରଖିବେ ଏବଂ ୨୮ ଦିନର ସଙ୍ଗରୋଧ ବା କ୍ୱାରେଣ୍ଟାଇନ୍‌କୁ ସମସ୍ତ ନୀତିନିୟମରର ସହ କଡ଼ାକଡ଼ି ଭାବେ ପାଳନ କରିବେ। ଏହାକୁ ଦୃଷ୍ଟିରେ ରଖି ୨୮ ଦିନର ସଙ୍ଗରୋଧ ବା କ୍ୱାରେଣ୍ଟାଇନ୍‌କୁ ମାନିବାକୁ ପ୍ରସ୍ତୁତ ନଥିବା ପ୍ରବାସୀ ଓଡ଼ିଶା ଫେରିବା କଥା ନୁହଁ। କାରଣ, ସେମାନେ ଅମାନିଆ ହୋଇ ବିଶୃଙ୍ଖଳିତ ହେଲେ ଉଭୟ ନିଜ ପରିବାର ଓ ରାଜ୍ୟ ପାଇଁ ବିପଦର କାରଣ ହେବେ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର