ରାୟଗଡ଼ା : ଭେଷଜ ନୀରିକ୍ଷକଙ୍କ ସମେତ ୪ କରୋନା ପଜିଟିଭ୍ ଚିହ୍ନଟ, ସିଡ଼ିଏମଓଙ୍କ ସମେତ ସବୁ କର୍ମଚାରୀ କ୍ୱାରାଣ୍ଟିନରେ

କୋଲନରା, କାଶୀପୁର ଟିଏମସି ଓ ଅନାଗାର ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ମେଡ଼ିକାଲ୍ କଲୋନି ସିଲ୍ କଲା ଜିଲ୍ଲା ପ୍ରଶାସନ
ପ୍ରଥମ ସଂକ୍ରମିତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ ୩ ଆକ୍ରାନ୍ତ

ରାୟଗଡ଼ା : ଜିଲ୍ଲା ଭେଷଜ ନୀରିକ୍ଷକଙ୍କ ସମେତ ଆଜି ଜିଲ୍ଲାରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ପ୍ରଥମ ସଂକ୍ରମିତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ତାହାର ଖୋଳତାଡ଼ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। ସଂକ୍ରମିତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ଅଫିସ୍ କର୍ମଚାରୀ ସଂସ୍ପର୍ଶରେ ଆସିଥିବାରୁ ସିଡ଼ିଏମଓଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କ୍ୱାରାଣ୍ଟିନରେ ରହିଛନ୍ତି। ଗୋଟିଏ ଦିନରେ ୪ ପଜିଟିଭ୍ ଚିହ୍ନଟ ପରେ ସମସ୍ତ ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।

ଆଜିର ୪ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ୪ ପଜିଟିଭ୍‌ଙ୍କ ମଧ୍ୟରୁ ୩ ଦିଲ୍ଳୀ ଫେରନ୍ତା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିଲେ। ପ୍ରଥମ ସଂକ୍ରମିତ ଯୁବତୀଙ୍କ କଣ୍ଟାକ୍ଟ ଟ୍ରେସିଂ ଅନୁଯାୟୀ କାଶୀପୁର ବ୍ଲକର ୨ ଏବଂ କୋଲନରା ବ୍ଲକର ଜଣଙ୍କୁ ଅଣାଯାଇ ତାଡ଼ମା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ କୋଲନରା, ଅନାଗାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଦୁଇ ମହିଳା ଓ କାଶୀପୁର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଷ ସଂକ୍ରମିତଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନସ୍ ମାଧ୍ୟମରେ ଗଜପତି କୋଭିଡ଼୍ ହସପିଟାଲାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଭେଷଜ ନୀରିକ୍ଷକ ଭାବେ କାମ କରୁଥିବା ଅଧିକାରୀଙ୍କ ନିକଟରେ ଲକ୍ଷଣ ଅନୁମାନ କରିବା ପରେ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଗତ ସପ୍ତାହକ ମଧ୍ୟରେ ଭେଷଜ ନୀରିକ୍ଷକ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କଠୁ ଆରମ୍ଭ କରି ବିଭିନ୍ନ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ସ୍ୱାବ ପରୀକ୍ଷା ପାଇଁ ଯିବା ଦିନଠୁ ରାୟଗଡ଼ା ସହରର ରାଣୀଗୁଡ଼ା ଫାର୍ମରେ ମିନି ମେଡ଼ିକାଲ୍ କଲୋନୀ କ୍ବାର୍ଟର୍ସରେ ସେ କ୍ବାରାଣ୍ଟିନରେ ରହି ଆସୁଥିଲେ। ସ୍ୱାବ ପଜିଟିଭ୍ ଆସିବା ପରେ ତାଙ୍କୁ ମଧ୍ୟ ଗଜପତି କୋଭିଡ଼୍ ହସପିଟାଲାକୁ ସ୍ଥାନାନ୍ତର କରାଯାଇଛି। ମିନି ମେଡ଼ିକାଲ୍ କଲୋନିକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରି ସିଲ୍ କରିଛି।

ସେହିପରି କାଶୀପୁର ସେବାଶ୍ରମ ସ୍କୁଲ୍, ଅନାଗାର ଏବଂ କୋଲନରା ସେବାଶ୍ରମରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି। କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ଦୋକାନ, ବଜାର ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ହୋଇଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଅନ୍ୟମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି। ସନ୍ଦେହରେ ଥିବା ଅନ୍ତେବାସୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ତୁରନ୍ତ ପଠାଇବାକୁ ନିଷ୍ପତ୍ତି ହୋଇଛି। ସଂକ୍ରମିତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସ୍ୱାବ ସଂଗ୍ରହ ଭଳି ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ସିଡିଏମଓ କାର୍ଯ୍ୟାଳୟକୁ ନିୟମିତ ଯାତାୟାତ କରୁଥିବାରୁ ସିଡ଼ିଏମଓ ଡା. ଆର୍ତବନ୍ଧୁ ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟ ସ୍ୱାବ ସଂଗ୍ରହ କରାଯାଇଛି। ସମସ୍ତଙ୍କୁ ହୋମ କ୍ବାରାଣ୍ଟିନରେ ରହିବାକୁ ନିର୍ଦେଶ ହୋଇଛି। ସିଡିଏମଓ ଅଫିସ୍ ସମେତ ସମସ୍ତ କଣ୍ଟେନମେଣ୍ଟ ଜୋନକୁ ବିଶୋଧନ କରାଯାଇଛି।

କଣ୍ଟେନମେଣ୍ଟ୍ ଜୋନରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହ ସମସ୍ତ ପଦକ୍ଷେପ ନେବାକୁ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ରାୟଗଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ, କୋଲନରା ବିଡ଼ିଓ ତାପସ କୁମାର ଭୋଇ, ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା, ସାନିଟାରୀ ଇନସପେକ୍ଟର ଭି. ରାଜୁ, କାଶୀପୁର ଏବିଡ଼ିଓ ବଳରାମ ପାତ୍ର, କାଶୀପୁର ମେଡ଼ିକାଲ୍ ଅଫିସର୍, ତହସିଲଦାର ଶରତ ଶବର, କୋଲନରା ତହସିଲଦାର ମାନସି ନାୟକ, ମେଡ଼ିକାଲ୍ ଅଫିସର କୋଲନରାକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଜିଲ୍ଲାରୁ ୨୨ଟି ପର୍ଯ୍ୟାୟରେ ୨୩୨୬ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ୨୩୧୯ ରିପୋର୍ଟ ନେଗେଟିଭ୍ ଏବଂ ୭ ରିପୋର୍ଟ ପଜିଟିଭ୍ ଆସିଛି।

ସମ୍ବନ୍ଧିତ ଖବର