୩୩ ଜେଲରେ ୮୧୬ କଏଦୀ କରୋନା ପଜିଟିଭ୍

ଆଗୁଆ ମୁକାବିଲା ପାଇଁ ସବଜେଲକୁ ୧୫, ଜିଲ୍ଲା ଜେଲକୁ ମିଳିଛି ୨୫ ହଜାର ଟଙ୍କା
ସ୍ଥାନାନ୍ତର ହୋଇଛନ୍ତି ୬୫୮ କଏଦୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜେଲରେ କୋଭିଡ୍‌ ଆକ୍ରାନ୍ତ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଝାରପଡ଼ା ସମେତ କେତେକ ଜେଲ ଚିନ୍ତା ବଢ଼ାଇଛନ୍ତି। ରାଜ୍ୟରେ ୮୭ଟି ଜେଲ ମଧ୍ୟରୁ ୩୩ଟିରେ ୮୧୬ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨୦ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ୫୪ ଜେଲରେ କେହି ଆକ୍ରାନ୍ତ ହୋଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଜେଲରୁ କଏଦୀଙ୍କ ସଂଖ୍ୟା କମାଇବା ଲାଗି ଚେଷ୍ଟା ଜାରି ରହିଛି। ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ଅନୁସାରେ, ଏହି ପ୍ରକ୍ରିୟା ଜାରି ରହିଛି। ମେ’ ୧ ତାରିଖ ସୁଦ୍ଧା ରାଜ୍ୟର ୮୭ ଜେଲରେ ୨୦୧୫୦ ଜଣ କଏଦୀ ରହିଥିଲେ, ଯାହା କ୍ଷମତାଠାରୁ ଅଧିକ ରହିଥିଲା। ମେ’ ୨୬ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୮୫୮୦ ରହିଛି। ପ୍ରାୟ ଦେଢ଼ ହଜାର କଏଦୀ ମୁକୁଳି ସାରିଲେଣି। ସେହିପରି ଅଧିକ କଏଦୀ ଥିବା ଜେଲରୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ୬୫୮ଜଣ କଏଦୀଙ୍କୁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରାଯାଇଛି। କୋଭିଡ୍ ମୁକାବିଲା ସହ ମେଡିସିନ୍ ଓ ଆଗୁଆ ପଦକ୍ଷେପ ନେବା ପାଇଁ ଜେଲଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସବଜେଲକୁ ୧୫ ହଜାର ଏବଂ ଜିଲ୍ଲା ଓ ସ୍ବତନ୍ତ୍ର ଜେଲକୁ ୨୫ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅଗ୍ନିଶମ ବାହିନୀ ସହାୟତାରେ ଜେଲ ଓ୍ଵାର୍ଡ ଓ କ୍ୟାମ୍ପସକୁ ନିୟମିତ ବିଶୋଧନ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି।

ସମ୍ବନ୍ଧିତ ଖବର