ଭୁବନେଶ୍ବର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩ଟି ଜିଲ୍ଲାରୁ ଏହି ସଂକ୍ରମିତମାନଙ୍କୁ ଚିହ୍ନଟ କରାଯାଇଛି। ଗତକାଲିର ସଂଖ୍ୟା ୯୦ ଥିବା ବେଳେ ଆଜି କଟକ ଜିଲ୍ଲାରେ ୧୩ଜଣ ଚିହ୍ନଟ ହେବା ପରେ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୪୯୧ରେ ପହଞ୍ଚିଛି। ତେବେ ଗତ ଦୁଇ ଦିନରେ ୨୨ଜଣ ସ୍ଥାନୀୟ ସଂକ୍ରମିତ (ବାହାର ରାଜ୍ୟ ଫେରନ୍ତା ନୁହେଁ) ଚିହ୍ନଟ ହେବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏମ୍‌ସ ଭୁବନେଶ୍ବରର ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

Advertisment

ଖୋର୍ଧା ଜିଲ୍ଲାରେ ୨୫ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ଜଣଙ୍କ ସଂପର୍କରେ ତଥ୍ୟ ଦିଆଯାଇଥିଲା ଓ ଆଜି ଅତିରିକ୍ତ ୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୨୨, ଢେଙ୍କାନାଳ ୧୦, ନୟାଗଡ଼ ୭, ସୁନ୍ଦରଗଡ଼ ୫, ଭଦ୍ରକ ୯, ପୁରୀ ୨, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ଅନୁଗୁଳ ଓ ବାଲେଶ୍ବର ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କଟକରେ ଗତକାଲି ୫ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସଂଧ୍ୟାରେ ଆହୁରି ୧୩ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ୯୦ଜଣ ସଂକ୍ରମିତଙ୍କ ସଂପର୍କ‌ରେ ସୂଚନା ଦିଆଯାଇଛି, ତହିଁରୁ ୭୯ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସର୍ବାଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଠାରେ ରୋଗୀଙ୍କ ସଂଖ୍ୟା ୫୨୧ରେ ପହଞ୍ଚିଥିବା ବେଳେ ଯାଜପୁର ୨୯୦, ଖୋର୍ଧା ୧୯୫, ବାଲେଶ୍ବର ୧୭୯, କେନ୍ଦ୍ରାପଡ଼ା ୧୬୧, କଟକ ୧୪୪, ଭଦ୍ରକ ୧୩୨, ବଲାଙ୍ଗୀର ୧୦୨, ପୁରୀ ୯୮ ଜଣଙ୍କୁ ଚିହ୍ନଟ କରାଯାଇଛି।

publive-image

ଅପରପକ୍ଷରେ ଆଜି ରାଜ୍ୟରେ ୬୫ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ଗଞ୍ଜାମ ୧୪, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ୧୦ଜଣ ଲେଖାଏଁ, ଭଦ୍ରକ ୮, କେନ୍ଦୁଝର ୭, ବଲାଙ୍ଗୀର ୬, ଖୋର୍ଧା ୩, ବାଲେଶ୍ବର ଓ ଯାଜପୁରରୁ ୨ଜଣ ଲେଖାଏଁ, ଢେଙ୍କାନାଳ, ଝାରସୁଗୁଡ଼ା ଓ କନ୍ଧମାଳରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୪୮୧ରେ ପହଞ୍ଚିଛି। ୧୦୦୧ଜଣ ସକ୍ରିୟ କରୋନା ରୋଗୀ ରାଜ୍ୟରେ ଏବେ ଚିକିତ୍ସିତ ହେଉଛନ୍ତି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୬୫ହଜାର ୮୨୪ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ମାତ୍ର ୨୯୩୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି।