ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ବରର ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ୭ଜଣ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭ ଜଣଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ପତ୍ନୀ,ଝିଅ ଓ ଭଡ଼ାଟିଆ ଅଛନ୍ତି। ଫଳରେ ଆଜି ଭୁବନେଶ୍ବରରେ ସମୁଦାୟ ୧୦ ଜଣ ଚିହ୍ନଟ ହୋଇଛନ୍ତି।
ଏଥିସହ ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ସଂକ୍ରମଣର ଶିକାର ହୋଇଥିବା ସେମାନଙ୍କ ସ୍ବାବ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଏହା ବାଦ୍ ପୁଣି ଭଦ୍ରକରୁ ୨ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ସକାଳେ ରାଜ୍ୟର ଷଷ୍ଠ ଆକ୍ରାନ୍ତ କଟକରୁ ଠାବ ହୋଇଥିଲେ। ଏହାପରେ ସଂଧ୍ୟାରେ ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ ଏକାବେଳେକେ ୩ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।
15 #COVID19 Positive cases confirmed in #Odisha Today.
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of BhadrakTotal positive cases in #Odisha: 20
— I & PR Department, Odisha (@IPR_Odisha) April 3, 2020
ଫଳରେ କେବଳ ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି, ଯାହା ସମଗ୍ର ରାଜ୍ୟର ଚିନ୍ତାର ବିଷୟ ପାଲିଟିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳେ ରାଜ୍ୟର ଷଷ୍ଠ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଷଷ୍ଠ ଆକ୍ରାନ୍ତଙ୍କ ଘର କଟକ ସହରରେ ଏବଂ ସେ ନିକଟରେ ଦିଲ୍ଲୀ ଯାଇ ନିଜାମୁଦ୍ଦିନରେ ତବଲିଗି ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହାର ଠିକ ପରେ ପରେ ଭୁବନେଶ୍ବରର ବମିଖାଲ ଅଂଚଳରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଘଟଣା ରାଜ୍ୟବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି।
ସେହିପରି ଏପ୍ରିଲ୍ ପହିଲା ଦିନ ରାଜ୍ୟର ୫ମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା ୬୦ ବର୍ଷୀୟ ପ୍ରଦୀପ୍ତ ଦଳବେହେରା ବହୁବିଧ ବ୍ୟାଧିରେ ପୀଡ଼ିତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ । ଏହାପରେ ମାର୍ଚ୍ଚ ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ୩୧ ତାରିଖରେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ। ପଞ୍ଚମ ଆକ୍ରାନ୍ତ ଏପ୍ରିଲ ପହିଲାରେ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୩ ତରିଖରେ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଉଭୟ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି।
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତିନିଟି ସହର-ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮-ଘଣ୍ଟିଆ ସଟଡାଉନ ବା ସଂପୂର୍ଣ ବନ୍ଦ ଘୋଷଣା କରିଛନ୍ତି । ଏହି ସଟଡାଉନ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଛି । କିଛି ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟସବୁକିଛି ଏହି ସମୟରେ ବନ୍ଦ ରହିଛି।