ଜୁନ୍‌ ଶେଷ ସୁଦ୍ଧା ୫ଶହ ସଂକ୍ରମିତଙ୍କ ହେବ ଜେନେଟିକ୍ ଅନୁଶୀଳନ

ପଜିଟିଭ୍ ବ୍ୟକ୍ତିଙ୍କର ଦୁଇଥର ପରୀକ୍ଷା ହେଉଛି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ହୋଲ୍‌ ଜିନୋମ୍ ଅନୁଶୀଳନ କରିବ ଜୀବବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌)। ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଭୂତାଣରୁ କେଉଁ ଷ୍ଟ୍ରେନ୍‌ ଅଧିକ ରହୁଛି ତାହାର ଅଧ୍ୟୟନ କରାଯିବ। ଏହାଏକ ଉଚ୍ଚତର ଗବେଷଣା ହୋଇଥିବାରୁ ଆସନ୍ତା ଜୁନ୍ ଶେଷ ସୁଦ୍ଧା ୫ଶହ ସଂକ୍ରମିତଙ୍କ ଅନୁଶୀଳନ କରାଯିବ ବୋଲି ପ୍ରତିଷ୍ଠାନର ମୁଖ୍ୟ ଡା.ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ଡା.ପରିଡ଼ା କହିଛନ୍ତି, ଜୀବବିଜ୍ଞାନ ପ୍ରତିଷ୍ଠା ଏକ ଗବେଷଣାଭିତ୍ତିକ ଅନୁଷ୍ଠାନ। ଆଗାମୀ ଦିନରେ ୫ଟି ଗବେଷଣା କାର୍ଯ୍ୟ ହାତକୁ ନିଆଯାଇଛି। କରୋନା ନିୟନ୍ତ୍ରଣ ପାଇଁ ରୋଗ ପ୍ରତିରୋଧକ ଶକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଲୋକଙ୍କ ଶରୀରରେ ରୋଗ ରହିଛି, ମାତ୍ର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଅନେକଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଲକ୍ଷଣ ଦେଖାଯାଉଛି। ତେଣୁ ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତିର ଅନୁଶୀଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହାସହ କୋଭିଡ-୧୯ ପାଇଁ କେଉଁ ଔଷଧ କାମ ଦେଉଛି ତାହାର ମଧ୍ୟ ଗବେଷଣା କରାଯିବ। ପ୍ରତିଷ୍ଠାନର କେମିକାଲ କମ୍ପାଉଣ୍ଡ ପରୀକ୍ଷାଗାରରେ ଅନେକ ଔଷଧ ରହିଛି। ତେଣୁ ଏହାର ସ୍କ୍ରିନିଂ କରାଯାଇ କେଉଁ ଔଷଧ କରୋନା ପାଇଁ ଉପଯୁକ୍ତ ହୋଇପାରିବ ତାହାର ଅନୁଶୀଳନ କରାଯିବ। ଏହାସହ ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତ, ଶିମିଳିପାଳ ଓ ସାମୁଦ୍ରିକ ଉତ୍ସକୁ ସଂଗ୍ରହ କରାଯାଇ ଥଣ୍ଡା ପାଇଁ ବ୍ୟବହୃତ ହେଉଥିବା ଔଷଧୀୟ ବୃକ୍ଷକୁ ଔଷଧ ପ୍ରସ୍ତୁତ ଦିଗରେ ମଧ୍ୟ ଗବେଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ କରୋନା ପାଇଁ ଟିକା ଗୁରୁତ୍ବପୂର୍ଣ୍ଣ। ଟିକା ବିକଶିତ ହେବା ପରେ ଏହା ସିଧାସଳଖ ମଣିଷ ଶରୀରରେ ପରୀକ୍ଷା ହୋଇପାରିବ ନାହିଁ। ଏଥିପାଇଁ ପ୍ରଥମେ ମୂଷା ଭଳି କ୍ଷୁଦ୍ର ପ୍ରାଣୀଙ୍କ ଶରୀରରେ ପରୀକ୍ଷା କରାଯିବ। ତେଣୁ ପ୍ରତିଷ୍ଠାନ ପକ୍ଷରୁ ଏକ ଆନିମଲ ମଡେଲରେ ଟିକାକୁ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଆରଏମ୍‌ଆରସି, କିଟ୍, ସୋଆ ଓ ନାଇଜର ଭଳି ପ୍ରତିଷ୍ଠାନ ସହ ମିଶି ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି।

ଅପରପକ୍ଷରେ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏ ପର୍ଯ୍ୟନ୍ତ ୧୩୧୨୧ କୋଭିଡ ନମୁନା ପରୀକ୍ଷା କରାଯାଇଛି। କୋଭିଡ ନମୁନା ପରୀକ୍ଷା କରିବାରେ ଆଇଏଲଏସ୍ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। ଯେଉଁ ସଂକ୍ରମିତଙ୍କ ନମୁନା ପଜିଟିଭ୍ ଆସୁଛି ତାହାକୁ ପୁନର୍ବାର ପରୀକ୍ଷା କରାଯାଉଛି। ଏହାପରେ ରାଜ୍ୟ ସରକାରଙ୍କୁ ପଜିଟିଭ୍ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦିଆଯାଉଛି। ନମୁନା ପରୀକ୍ଷା ପାଇଁ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକ ଓ କର୍ମଚାରୀମାନଙ୍କ ପ୍ରତି ସପ୍ତାହରେ କୋଭିଡ ପରୀକ୍ଷା କରାଯାଉଛି। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀ କରୋନା ସଂକ୍ରମିତ ହୋଇ ନ ଥିବା ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର