କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ଅଭିଯୋଗ ପ୍ରସଂଗ : ସରକାର ରଖିଲେ ପକ୍ଷ; ଜୁନ୍ ୨୫ରେ ପରବର୍ତ୍ତୀ ଶୁଣାଣି

ଦୁଇଦିନ ସଟ୍‌ଡାଉନ ନିୟମକୁ ହାଇକୋର୍ଟରେ ଚାଲେଞ୍ଜ

କଟକ : କରୋନା ଭୂତାଣୁ ସଂକ୍ରମିତ (କୋଭିଡ-୧୯ ପଜିଟିଭ୍) ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବା ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ସଂକ୍ରମିତଙ୍କ ପରିଚୟ ବାହାରେ ପ୍ରକାଶ ନ ପାଇବ ସେଥିପାଇଁ କ’ଣ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୫ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମିତଙ୍କ ନାଁ ବାହାରେ ପ୍ରକାଶ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ନିୟମାବଳୀ ଜାରି କରିଥିବାବେଳେ ଏହା ଉଲ୍ଲଂଘନ କରାଯାଉଛି ବୋଲି ଅଭିଯୋଗ କରି ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ସଂକ୍ରମିତଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ସାମାଜିକ ବାସନ୍ଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଜୀବନ ଓ ଜୀବକା ହରାଉଛନ୍ତି। କରୋନ ଭୂତାଣୁ ସଂକ୍ରମଣ ଜନିତ ରୋଗରୁ ସୁସ୍ଥ ହେବା ପରେ ମଧ୍ୟ ସମାଜରେ ଅନ୍ୟମାନେ ଏହି ବ୍ୟକ୍ତିଙ୍କ ସହିତ ସାମାଜିକ ସଂପର୍କ ରଖୁ ନଥିବା ଭଳି ଘଟଣା ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ୧୩ ଜଣ କରୋନା ସଂକ୍ରମିତଙ୍କ ତଥ୍ୟ ବାହାରେ ନିୟମ ଉଲ୍ଲଂଘନ କରି ପ୍ରକାଶ କରାଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଥିଲେ।

ଦୁଇଦିନ ସଟ୍‌ଡାଉନ ନିୟମକୁ ହାଇକୋର୍ଟରେ ଚାଲେଞ୍ଜ
କଟକ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୦ ଜୁନ୍ ୧ରେ ଜାରି କରିଥିବା ନୂଆ ନିୟମାବଳୀରେ ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ ସଂପର୍କିତ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ଆଇନସେବା ସଂସ୍ଥା ‘କ୍ଲାପ୍’ ସଭାପତି ଡକ୍ଟର ବିକାଶ ଦାସଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ନିୟମାବଳୀ ଗୋଟିଏ ପ୍ରକାର ରହିଥିବାବେଳେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କେଉଁ ଆଧାରରେ ସପ୍ତାହର ଶେଷ ଦୁଇଦିନ ଏପରି ଲକ୍‌ଡାଉନ ଘୋଷଣା କରିବା ପାଇଁ ନିଷ୍ପତ୍ତି ନିଆଗଲା ଓ ଏହା ପଛରେ କଣ କାରଣ ରହିଛି ତାହା ଅସ୍ପଷ୍ଟ। ସପ୍ତାହର ଅନ୍ୟ ଦିନଗୁଡିକୁ କ’ଣ ପାଇଁ ଛାଡ଼ି ଏହି ଦୁଇଦିନକୁ ଲକ୍‌ଡାଉନ୍‌ ପାଇଁ ଚୟନ କରାଗଲା ତାକୁ ନେଇ ମଧ୍ୟ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି ନିଷ୍ପତ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର ଓ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର