ସୁରତ ଫେରନ୍ତା ଦେଲେ ଖୁସି ଖବର: ଯାଆଁଳା ଶିଶୁ ଜନ୍ମ କଲେ କରୋନା ଆକ୍ରାନ୍ତ ମହିଳା

ବ୍ରହ୍ମପୁର: କରୋନା ପଜିଟିଭ୍‌ରେ ଆକ୍ରାନ୍ତ ଜନୈକା ପ୍ରସୂତି ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ଘଟିଛି। କିନ୍ତୁ ମା’ ଓ ଝିଅ ସୁସ୍ଥ ରହିଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ମହିଳା ଜଣକ ବୁଗୁଡ଼ା ଥାନା ଅଞ୍ଚଳର ବୋଲି ପ୍ରଫେସର ମିଶ୍ର କହିଛନ୍ତି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ସୁରତରେ ରହୁଥିଲେ। ଗତ କିଛିଦିନ ତଳେ ସେମାନେ ଘରକୁ ଫେରିଥିଲେ। ମହିଳା ଜଣକ ଗର୍ଭବତୀ ଥିଲେ। ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା।

ଗତ ୯ତାରିଖରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୦ତାରିଖରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ୧୧ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମହିଳାଙ୍କୁ ଶୀତଳାପଲ୍ଲୀ ସ୍ଥିତ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କୁ ପ୍ରସବ ବେଦନା ହୋଇଥିଲା। ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡାକ୍ତରଙ୍କୁ ସେଠାକୁ ପଠାଯାଇଥିଲା। ସେଠାରେ ପ୍ରସବ ପାଇଁ କୌଣସି ସୁବିଧା ନଥିବାରୁ ମହିଳା ଜଣଙ୍କୁ ପୁଣିଥରେ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କୁ କାଜୁଆଲ୍‌ଟି କୋଠାରେ ରଖାଯାଇଥିଲା।

New Indian Express

ଆଜି ସକାଳେ ମହିଳା ଜଣକ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ। ଶିଶୁପୁତ୍ରର ଓଜନ କମ୍‌ ଥିବାରୁ ତାର ଅବସ୍ଥା ସଂକଟାପନ୍ନ ଥିଲା। ଝିଅର ଅବସ୍ଥା ଭଲ ଥିଲା। ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ଚେଷ୍ଟା ପରେ ମଧ୍ୟ ଶିଶୁପୁତ୍ରକୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ହଠାତ୍‌ ତାର ହୃଦସ୍ପନ୍ଦନ ବନ୍ଦ ହୋଇଯିବାରୁ ନବଜାତ ପୁତ୍ରର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ମା’ ଓ ଝିଅକୁ ବଡ଼ ଡାକ୍ତରଖାନା ସଙ୍ଗରୋଧ କେନ୍ଦ୍ରରେ ପୃଥକ୍‌ ପୃଥକ୍‌ ସ୍ଥାନରେ ରଖାଯାଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି। ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତର ନିୟୋଜିତ ରହିଛନ୍ତି। ମହିଳାଙ୍କ ସ୍ବାମୀଙ୍କ କୌଣସି ଲକ୍ଷଣ ନଥିବାରୁ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇ ନ ଥିଲା। ସ୍ବାବ୍‌ ପରୀକ୍ଷା ପରେ ସେ ପଜିଟିଭ୍‌ କି ନୁହଁ ତାହା ସ୍ପଷ୍ଟ ହେବ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର