କରୋନା ରୋଗୀଙ୍କ ପରିଚୟ ପ୍ରସଙ୍ଗ : ହାଇକୋର୍ଟରେ ମାମଲା, ସରକାରଙ୍କୁ ଜବାବ ତଲବ

କଟକ : କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ପରିଚୟ ପ୍ରକାଶ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ଆଜି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର୍‌ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମିତ ଓ ସନ୍ଦିଗ୍ଧଙ୍କ ପରିଚୟ ଗୋପନ ରଖିବା ପ୍ରସଂଗରେ ରହିଥିବା ନିୟମାବଳୀ ଓ ସ୍ଥିତି ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ଜୁନ୍ ୪କୁ ଧାର୍ଯ୍ୟ କରାଯାଇଛି।

ମାମଲାରେ ଆବଦେନକାରୀ ଦର୍ଶାଇଛନ୍ତି ଯେ କୌଣସି ଗଣମାଧ୍ୟମ ବା ବ୍ୟକ୍ତି କରୋନା ସଂକ୍ରମିତଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ ନ କରିବାକୁ ସରକାର ନିୟମ କରିଥିଲେ। ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍) ମଧ୍ୟ କରୋନା ରୋଗୀଙ୍କ ପରିଚୟ ବାହାରେ ପ୍ରକାଶ ନ କରିବାକୁ କହିଥିଲା। କିନ୍ତୁ କେତେକ ରାଜ୍ୟରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା। ଏହା ଦ୍ବାରା ସଂପୃକ୍ତ ରୋଗୀ ସାମାଜିକ ବାସନ୍ଦ ଓ ଅନ୍ୟ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା। ଏପରିକି କରୋନା ଯୁଦ୍ଧରେ ମୁଖ୍ୟ ପୁରୋଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀମାନେ ମଧ୍ୟ ସାମାଜିକ ନିନ୍ଦା ଓ ବାସନ୍ଦର ଶିକାର ହେଉଥିବା ଖବର ମିଳୁଛି। ସରକାର କିନ୍ତୁ କରୋନା ସଂକ୍ରମିତ ଓ ସନ୍ଦିଗ୍ଧଙ୍କ ପରିଚୟ ଗୋପନ ରଖିବା ପ୍ରସଂଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟର ପଞ୍ଚମ କରୋନା ସଂକ୍ରମିତଙ୍କ ନାଁ ଓ ଘର ଠିକଣା,‌ ସେ କାହା ସଂସ୍ପର୍ଶରେ ଆସିଥିଲେ ଜାଣିବା ପାଇଁ ଆବଶ୍ୟକ ଦର୍ଶାଇ ତାଙ୍କ ନାମ ବାହାରେ ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୧୩ ଜଣ କରୋନା ସଂକ୍ରମିତଙ୍କ ପରିଚୟ, ବୟସ, ଠିକଣା ବାହାରେ ପ୍ରକାଶ କରାଯାଇଥିଲା। ଏଭଳି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେଣୁ ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋ‌ଷୀଙ୍କୁ ଦଣ୍ଡିତ କରାଯାଉ। ଭବିଷ୍ୟତରେ ‌ଯେପରି ଏଭଳି ଘଟଣା ନ ହେବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ଆଶୁତୋଷ ସାହୁ, ଶ୍ବେତଲିନା ଦାଶ ଓ ସ୍ମୃତି ମହାନ୍ତି ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର