ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତଙ୍କ ବଡ଼ବାପା

ବଲାଙ୍ଗୀର/ତୁଷୁରା : ବଲାଙ୍ଗୀର ଜିଲ୍ଲାରେ ଦୁଇଟି କରୋନା ପଜିଟିଭ ବାହାରିବା ପରେ ଲିଖିରଆ ଗାଁ ଚର୍ଚ୍ଚାରେ ରହିଛି। ଏହା ସଂଲଗ୍ନ ୨୪ଟି ଗାଁରେ ପ୍ରଶାସନ ଦ୍ବାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାରି ଭିତରେ ଜଣେ କରୋନା ପଜିଟିଭ୍‌ଙ୍କ ବଡ଼ବାପା ଶୁକଦେବ ଭୋଇ(୫୦ବର୍ଷ) ପିନ୍ଧା ଲୁଙ୍ଗିରେ ପଥର ବାନ୍ଧି କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ପୁଲସ ସୂତ୍ରରୁ ପ୍ରକାଶ ଯେ, ତାମିଲନାଡ଼ୁରୁ ଫେରିଥିବା ଦୁଇଜଣ ଯୁବକଙ୍କ ସ୍ବାବ୍‌ ନମୁନା ପରୀକ୍ଷା ରିପୋର୍ଟ ଶୁକ୍ରବାର ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଉଭୟ ଆକ୍ରାନ୍ତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ସହ ପୁଲିସ ଗାଁକୁ ଆସିଥିଲା। ପୂର୍ବରୁ ପୁଲିସକୁ ଭୟ କରୁଥିବା ଶୁକଦେବ ଛାନିଆରେ ଲୁଚି ଯାଇଥିଲେ। ତାଙ୍କର କୌଣସି ସନ୍ତାନ ନଥିବାରୁ କରୋନା ଆକ୍ରାନ୍ତ ଯୁବକଙ୍କୁ ପୁଅ ଭଳି ଦେଖୁଥିଲେ। ଅଜଣା ରୋଗରେ ତାଙ୍କ ବଡ଼ପୁଅ (ସାନ ଭାଇର ପୁଅ) ଆକ୍ରାନ୍ତ ହେବା ଓ ରୋଗ ଯୋଗୁଁ ତାଙ୍କୁ ପୁଲିସ ନେଇଯାଇଥିବା ଘଟଣାରେ ସେ ବିଚଳିତ ହୋଇପଡ଼ିଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ପରିବାର ଲୋକେ ରାତିରେ ତାଙ୍କୁ ମଝିରେ ରଖି ଶୋଇଥିଲେ। ହେଲେ ସକାଳୁ ପରିବାର ଲୋକେ ପାଇ ନଥିଲେ। ପୁଲିସ ଭୟରେ ତୁଷୁରା ଏନ୍‌ଏସି ଅନ୍ତର୍ଗତ ନଅଗାଁ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ସନ୍ଦେହ କରି କେହି ଖୋଜାଖୋଜି କରି ନଥିଲେ। ଦିନକ ପରେ ସେଠାରେ ନଥିବା ଖବର ପାଇ ଦିନସାରା ଆଖପାଖ ଗାଁଗୁଡ଼ିକରେ ଖୋଜି ପତ୍ତା ପାଇଲେ ନାହିଁ। ବୁଧବାର ସକାଳେ ଗାଁର ଏକ କୂଅରେ ଶୁକଦେବଙ୍କ ଶବ ଭାସୁଥିବା ମହିଳାମାନେ ଦେଖିଥିଲେ। ପୁଲିସକୁ ସୂଚନା ଦେବା ପରେ ଶବ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର