ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ୮ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୯୫ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୬ହଜାର ୯୪କୁ ବୃଦ୍ଧି ପାଇଛି। ମାତ୍ର ପଜିଟିଭ୍ ହାର ୧୦ ପ୍ରତିଶତକୁ ଖସି ଆସିବା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର ହୋଇଛି। ରାଜ୍ୟରେ ଲକ୍ଡାଉନ୍/ସଟ୍ଡାଉନ୍ର ପ୍ରଭାବ ଏବେ ଦେଖିବାକୁ ମିଳୁଛି ବୋଲି କୁହାଯାଇଛି। ଗତମାସ ଲକ୍ଡାଉନ୍ ସତ୍ତ୍ବେ ରାଜ୍ୟରେ ପଜିଟିଭ୍ ହାର ଲଗାତାର ଭାବେ ୨୦ ପ୍ରତିଶତ ଉପରେ ରହିଥିଲା। ଚଳିତ ମାସ ଆରମ୍ଭରୁ ଏହା ୧୨ ପ୍ରତିଶତକୁ ଖସି ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୧୦.୫ ପ୍ରତିଶତ ରେକର୍ଡ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ସଂକ୍ରମଣ ହାର ଏବେ ୧୦ ପ୍ରତିଶତ ପାଖାପାଖି ରହିଛି। ଯଦି ଏହି ଧାରା ଆଗକୁ ଜାରି ରହେ, ତାହାଲେ ପର୍ଯ୍ୟାୟକ୍ରମେ ଲକ୍ଡାଉନ୍କୁ କୋହଳ କରି ଦିଆଯିବ।
ସେହିପରି ଟିକାର ଗ୍ଲୋବାଲ ଟେଣ୍ଡର୍ ସଂପର୍କରେ ଡା. ମହାପାତ୍ର କହିଛନ୍ତି, ୨ଟି କମ୍ପାନି ଗ୍ଲୋବାଲ ଟେଣ୍ଡର୍ ପାଇଁ ଆସିଛନ୍ତି। ସେମାନଙ୍କ କାଗଜପତ୍ର ଯାଞ୍ଚ ଚାଲିଛି। କମ୍ପାନିମାନେ ସିଧାସଳଖ ଟେଣ୍ଡର୍ରେ ଅଂଶଗ୍ରହଣ କରନ୍ତି ନାହିଁ। ଏଜେନ୍ସି ଜରିଆରେ ଆସିଥା’ନ୍ତି।
ଏ ଦୃଷ୍ଟିରୁ ୨ଟି ଏଜେନ୍ସି ହିଁ ଗ୍ଲୋବାଲ ଟେଣ୍ଡର୍ ପାଇଁ ଆବେଦନ କରିଛନ୍ତି। ବୈଷୟିକ କ୍ଲିୟରାନ୍ସ ମିଳିନାହିଁ। ତେଣୁ ଆବେଦନ ପ୍ରକ୍ରିୟା ସଫଳ ହେବ କି ନାହିଁ, ତାହା ଏବେଠାରୁ କହି ହେବ ନାହିଁ।
କରୋନାରେ ଆଉ ୪୦ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୬ଜଣ ରହିଛନ୍ତି। ଏହାବାଦ୍ ମୟୂରଭଞ୍ଜ, ସୁନ୍ଦରଗଡ଼, କଟକରୁ ୪ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡିରୁ ୩ ଲେଖାଏଁ, ବରଗଡ଼, ବଲାଙ୍ଗୀର, ଦେବଗଡ଼ରୁ ୨ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସରକାରୀ ଭାବେ ସର୍ବାଧିକ ୪୯୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ନମୁନା ପରୀକ୍ଷା ୭୦,୩୧୩ରେ ପହଞ୍ଚିଛି। ଏଥିରେ ୪୭,୦୨୩ ଆଣ୍ଟିଜେନ୍ ଓ ୨୨,୯୯୦ ଆର୍ଟି-ପିସିଆର୍ ନମୁନା ପରୀକ୍ଷା କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଗୋଟିଏ ହେଲେ ଆର୍ଟି-ପିସିଆର୍ ନମୁନା ପରୀକ୍ଷା କରାଯାଇନାହିଁ। ରାଜ୍ୟରେ ସଂକ୍ରମଣ ହ୍ରାସ ସତ୍ତ୍ବେ ଖୋର୍ଧା ଜିଲ୍ଲାରେ ଏହା ଲଗାତାର ଭାବେ ହଜାରେ ଉପରେ ରହି ଆସିଛି। ଜିଲ୍ଲାରୁ ପୁଣିଥରେ ୧୦୬୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୮୬୮, ଯାଜପୁର ୫୧୬, ଅନୁଗୁଳ ୪୪୩, ମୟୂରଭଞ୍ଜ ୩୮୪, ପୁରୀ ୩୫୬, କେନ୍ଦ୍ରାପଡ଼ା ୩୪୧, ଜଗତସିଂହପୁର ୨୮୮ ଓ ଷ୍ଟେଟ୍ ପୁଲରୁ ୧୪୫ ପଜିଟିଭ୍ ବାହାରିଛନ୍ତି।
ରାଜ୍ୟରେ ଶନିବାର ୭୬୧୬ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ୧୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ବେଳେ ଆଜି କମ୍ ସଂଖ୍ୟକ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୩୨ହଜାର ୧୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୭୧,୦୭୧ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/corona-test-22.jpg)