ଭୁବନେଶ୍ବର: ରାଜ୍ୟରେ ଚି଼ହ୍ନଟ ହୋଇନି ଓମିକ୍ରନ। ନଭେମ୍ବର ୨୯ ତାରିଖ ପରଠାରୁ ଜିନମ ସିକୁଏନସିଂ ପାଇଁ ଆଇଏଲଏସକୁ ଆସିଥିବା ୨୪୬ ନମୂନାରେ ଓମିକ୍ରନ ନାହିଁ ବୋଲି ଆଇ ଏଲ ଏସ ପକ୍ଷରୁ ସୂଚନା ଦିଆଯାଇଛି। ନଭେମ୍ବର ମାସରେ ପୂର୍ବରୁ ୧୪୧ନମୂନା ଯାଇଥିବା ବେଳେ ସେଥିରେ ମଧ୍ୟ କୌଣସି ଓମିକ୍ରନ ଭାଇରସ ଚି଼ହ୍ନଟ ହୋଇନଥିଲା।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସ୍କୁଲ ଅପେକ୍ଷା ହଷ୍ଟେଲରେ ପଜିଟିଭ ରିପୋର୍ଟ ଅଧିକ ରହିଛି, କିଛି ଟିଚର ଓ ଷ୍ଟାଫ ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି, ଗାଇଡଲାଇନ ମଧ୍ୟ ଦିଆଯାଇଛି। ସ୍କୁଲରୁ ଯେଉଁ ପଜିଟିଭ ରିପୋର୍ଟ ଆସିଛି ସବୁ ଲକ୍ଷଣବିହୀନ ରହିଛି। ସେମାନଙ୍କୁ ଡାକ୍ତରଖାନା ଯିବାକୁ ଦରକାର ପଡୁନାହିଁ କି ଆଡ଼ମିସନ ହେବାକୁ ପଡୁନାହିଁ। ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ଶିକ୍ଷକ ଓ କର୍ମଚାରୀ ଭାକସିନେସନ ହୋଇଛନ୍ତି ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଟିକା ନେବାକୁ ନିର୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ ଏସଓପି କଡାକଡି ପାଳନ କରିବାକୁ କୁହାଯାଇଛି । ଏହାସହ କଲେଜରେ ଅଠର ବର୍ଷରୁ ଉର୍ଦ୍ଧ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାକସିନ ନେବାକୁ ନିର୍ଦେଶ ଦିଆଯାଇଛି । ଯାହାର ଲକ୍ଷଣ ବାହାରୁଛି ତାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ । ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ଲକ୍ଷଣ ଥିଲେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ କହିଛନ୍ତି ନିରଞ୍ଜନ ମିଶ୍ର।
ଏଥିସହିତ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ ଚି଼ହ୍ନଟ ହୋଇନାହିଁ । ଓମିକ୍ରନ ମୁକାବିଲା ପାଇଁ ସରକାର ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ଏବେ ସୁଦ୍ଧା ଏଏସପିରେ ୧୨୮୬ ଜଣ ପଞ୍ଜିକରଣ କରିଛନ୍ତି । ବିଦେଶ ଫେରନ୍ତାଙ୍କ ଭିତରୁ ଚାରିଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କର ଜିନମ ସିକ୍ୱେସିଂ ପାଇଁ ନମୁନା ପଠାଯାଇଛି । ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଗଞ୍ଜାମ, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ସର୍ବାଧିକ ବ୍ୟକ୍ତି ଅଛନ୍ତି ।
ଏତଦ ବ୍ୟତୀତ ସ୍କୁଲରେ ସଂକ୍ରମଣ ବୃଦ୍ଧିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। କେତେକ ସ୍କୁଲରେ କଁ ଭା ସଂକ୍ରମିତ ଥିବା ନଜରକୁ ଆସିଛି। ଥଣ୍ଡା ଜ୍ୱର ବା ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଯାଉଛି। ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପିକୁ କଡାକଡ଼ି ଭାବେ ପାଳନ କରାଯାଉଛି।
ସଂକ୍ରମଣ ଚେନ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କୁଲରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧିକୁ ନେଇ ଯେଉଁ ଖବର ପଦାକୁ ଆସିଛି। ସେଥିରେ କୌଣସି ସତ୍ୟତା ନାହିଁ। ହଜାରରୁ ଅଧିକ ମାଇଗ୍ରସନ ହଷ୍ଟେଲ ବନ୍ଦ ହୋଇଥିବା ଯୋଗୁଁ ପ୍ରାୟ ୮ହଜାର ଛାତ୍ରଛାତ୍ରୀ ସ୍କୁଲ ଆସିପାରିନାହାନ୍ତି। ସ୍କୁଲ ଆସିବାକୁ ନେଇ ଅବିଭାବକ ସହମତି ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା ନେଇଛନ୍ତି। ସ୍କୁଲ ପ୍ରତି ଛାତ୍ର ଛାତ୍ରୀମାନଙ୍କ ଆଗ୍ରହ ବଢିଛି। ସଂକ୍ରମଣ ରୋକିବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ତ୍ରୀ ସମୀର ଦାସ।