ହୁ ହୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ ୫୭ ସଂକ୍ରମିତ ଚିହ୍ନଟ

ଗଞ୍ଜାମରେ ୨୬୪, ବାଲେଶ୍ବରରେ ୧୦୨
କଟକରେ ଆଉ ୭, ମୟୂରଭଞ୍ଜରେ ୨
ସୁସ୍ଥ ହେଲେ ୧୪ବର୍ଷରୁ କମ୍ ସବୁ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହୁ ‌ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୫୭ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ଏଥିରେ ସୁରତ ଫେରନ୍ତାଙ୍କ ସହ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଦିଲ୍ଲୀ ଫେରନ୍ତା ମଧ୍ୟ ରହିଛନ୍ତି। ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୮୧ରେ ପହଞ୍ଚିଛି। ରାଜ୍ୟର ଦ୍ବିତୀୟ ଜିଲ୍ଲା ଭାବେ ବାଲେଶ୍ବର ସଂକ୍ରମିତଙ୍କ ସଂଖ୍ୟାରେ ଶହେ ପାର କରିଛି। ଅପରପକ୍ଷେ ରାଜ୍ୟରେ ଆଜି ଆହୁରି ୮ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାରେ ୧୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଥିବା ବେଳେ ସବୁ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ତେବେ ବାଲେଶ୍ବର ଜିଲ୍ଲାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୭ଜଣ ପଶ୍ଚିମବଙ୍ଗ, ୨ଜଣ ସୁରତ, ଜଣେ ଲେଖାଏଁ ମହାରାଷ୍ଟ୍ର ଓ ଦିଲ୍ଲୀ ଫେରନ୍ତା ଅଛନ୍ତି। ଏମାନେ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ବ୍ୟକ୍ତି ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି ପୁରୀ ଜିଲ୍ଲାରେ ଆଜି ସର୍ବାଧିକ ୧୦ଜଣଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତମାନେ ସୁରତ ଫେରନ୍ତା ଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। କଟକ ଜିଲ୍ଲାରେ ଆଜି ୭ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନିଶ୍ଚିନ୍ତକୋଇଲି ଓ ୩ ଜଣ ନିଆଳି ବ୍ଲକ୍‌ର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ଅହମଦାବାଦ୍‌ ଫେରନ୍ତା ବୋଲି ଜଣାପଡ଼ିଛି। ସେହିପ‌ରି ଭଦ୍ରକ ଜିଲ୍ଲାର ୬ଜଣ ସଂକ୍ରମିତ ପଶ୍ଚିମବଙ୍ଗ ଫେରନ୍ତା, ଯାଜପୁରର ୨ଜଣ ସୁରତ, ନୟାଗଡ଼ର ୩ଜଣ ସୁରତ, ଦେବଗଡ଼, କଟକ ଓ ସୁନ୍ଦରଗଡ଼ର ସଂକ୍ରମିତ ଅହମଦାବାଦରୁ ଫେରିଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମୟୂରଭଞ୍ଜରେ ଆଜି ୨ଜଣ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସଂକ୍ରମିତ ତାଲିକାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଏଠାରୁ ୨୬୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ‌ବେଳେ ୨୬୧ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଲମ୍ଫ ଦେଇ ୧୦୨ରେ ପହଞ୍ଚିଛି। ଯାଜପୁରରେ ୯୦, ଖୋର୍ଧା ୫୩, ଭଦ୍ରକ ୪୬, ସୁନ୍ଦରଗଡ଼ ୨୬, କେନ୍ଦ୍ରାପଡ଼ା ୨୨, ଅନୁଗୁଳ ୧୫, ପୁରୀ ୧୪, କଟକରେ ୧୨, ମୟୂରଭଞ୍ଜ ୧୧, ଜଗତସିଂହପୁର ୫, ବୌଦ୍ଧ, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରେ ୪ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ୨୧ଟି ଜିଲ୍ଲା ଏବେ କରୋନା କବଳରେ ରହିଥିବା ବେଳେ ଆଜି ଆଉ କୌଣସି ନୂତନ ଜିଲ୍ଲା ଏଥିରେ ସାମିଲ ହୋଇନାହିଁ।

ରାଜ୍ୟରେ ଏ ଯାଏଁ ୮୧୯୧୯ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ୦.୮୨ ପ୍ରତିଶତ ରହିଛି। ଆଜି ରାଜ୍ୟରେ ଆହୁରି ୮ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ୪ଜଣ ଯାଜପୁର, ୨ଜଣ ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି। ତେବେ ରାଜ୍ୟରେ ୧୪ ବର୍ଷରୁ କମ୍ ସମସ୍ତ ଆକ୍ରାନ୍ତ ଶିଶୁ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୧୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୬୩୯ଜଣ ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର