କରୋନା ମୁକାବିଲା ଲାଗି କଟକରେ ପୂଜା କମିଟି, ସାହି କମିଟି ସହଯୋଗ କରୁଛନ୍ତି : କୃଷି ସଚିବ

କଟକ: କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍‌ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ କୃଷି ସଚିବ ସୌରଭ ଗର୍ଗ ଏହା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗର୍ଗ କହିଛନ୍ତି ଯେ, ବସ୍ତି ଅଂଚଳରେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରାଯାଉଛି। ସେହିପରି କଟକର ବିଭିନ୍ନ ପୂଜା କମିଟି, ସାହି କମିଟି ସହଯୋଗ କରୁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାରେ ସହଯୋଗ କରୁଛନ୍ତି।

ଶ୍ରୀ ଗର୍ଗ କହିଛନ୍ତି, କଟକ ସିଏମସି ଅଧନୀରେ ୫୯ ଓ୍ଵାର୍ଡ ଅଛି। କଟକରେ ୧୭୯ ପୂଜା ଓ ସାହି କମିଟି ଅଛି। ଓ୍ଵାର୍ଡକମିଟିରେ ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି ମଧ୍ୟ ଅଛନ୍ତି। କଟକ ସହର ଏକ ପୂରାତନ ସହର ହୋଇଥିବାରୁ ଏଠାରେ ଭାଇଚାରାର ଭିନ୍ନ ନିଦର୍ଶନ ଦେଖାଯାଇଥାଏ। ଏଠାରେ ସାହି କମିଟି ଓ ପୂଜା କମିଟି କରାଯାଇଛି। ଜଣାଶୁଣା ବ୍ୟକ୍ତିଙ୍କୁ କମିଟିରେ ରଖାଯାଇଛି। କରୋନା ସ୍ଥିତି ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଓ୍ଵାର୍ଡ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

କରୋନା ନେଇ କଟକ ମହାନଗର ନିଗମ ଅଂଚଳରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସିଏମ୍‌ସି ପକ୍ଷରୁ ୧୦ଟି ରାପିଡ଼ ରେସ୍ପନ୍ସ ଟିମ୍‌ ଗଠିତ ହୋଇଛି। ଏହି ଟିମରେ ଜଣେ ଏଏମବିବିଏସ୍‌ ଅଥବା ଆୟୁଷ ଡାକ୍ତର ରହିଛନ୍ତି। ପୁଲିସ କଟକରେ ୧୦ ହଜାର ବୟସ୍କ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି। ପୁଲିସ ପକ୍ଷରୁ ସମସ୍ତଙ୍କୁ ଏକ ସ୍ୱତନ୍ତ୍ର କାର୍ଡ ଦିଆଯାଇଛି। ଏଥିରେ ଅନେକ ତଥ୍ୟ ରହିଛି। ବରିଷ୍ଠ ନାଗରିକ, ପୂଜା କମିଟି ଓ ସାହି କମିଟି ମଧ୍ୟ ସହଯୋଗ କରୁଛନ୍ତି କହିଛନ୍ତି ଶ୍ରୀ ଗର୍ଗ।

ସିଏମ୍‌ସି କମିସନର ଅନନ୍ୟା ଦାସ କହିଛନ୍ତି, ସିଏମ୍‌ସି ଅଂଚଳକୁ ବାହାର ରାଜ୍ୟରୁ ୫ ହଜାର ୧୦୧ ଜଣ ଲୋକ ଆସିଛନ୍ତି। ଏମାନଙ୍କୁ ଟ୍ରାକ କରାଯାଇ ସଂଗରୋଧ ବ୍ୟବସ୍ଥା କରାଯାଇଛି। ସିଏମ୍‌ସି ଅଧିନରେ ୩୮୯୨ ବାହାର ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ, ସରକାରୀ କ୍ୱାରେଣ୍ଟାଇନରେ ୯୪୯ ଓ ୨୬୦ ଜଣ ଦେୟ କ୍ୱାରେଣ୍ଟାଇନରେ ଥିଲେ। ଆବଶ୍ୟକ ସୁବିଧା ଥିଲେ ହୋମ କ୍ୱାରେଣ୍ଟାଇନ ଅନୁମତି ଦିଆଯାଇଛି। ବିଭିନ୍ନ ହୋଟେଲରେ ଦେୟ ସଂଗରୋଧ ବ୍ୟବସ୍ଥା କରାଯାଇଛି। ସିଏମସି ଲୋକଙ୍କ ପାଇଁ କଣ୍ଟ୍ରୋଲ ରୁମ ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି। ଲୋକେ ସିଏମ୍‌ସିକୁ ଏହି ନମ୍ବରରେ କରୋନା ସଂପର୍କିତ ତଥ୍ୟ ଦେଉଛନ୍ତି।

ଅନନ୍ୟା ଦାସ କହିଛନ୍ତି, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ନଜର ରଖାଯାଉଛି। କିଛି ଅସୁବିଧା ଦେଖିଲେ ତାଙ୍କର ନମୁନା ପରୀକ୍ଷା କରାଯାଉଛି। ସେହିଭଳି ଘରୋଇ ହସ୍‌ପିଟାଲରେ ଯାଞ୍ଚ କରାଯାଉଛି। କୋଭିଡ ଗାଇଡଲାଇନ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଗାଇଡ଼ଲାଇନ ପାଳନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ସମ୍ବନ୍ଧିତ ଖବର