କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଗୀତଗୋବିନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିଦିନ ସାଢ଼େ ୪ଟାରେ ବିଶ୍ୱର ୨୪ ଘଣ୍ଟିଆ ବିବରଣୀ ପ୍ରଦାନ କରାଯାଉଛି। ଏହାରି ମାଧ୍ୟମରେ ଲୋକଙ୍କୁ ସତର୍କ ସୂଚନା ଦିଆଯାଉଛି।

ଇଟାଲୀରୁ ଫେରିଥିବା ଓଡ଼ିଶାର କରୋନା ସନ୍ଦିଗ୍ଧ ଯୁବକ ଦିଲ୍ଲୀରୁ ଟ୍ରେନ୍‌ରେ ଭୁବନେଶ୍ୱର ଆସିଥିଲେ। ଏହାରି ମଧ୍ୟରେ ସେ ଟ୍ରେନରେ ୭୬ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଓଡ଼ିଶାରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ୫୩ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁବନେଶ୍ୱରର ଯୁବକ ଦିଲ୍ଲୀରୁ ଆସିବା ପରେ ଏକ ଘରୋଇ କ୍ଲିନିକର ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ।। ଯୁବକ ଜଣକ ଯେଉଁ, କ୍ଲିନିକର ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ, ତାହା ଏବେ ବନ୍ଦ କରି ଦିଆଯାଇଛି। ଏବେ ସଂପୃକ୍ତ ଡାକ୍ତରଙ୍କୁ ମଧ୍ୟ ପୃଥକୀକରଣ (କ୍ୱାରେନଟାଇନ୍‌)ରେ ରଖାଯାଇଛି ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, ଚୀନରୁ ବ୍ୟାପିଥିବା କରୋନା ଭାଇରସ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଶ୍ୱର ୧୫୭ଟି ଦେଶକୁ ବ୍ୟାପି ସାରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ବ୍ୟାପିବାରେ ଲାଗିଛି। ସେ କହିଛନ୍ତି, କରୋନା ଭାଇରସରେ ଏଯାଏଁ ୧ ଲକ୍ଷ ୭୦ ହଜାର ୧୮୭ ଜଣ ପଜିଟିଭ୍‌ କେସ୍‌ ମିଳିଥିବା ବେଳେ ୮୫ ହଜାର ୭୮୦ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର