ପୁଣି ରେକର୍ଡ ସଂକ୍ରମଣ, ମୃତ୍ୟୁ: ଖୋର୍ଦ୍ଧା ଜିଲ୍ଲାରେ ଅଲୋଡ଼ା ରେକର୍ଡ

ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଲା, ଦିନକରେ ୧୨,୫୨୩ ପଜିଟିଭ୍, ୨୭ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ଥମିବାରୁ ନାଁ ଧରୁନି।। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌/ସଟ୍‌ଡାଉନ୍ ସବୁ କିଛି ଉଦ୍ୟମ ଜାରି ରହିଥିଲେ ହେଁ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ବରଂ ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ପୁଣିଥରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ସ୍ତର‌ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୫୨୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଓଡ଼ିଶାରେ କରୋନା ସଂକ୍ରମଣ ଦ୍ବିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ପୁଣିଥରେ ଫେଲ୍‌ ମାରିଛି। ଲଗାତାର ୩ଦିନ ହେବ ଦୈନିକ ସଂକ୍ରମଣରେ ୮-୧୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଅଧିକ ନମୁନା ପରୀକ୍ଷାରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧,୬୬୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ ପୁଣିଥରେ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୩/୪ ଦିନ ହେବ, ଏହା ୧୮ ପ୍ରତିଶତ ତଳକୁ ରହୁଥିଲା। ଏହାସହ ଗୋଟିଏ ଦିନରେ ୨୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ଆଜି ପର୍ଯ୍ୟନ୍ତ ସର୍ବାଧିକ କରୋନା ଜନିତ ମୃତ୍ୟୁ। ସମୁଦାୟ ମୃତ୍ୟୁ ସଂଖ୍ୟା ୨୪୩୦ରେ ପହଞ୍ଚିଛି। ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଧା, କୋରାପୁଟ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରେ ୩ ଲେଖାଏଁ, କଳାହାଣ୍ଡି ୨, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୋନପୁରରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟରେ କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୪ ପ୍ରତିଶତ ରେକର୍ଡ କରାଯାଇଛି।

ଖୋର୍ଧା ଜିଲ୍ଲା‌ରେ ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ସମୁଦାୟ କରୋନା ସଂକ୍ରମଣ ଲକ୍ଷେ ଟପିଛି। ଜିଲ୍ଲାରୁ ୧୮୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଦ୍ବିତୀୟ ଲହରର ଦ୍ବିତୀୟ ସର୍ବାଧିକ। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଖୋର୍ଧା ଏହି ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି। ଜିଲ୍ଲାର ୬୫ପ୍ରତିଶତ ସଂକ୍ରମିତ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼କୁ ପଛରେ ପକାଇ କଟକ ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣରେ ଦ୍ବିତୀୟ ସ୍ଥାନକୁ ଆସିଛି। ଜିଲ୍ଲାରୁ ୧୦୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଅନୁଗୁଳ ୯୩୦, ସୁନ୍ଦରଗଡ଼ ୭୧୫, ପୁରୀ ୫୬୮, ମୟୂରଭଞ୍ଜ ୫୪୬, ବାଲେଶ୍ବର ୫୧୦, କଳାହାଣ୍ଡି ୪୯୧, ଯାଜପୁର ୪୧୯, ସମ୍ବଲପୁର ୪୦୦, ନବରଙ୍ଗପୁର ୩୮୩, ଝାରସୁଗୁଡ଼ା ୩୭୩, ଗଞ୍ଜାମ ୩୬୯, ବୌଦ୍ଧ ୩୬୫, ଜଗତସିଂହପୁର ୩୨୫, ରାୟଗଡ଼ା ୩୨୧ ଓ ଷ୍ଟେଟ ପୁଲରୁ ୩୨୪ଜଣ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତ ସଂଖ୍ୟା ୬ଲକ୍ଷ ୬୮ହଜାର ୪୨୨ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୦,୮୮୧ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୮,୫୫୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫ ଲକ୍ଷ ୬୭ହଜାର ୩୮୨ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟର ୪ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୬ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି।

ସମ୍ବନ୍ଧିତ ଖବର