ଭୁବନେଶ୍ବର : ଚଳିତ ମାସ ୭ ତାରିଖରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୨ହଜାର ଟପିଥିଲା। ଆଗକୁ ସଂକ୍ରମଣ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏହାର ପରବର୍ତ୍ତୀ ଦିନଗୁଡ଼ିକରେ ସଂକ୍ରମଣ କମିବାକୁ ଆରମ୍ଭ କରିଥିଲା। କିଛି ଦିନ ୧୦ ହଜାର ତଳେ ରହିଥିଲା। ଅନେକେ ଏହାକୁ ଲକ୍ଡାଉନ୍, ସଟ୍ଡାଉନ୍ର ପ୍ରଭାବ ବୋଲି ଭାବିବାକୁ ଆରମ୍ଭ କରିଥିଲେ। ମାତ୍ର ସପ୍ତାହକ ପରେ ପୁଣିଥରେ ଦୈନିକ ସଂକ୍ରମଣ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ଦିନ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟାରେ ୧୬ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତାହାର ୧୮ପ୍ରତିଶତ ହେଉଛନ୍ତି କେବଳ ଖୋର୍ଧା ଜିଲ୍ଲାରୁ। ଖୋର୍ଧାରେ କରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ଅବସ୍ଥାରେ ରହିଛି। ନିଆଁ ଭଳି ମାଡ଼ି ଚାଲିଛି ସଂକ୍ରମଣ। ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୧,୮୫୦କୁ ବୃଦ୍ଧି ପାଇଛି। ଚିନ୍ତାର ବିଷୟ ହେଉଛି, ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୫ହଜାର ଟପି ଯାଇଛି। ଏହାସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୪୦୦ ଛୁଇଁଛି, ଯାହାକି ରାଜ୍ୟରେ ସର୍ବାଧିକ। ଏଥିରେ ସିଂହଭାଗ ମୃତ୍ୟୁ ରହିଛି ଭୁବନେଶ୍ବରରେ। ରାଜଧାନୀରେ ସଂକ୍ରମଣକୁ ରୋକିବା ଲାଗି ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ହେଁ ଏହାର ପ୍ରଭାବ ଏ ଯାଏ ଦେଖିବାକୁ ମିଳିନାହିଁ। ଆହୁରି ସ୍ପଷ୍ଟ ଭାବେ କହିଲେ, ଆଜି ଦୈନିକ ସଂକ୍ରମଣରେ ମୁମ୍ବାଇକୁ ଟପିଯାଇଛି ଖୋର୍ଧା। ମୁ୍ମ୍ବାଇରେ ଆଜି ୧୬୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରେ ଗତ ୨୪ ଘଣ୍ଟାରେ ୨୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ହିଁ ସୂଚାଉଛି, ଖୋର୍ଧା ଜିଲ୍ଲାରେ କରୋନା ସ୍ଥିତି କେତେ ଗମ୍ଭୀର ରହିଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬,୨୧୪ କୋଭିଡ୍ ନମୁନା ପରୀକ୍ଷା କରାଯାଇଛି। ହେଲେ ଏଥିରେ ଆର୍ଟି-ପିସିଆର୍ ନମୁନା ପୂର୍ବ ତୁଳନାରେ ଖସି ଆସି ୩୫ ପ୍ରତିଶତ ରହିଛି। ୬୫ପ୍ରତିଶତ ରାପିଡ୍-ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା ହେବା ସତ୍ତ୍ବେ ରାଜ୍ୟରେ ସଂକ୍ରମଣରେ ରେକର୍ଡ ସୃଷ୍ଟି ହେବା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ ୨୨ ପ୍ରତିଶତ ରହିଛି। ରାଜ୍ୟର ସାମଗ୍ରିକ ଟିପିଆର୍ ବୃଦ୍ଧି ପାଇ ୫.୪୭ ପ୍ରତିଶତରେ ପହଞ୍ଚିଛି। ଗତ ୮ ତାରିଖରେ ରାଜ୍ୟରେ ଗୋଟିଏ ଦିନରେ ୨୧ଜଣ ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଥିଲା। ହେଲେ ଏହି ଅଲୋଡ଼ା ମୃତ୍ୟୁ ରେକର୍ଡ ମଧ୍ୟ ପଛରେ ପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଦିନରେ ୨୨ଜଣ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଖୋର୍ଧାରେ ସର୍ବାଧିକ ୪, ଅନୁଗୁଳ ୩, କଳାହାଣ୍ଡି, କେନ୍ଦ୍ରାପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରେ ୨ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ କନ୍ଧମାଳରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି।
ଖୋର୍ଧାକୁ ବାଦ୍ ଦେଲେ ସୁନ୍ଦରଗଡ଼ ୮୮୨, କଟକ ୭୧୯, ସମ୍ବଲପୁର ୬୭୭, ଅନୁଗୁଳ ୫୩୨, ବରଗଡ଼ ୫୦୭, ମୟୂରଭଞ୍ଜ ୪୮୦, ପୁରୀ ୪୬୯, ବଲାଙ୍ଗୀର ୪୬୧, ଯାଜପୁର ୪୩୬, ଝାରସୁଗୁଡ଼ା ୪୧୩, ଭଦ୍ରକ ୪୧୨, ଗଞ୍ଜାମ ୩୮୭, ନବରଙ୍ଗପୁର ୩୬୨, ବାଲେଶ୍ବର ୩୪୦, ନୟାଗଡ଼ ୩୦୧ ଓ ଷ୍ଟେଟ୍ ପୁଲରୁ ୩୫୨ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୮୮ହଜାର ୬୮୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ୯୩୨୯ ରୋଗୀ ସୁସ୍ଥ ହୋଇଛନ୍ତି, ଯାହାକି ରାଜ୍ୟରେ ସୁସ୍ଥ ହେବାରେ ଦ୍ବିତୀୟ ସର୍ବାଧିକ। ଏହାକୁ ମିଶାଇ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୯୧ହଜାର ୬୭୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୪,୬୮୭ ରହିଛି, ଯାହାକି ସମୁଦାୟ ସଂକ୍ରମିତଙ୍କ ସଂଖ୍ୟାର ୧୬ ପ୍ରତିଶତ। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୩ ପ୍ରତିଶତକୁ ଖସି ଆସିଛି।