ସବୁଥିରେ ଦୈନିକ ରେକର୍ଡ

୮,୪୦୧ ସୁସ୍ଥ ଓ ୧୯ ମୃତ୍ୟୁ, ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼

ଭୁବ‌ନେଶ୍ବର : ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ସହିତ ମୃତ୍ୟୁ ଓ ସୁସ୍ଥ ସଂଖ୍ୟା ବି ବଢ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ପୂର୍ବ ଦିନ ତୁଳନାରେ ୧୬ ପ୍ରତିଶତରୁ ଅଧିକ। ଏହାସହ ଆଜି ୮୪୦୧ଜଣ ସୁସ୍ଥ ହୋଇଥିବାବେଳେ ୧୯ ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କରୋନା ସ୍ଥିତି ଯେ କେତେ ଗମ୍ଭୀର, ଗୋଟିଏ ଦିନର ପରିସଂଖ୍ୟାନରୁ ଜଳଜଳ ହୋଇ ବାରି ହୋଇପଡ଼ୁଛି। କିଛିଦିନ ତଳେ ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଥିଲେ, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ପ୍ଲାଟ୍ୟୁ ବା ସମତଳ ସ୍ଥିତିରେ ରହିଛି। ହେଲେ ଗତ ୫ ଓ ୬ ତାରିଖରେ ରାଜ୍ୟରେ ଦୈନିକ ସଂକ୍ରମଣରେ ନୂଆ ନୂଆ ରେକର୍ଡ ସୃଷ୍ଟି ହୋ‌ଇଛି। ଏପରିକି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁକରଣ କରୁଥିବା ୩ଟି ସଂକ୍ରମଣ ମଡେଲରେ ଦୈନିକ ସଂକ୍ରମଣ ୧୦ ହଜାର ଟପିବ ବୋଲି ଯେଉଁ ଆକଳନ କରାଯାଇଥିଲା, ଏବେର କରୋନା ସ୍ଥିତି ତାହାକୁ ମଧ୍ୟ ପଛରେ ପକାଇଦେଇଛି। ଆଗକୁ ସ୍ଥିତି କେତେ ଗମ୍ଭୀର ହେବ, ଆକଳନ କରିବା କଷ୍ଟକର ହୋଇପଡ଼ିଲାଣି। ତେବେ ଅଧିକାଂଶ ଗାଣିତିକ ମଡେଲ ଚଳିତ ମାସ ଦ୍ବିତୀୟ ସପ୍ତାହରେ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ଦୈନିକ ସଂକ୍ରମଣ ଶୀର୍ଷକୁ ଆଡ଼କୁ ମୁହାଁଇଥିବା ଅନୁମାନ କରାଯାଉଛି।

ରାଜ୍ୟରେ ଆଜି ପ୍ରଥମଥର ଲାଗି ରେକର୍ଡ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଦିନକରେ ୫୦,୭୯୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ ୨୪ ପ୍ରତିଶତ ଛୁଇଁଛି। ହେଲେ ଆର୍‌ଟି-ପିସିଆର୍‌ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳି ନାହିଁ। ୫୦ ହଜାର ନମୁନା ମଧ୍ୟରୁ ୩୧ ହଜାରରୁ ଅଧିକ କେବଳ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଇଛି। ଏହା ସମୁଦାୟ ନମୁନାର ୬୧ ପ୍ରତିଶତ। ଦେଶରେ ୧୫ ପ୍ରତିଶତରୁ ଅଧିକ ଟିପିଆର୍‌ ଥିବା ରାଜ୍ୟ ଭିତରେ ଓଡ଼ିଶା ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୪ଲକ୍ଷ ୧୮ହଜାର ୨୧୭ ଲୋକଙ୍କ କୋଭିଡ୍‌ ନମୁନା ପରୀକ୍ଷା ହୋଇସାରିଲାଣି।

ଅପରପକ୍ଷେ ଗୋଟିଏ ଦିନରେ ୧୯ ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ୪ଜଣ ଲେଖାଏଁ, ପୁରୀ ଓ ଜଗତସିଂହପୁରରେ ୨ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, କଟକ, ଦେବଗଡ଼, ଗଜପତି, ଝାରସୁଗୁଡ଼ା ଓ କନ୍ଧମାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୧୪୦କୁ ବୃଦ୍ଧି ପାଇଛି।

ଦୈନିକ ସଂକ୍ରମଣରେ ଆଜି ଖୋର୍ଦ୍ଧାକୁ ଟପିଛି ସୁନ୍ଦରଗଡ଼। ସୁନ୍ଦରଗଡ଼ରେ ୨୦୭୩ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୫,୭୨୮କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରେ ୧୮୨୮, କଟକ ୯୧୬, କଳାହାଣ୍ଡି ୫୮୦, ସମ୍ବଲପୁର ୫୪, ଅନୁଗୁଳ ୪୮୦, ବରଗଡ଼ ୪୭୫, ବାଲେଶ୍ବର ୪୩୭, ଭଦ୍ରକ ୩୮୧, ପୁରୀ ୩୬୯, ଯାଜପୁର ୩୧୮, ଝାସୁଗୁଡ଼ା ୩୦୬ ଓ ଷ୍ଟେଟ୍‌ ପୁଲରୁ ୩୫୭ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ‌ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୨ ହଜାର ୪ଶହକୁ ବୃଦ୍ଧି ପାଇଛି। ସେହିପରି ଆଜି ରାଜ୍ୟରେ ୮୪୦୧ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୩୧ହଜାର ୬୫୮ରେ ପହଞ୍ଚିଛି। ରାଜ୍ୟରେ ଏବେ ୭୮,୫୪୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର