ହାରୁଛି କରୋନା ଜିତୁଛି ମଣିଷ: ଦ୍ରୁତ ବେଗରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ

ଭୁବନେଶ୍ବର: ବେଶ କିଛି ଦିନ ହେଲା କରୋନାରୁ ଦ୍ରୁତ ବେଗରେ ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି । କେବେ କେବେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେବା ସଂଖ୍ୟା ଅଧିକ ରହୁଛି । ଏବେ ଯାଏଁ ୨ହଜାର ୯୯୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ହଜାର ୯୯୩ ଜଣ । ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ମାତ୍ର ୯୯୦ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଯେଉଁମାନଙ୍କୁ ସୁସ୍ଥ ବୋଲି ଘୋଷଣା କରି ଘରକୁ ଛଡା ଯାଉଛି ତାଙ୍କର କରୋନା ଟେଷ୍ଟ କରାଯାଉ ନାହିଁ, କେବଳ ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ଛାଡିବା ଆଗରୁ ଥରେ କରୋନା ପରୀକ୍ଷା କରାଯାଉଛି ।

ରାଜ୍ୟରେ ଶତାଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବେଶ୍ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଜୁନ୍ ମାସର ପ୍ରଥମ ସାତ ଦିନର ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା ଉପରେ ନଜର ପକାଇବା । ଜୁନ୍ ୧ ତାରିଖରେ ୧୫୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଥିଲେ ୭୬ ଜଣ । ସେହିପରି ଜୁନ୍ ୨ ତାରିଖରେ ୧୪୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ ଏବଂ ସେହିଦିନ ୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜୁନ୍ ୩ ତାରିଖରେ ୧୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦ ଜଣ ସୁସ୍ଥ ହୋଇଥିଲେ । ଅନ୍ୟପଟେ ଜୁନ୍ ୪ ତାରିଖରେ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଜୁନ୍ ୫ ତାରିଖରେ ୧୩୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨୩ ଜଣ ସୁସ୍ଥ ହୋଇଥିଲେ । ସେହିପରି ଜୁନ୍ ୬ ତାରିଖରେ ଚଳିତ ମାସର ସର୍ବାଧିକ ୧୭୩ ଜଣ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ ଏବଂ ସେହିଦିନ ୧୧୨ ଜଣ ସୁସ୍ଥ ହୋଇଥିଲେ । ଜୁନ୍ ୭ ତାରିଖରେ ମାତ୍ର ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସୋମବାର ରାଜ୍ୟରେ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ଚଳିତ ମାସରେ ଏଯାଏଁ ଓଡିଶାରେ ୧୦୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୮ ଜଣ ସୁସ୍ଥ ହୋଇଛନ୍ତି । ଏହା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୮୪ ପ୍ରତିଶତ । ଶେଷ ଖବର ସୁଦ୍ଧା ରାଜ୍ୟରେ ମୋଟ ୨୯୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୯୦ ଜଣ ଏବେ ବି ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପଟେ ଏଯାଏଁ ୧୯୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ତଥ୍ୟ ଅନୁସାରେ ରାଜ୍ୟରେ ବର୍ତମାନ ସୁସ୍ଥ ହୋଇଥିବା ରୋଗୀଙ୍କ ତୁଳନାରେ ୫୦ ପ୍ରତିଶତ ।

ସମ୍ବନ୍ଧିତ ଖବର