ରାଜ୍ୟରେ ସୁସ୍ଥ ହାର ୯୦% ଛୁଇଁଲା

ଆଉ ୪୨ ମୁଣ୍ଡ ନେଲା କରୋନା, ପଜିଟିଭ୍ ହାର ଏବେ ବି ୧୦% ଉପରେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ପଜିଟିଭ୍ ହାର ୧୨ ପ୍ରତିଶତ ତଳକୁ ଖସୁ ନାହିଁ। ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଚତୁର୍ଥ ସପ୍ତାହ ପାର କରିଥିଲେ ହେଁ ଏବେ ବି ଉଚ୍ଚ ପଜିଟିଭ୍ ହାର ମୁଣ୍ଡବିନ୍ଧାର କାରଣ ପାଲଟିଛି। କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପଜିଟିଭ୍ ହାର ପୂର୍ବଭଳି ୧୨ ପ୍ରତିଶତ ବଳବତ୍ତର ରହିଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହା ୫ ପ୍ରତିଶତରୁ ମଧ୍ୟ କମ୍ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦,୧୭୮ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ତହିଁରେ ୮୮୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହାର ରହିଛି ୧୨.୫ ପ୍ରତିଶତ।

ଅପରପକ୍ଷରେ ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଚଳିତମାସ ଆରମ୍ଭରୁ ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଯଦିଓ ଏସବୁ ମୃତ୍ୟୁ ସଂଖ୍ୟା ବେଶ୍‌ କିଛିଦିନ ପୂର୍ବର, ମାତ୍ର ସ୍ବାସ୍ଥ୍ୟ ବିଭାଗ ଏବେ ଏହି ସଂଖ୍ୟାର ଘୋଷଣାକୁ ବଢ଼ାଇ ଦେଇଛି। ବିଭାଗ ପକ୍ଷରୁ ଆଜି ୪୨ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ସୁନ୍ଦରଗଡ଼ରେ ସର୍ବାଧିକ ୫ଜଣ ରହିଛନ୍ତି। ଏହାବାଦ୍ କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ଖୋର୍ଧାରୁ ୩ ଲେଖାଏଁ, ରାୟଗଡ଼ା, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଗଜପତି, ଦେବଗଡ଼, ବଲାଙ୍ଗୀର, ‌ବାଲେଶ୍ବର ଓ ଅନୁଗୁଳରୁ ୨ ଲେଖାଏଁ, ବରଗଡ଼, ଭଦ୍ରକ, ଗଞ୍ଜାମ ଓ ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି।

ରାଜ୍ୟ ପାଇଁ ଖୋର୍ଧା ଜିଲ୍ଲା ଏବେ ବି ମୁଣ୍ଡବିନ୍ଧାର କାରଣ ହୋଇ ରହିଛି। ଅଧିକ ସଂଖ୍ୟାରେ ଟେଷ୍ଟିଂ ହେଉଥିବା ବେଳେ ଜିଲ୍ଲାରୁ ନିୟମିତ ଭାବେ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ଖୋର୍ଧାରେ ୧୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରୁ ବାହାରିଥିବା ସମୁଦାୟ ଆକ୍ରାନ୍ତଙ୍କ ୧୪ ପ୍ରତିଶତ। ଏହାସହ କଟକ ୭୬୯, ମୟୂରଭଞ୍ଜ ୫୮୩, ଢେଙ୍କାନାଳ ୫୧୦, ଯାଜପୁର ୪୯୩, ପୁରୀ ୪୩୮, ଭଦ୍ରକ ୪୧୯, ଅନୁଗୁଳ ୪୧୪, ବାଲେଶ୍ବର ୩୯୫, ସୁନ୍ଦରଗଡ଼ ୩୩୮, ଜଗତସିଂହପୁର ୩୧୭ ଓ ଷ୍ଟେଟ୍‌ ପୁଲରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ଆଜି ୧୦,୪୩୪ଜଣ କରୋନାରୁ ମୁକ୍ତ ହୋଇଛନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୧୩ହଜାର ୦୫୫‌ରେ ପହଞ୍ଚି ଯାଇଛି।

ସେହିପରି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୪,୯୮୯କୁ ଖସି ଆସିଛି। ତେବେ ବେଶ୍‌ କିଛି ଦିନ ହେବ ସଂକ୍ରମିତଙ୍କ ତୁଳନାରେ ରାଜ୍ୟରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେବା କାରଣରୁ ରାଜ୍ୟର ସୁସ୍ଥ ହାର ୯୦ପ୍ରତିଶତରେ ପହଞ୍ଚି ଯାଇଛି।

ସମ୍ବନ୍ଧିତ ଖବର