ରାଜ୍ୟରେ କରୋନାର ମୁକାବିଲା ଲାଗି ତତ୍ପରତା : ୮୦ଟି ଦେଶରୁ ଫେରିଥିବା ୨୧୩୧ଜଣଙ୍କ ପଞ୍ଜୀକରଣ

ନବୀନଙ୍କୁ ଅନୁକରଣ କର: ମୋଦୀ

ଭୁବନେଶ୍ବର : ରାଜ୍ୟରେ କରୋନାର ମୁକାବିଲା ଲାଗି ସରକାର ଓ ଲୋକମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିବା ପରେ ଦିନକୁ ଦିନ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତକାଲି ଏହି ସଂଖ୍ୟା ୧୨୩୯ ରହିଥିବା ବେଳେ ଆଜି ଏହା ୨୧୩୧ରେ ପହଞ୍ଚିଛି। ପ୍ରତି ଘଣ୍ଟାରେ ୮୦ଜଣ ଲୋକ ନିଜ ଆଡ଼ୁ ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରୁଛନ୍ତି। ଏ ପର୍ଯ୍ୟନ୍ତ ୮୦ଟି ଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ କରାଯାଇଛି। ତହିଁରେ ୟୁଏଇରୁ ସର୍ବାଧିକ ୨୦ ପ୍ରତିଶତ ବ୍ୟକ୍ତି ରହିଥିବା ବେଳେ ଆମେରିକାର ୯ ପ୍ରତିଶତ, ସାଉଦି ଆରବ ୫ ପ୍ରତିଶତ, ଇଂଲଣ୍ଡ ଓ ମାଲେସିଆରୁ ୪ ପ୍ରତିଶତ ଲୋକ ରହିଛନ୍ତି। ଚୀନ୍‌ରୁ ଫେରିଥିବା କୌଣସି ବ୍ୟକ୍ତି ପଞ୍ଜୀକରଣ କରି ନ ଥିବା ବେଳେ ଇଟାଲି ଓ ଫ୍ରାନ୍‌ସରୁ ବହୁତ କମ୍ ସଂଖ୍ୟକ ପଞ୍ଜୀକରଣ ହୋଇଛି ବୋଲି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଅନ୍ୟ ସାଧାରଣ ଦିନରେ ୧୦୪ ସହାୟତା ନମ୍ବରକୁ ଯେତିକି କଲ୍ ଆସିଥାଏ ‌ଏବେ ତାହା ୧୦ଗୁଣ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଏହି ନମ୍ବରକୁ ୧୩୬୨୭ଟି କଲ୍‌ ଆସିଛି। ରାଜ୍ୟରେ ଏବେ ଯେତିକି ସଂଖ୍ୟକ ଲୋକଙ୍କ ପଞ୍ଜୀକରଣ ହୋଇଛି ତହିଁରୁ ସର୍ବାଧିକ ଖୋର୍ଧା ଜିଲ୍ଲାରୁ ହିଁ କରାଯାଇଛି। ଏହା ପଛକୁ କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲା ରହିଛି। ଖୋର୍ଧା ଜିଲ୍ଲାରୁ ହିଁ କେବଳ ୩୭ ପ୍ରତିଶତ ପଞ୍ଜୀକରଣ ‌ହୋଇଛି। କେବଳ ମାଲକାନାଗିରିକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାରୁ ଲୋକମାନେ ପଞ୍ଜୀକରଣରେ ନିଜକୁ ସାମିଲ କରିଛନ୍ତି। ପଞ୍ଜୀକୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୬୦ବର୍ଷରୁ ଅଧିକ ୯୭ଜଣ ଲୋକ ରହିଥିବା ବେଳେ ୬୦-୮୦ବର୍ଷର ୯୬ଜଣ, ୮୦-୧୦୦ବର୍ଷର ଜଣେ ଓ ବଳକା ବ୍ୟକ୍ତିମାନେ ୬୦ବର୍ଷରୁ କମ୍ ରହିଛନ୍ତି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୪୭ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୬ଟି ନମୁନା ନେଗେଟିଭ୍ ରହିଛି। ଗୋଟିଏ ମାତ୍ର ନମୁନା ପଜିଟିଭ୍ ଆସିଛି। ପଜିଟିଭ୍ ଥିବା ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି। ଆଜି ସକାଳ ସେ ଉପମା, ଆଳୁ ମଟର ତରକାରି ଖାଇଥିବା ବେଳେ ଦ୍ବିପ୍ରହରରେ ଭାତ, ଡାଲ୍‌ମା, ମିକ୍ସଡ୍‌ ଭେଜିଟେବୁଲ ଓ ରୁଟି ଖାଇଛନ୍ତି। ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି। ତାଙ୍କର ଡବଲ ନେଗେଟିଭ୍ ଆସିବା ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ।

ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ଓ ସେସବୁ ନେଗେଟିଭ୍ ରହିଛି। ତେବେ ଆଜି ୬ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୮ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ମେଡିକାଲ କଲେଜ ହସ୍ପିଟାଲଗୁଡ଼ିକରେ ଆଇସୋଲେସନ୍‌ ସୁବିଧା ଉପଲବ୍ଧ ଅଛି। ଏବେ ସମୁଦାୟ ୫୪୦ଟି ଆଇସୋଲେସନ୍ ଶଯ୍ୟା ରହିଥିବା ବେଳେ ଆବଶ୍ୟକ ହେଲେ ଏହାକୁ ବଢ଼ାଯିବ। ରାଜ୍ୟର ବ୍ଲକସ୍ତର ପର୍ଯ୍ୟନ୍ତ କ୍ବାରାଣ୍ଟିନ୍ ବା ସଙ୍ଗରୋଧ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ‌ଶିବିର ପାଇଁ ଚିହ୍ନଟ କରାଯାଇଛି। ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛି। ରାଜ୍ୟର ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମ ପଞ୍ଚାୟତରେ ଏସବୁ ରହିଛି।

ଏହି ଅବସରରେ ଶ୍ରୀ ବାଗ୍‌ଚୀ କୋଭିଡ୍‌-୧୯ ପାଇଁ ସାମାଜିକ ଦୂରତା ଓ ସଙ୍ଗରୋଧ ଉପରେ ଗୁରୁତ୍ବ ଦେଇଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ଯେପରି ସ୍ନାନଯାତ୍ରା ସମୟ‌ରେ ଲୋକଙ୍କ ସଂସ୍ପର୍ଶରେ ଆସି ଜ୍ବରରେ ପୀଡ଼ିତ ରହିବା ସହିତ ୧୪ଦିନ ପାଇଁ ଅଣସର ଘରେ ରହିଥାନ୍ତି। ସେହିଭଳି ଭାବେ ଲୋକମାନେ ସଙ୍ଗରୋଧ ଉପରେ ଗୁରୁତ୍ବ ଦେବା ଦରକାର। ଆମେରିକାରୁ ଫେରି ଗଜପତି ମହାରାଜା, ମହାରାଣୀ ଓ ପରିବାରବର୍ଗ ସଙ୍ଗରୋଧରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବିଦେଶରୁ ଫେରିଥିବା ସଂପର୍କରେ ମୁଖ୍ୟମନ୍ତ୍ରୀ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ତେ‌ବେ ଯେଉଁ ବ୍ୟକ୍ତିମାନଙ୍କର ଦେହ ଭଲ ନାହିଁ ଓ ସ୍ବାସ୍ଥ୍ୟକର୍ମୀମାନେ କେବଳ ମାସ୍କ ପିନ୍ଧିବା ଜରୁରୀ। ନଚେତ୍ ସୁସ୍ଥ ଲୋକର ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ମିକ ଅନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଧର୍ମାନୁଷ୍ଠାନକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସାମାଜିକ ଦୂରତା ଓ ଅନ୍ୟ କେତେକ ପରାମର୍ଶ ମଧ୍ୟ ଦିଆଯାଇଛି। ତେବେ ଯଦି କୌଣସି ଧର୍ମାନୁଷ୍ଠାନ କରୋନା ସଂକ୍ରମଣ ରୋକିବା ପାଇଁ ଜାରି ସତର୍କତା ମୂଳକ ପଦକ୍ଷେପ ନେବାରେ ଅସମର୍ଥ ହୁଅନ୍ତି ତେବେ ସେମାନେ ତୁରନ୍ତ ସେହି ଅନୁଷ୍ଠାନକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶକ ନିୟନ୍ତ୍ରଣ କରିବା ଜରୁରୀ। ଧର୍ମାନୁଷ୍ଠାନରେ ଦୈନନ୍ଦିନ ନୀତିକାନ୍ତି ପୂର୍ବଭଳି ଚାଲୁ ରହିବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନବୀନଙ୍କୁ ଅନୁକରଣ କର: ମୋଦୀ, ଧର୍ମେନ୍ଦ୍ରଙ୍କ ପ୍ରଶଂସା
ଭୁବନେଶ୍ବର : ସରକାରୀ ୱେବ୍‌ସାଇଟ୍‌ରେ ବିଦେଶ ଫେରନ୍ତା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକରଣ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତାହାକୁ ଟ୍ବିଟ୍‌ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟମାନେ ତାଙ୍କୁ ଅନୁକରଣ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। କରୋନାକୁ ରୋକିବା କ୍ଷେତ୍ରରେ ଆମେ ସମସ୍ତେ ନିଜ ନିଜ ଦାୟିତ୍ବ ତୁଲାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ଟୁଇଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମୁକାବିଲା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବାରେ ନବୀନ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସଙ୍କଟର ଏହି ସମୟ‌େରେ ଆମେସବୁ ଏକାଠି ହୋଇ କରୋନାକୁ ହରାଇବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର