ଭୁବନେଶ୍ବର : ମଣିଷମରା କରୋନା ଭାଇରସ। ବର୍ଷ ସାରା (୨୦୨୦) ସମଗ୍ର ବିଶ୍ବକୁ ଛଟପଟ କରିଦେଲା। ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ମଲେ। କୋଟି କୋଟି ଲୋକ ଆକ୍ରାନ୍ତ ହେଲେ। ଧନୀ ହେଉ କି ଗରିବ ରାଷ୍ଟ୍ର ସବୁଠି ସମାନ ଅବସ୍ଥା। ପରାକ୍ରମୀ ଆମେରିକା ହେଉ କି ୟୁରୋପୀୟ ରାଷ୍ଟ୍ର, କେହି ବାଦ୍ ପଡ଼ିଲେନି। ଅତ୍ୟାଧୁନିକ ଜ୍ଞାନକୌଶଳ ହେଉ କି ଉନ୍ନତ ଚିକିତ୍ସା ବିଜ୍ଞାନ, କିଛି କାମ ଦେଲାନି। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ଜୀବନ ବଞ୍ଚାଇବା ଲାଗି ଭାରତ ସମେତ ବିଭିନ୍ନ ଦେଶ ଲକ୍ଡାଉନର ଆଶ୍ରୟ ନେଲେ। ସାଧାରଣ ଜୀବନଯାତ୍ରା ଠପ୍ ହୋଇଗଲା। ଦୋକାନ ବଜାର ଓ ଅଫିସ ବନ୍ଦ, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ବି ବନ୍ଦ। ଭଗବାନଙ୍କ ଘର ବୋଲି କୁହାଯାଉଥିବା ମନ୍ଦିର, ମସଜିଦ, ଗିର୍ଜା, ଗୁରୁଦ୍ବାରା ଭଳି ଧର୍ମାନୁଷ୍ଠାନରେ ବି ତାଲା ଝୁଲିଲା। ରାସ୍ତାରେ ମୋଟର ଯାନ ଗଡ଼ିଲାନି କି ଆକାଶରେ ବିମାନ ଉଡ଼ିଲାନି। ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସମଗ୍ର ବ୍ରହ୍ମାଣ୍ଡକୁ ନିଜ ଅକ୍ତିଆରକୁ ଆଣିବା ଲାଗି ଉଦ୍ୟମ କରିଥିବା ମାନବସମାଜ ଏତେ ଅସହାୟ! କିଏ କେବେ କଳ୍ପନା କରି ନଥିଲେ ଯେ ଏମିତି ବି ସମୟ ଆସିବ। ଏମିତି ଏକ ଅସହାୟ ଅବସ୍ଥାରେ ମଣିଷକୁ ଛାଡ଼ି ବିଦାୟ ନେଉଛି ୨୦୨୦।
ଏଇଥିପାଇଁ ଅନେକ ଲୋକ ବିଦାୟୀ ବର୍ଷକୁ ଅଭିଶପ୍ତ େବାଲି କହିବାକୁ ପଛାଉ ନାହାନ୍ତି। କିନ୍ତୁ ପ୍ରକୃତରେ କହିବାକୁ ଗଲେ ଏହି ବର୍ଷ ଟି ଥିଲା ଛଦ୍ମବେଶରେ ଆଶୀର୍ବାଦର ବର୍ଷ। କରୋନା ଭଳି ଛୋଟିଆ ଭୂତାଣୁ ସମ୍ମୁଖରେ ଅହଂକାରୀ ମଣିଷ କେତେ ଅସହାୟ ତାହା ଦେଖାଇଦେଲା। ଅର୍ଥନୀତି, ସ୍ବାସ୍ଥ୍ୟ ସେବା, ଚିକିତ୍ସା ବିଜ୍ଞାନରେ ଆମେ ଏବେ ବି କେତେ ପଛୁଆ ତାହର ନଗ୍ନ ରୂପ ଧରାଇଦେଲା କରୋନା। ଅର୍ଥନୀତି ଭୁଶୁଡ଼ି ପଡ଼ିଲା। ୧୨ କୋଟି ଲୋକ ରୋଜଗାର ହରାଇଲେ। ବିନା ଉପଯୁକ୍ତ ଯୋଜନାରେ ଲକ୍ ଡାଉନ୍ ଘୋଷଣା ହେବାରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଭୋକ ଉପାସରେ ଚାଲି ଚାଲି ଘରକୁ ଫେରିବା ଦୃଶ୍ୟ ୧୯୪୭ର ଦେଶ ବିଭାଜନ ଯନ୍ତ୍ରଣାକୁ ବି ବଳିଯାଇଥିଲା। ସ୍ବାସ୍ଥ୍ୟ ସେବା ଏବଂ ଚିକିତ୍ସା ବିଜ୍ଞାନରେ ଆମେ ଉନ୍ନତ ବୋଲି ବାହାସ୍ଫୋଟ ମାରୁଥିଲୁ। କିନ୍ତୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ସେବାର ଘୋର ଅଭାବ ପଡ଼ିଲା। ବର୍ଷ ବିତିଗଲା, କିନ୍ତୁ ଏହି ରୋଗର ଚିକିତ୍ସା ପାଇଁ ନା ଠିକ୍ ଔଷଧ ବାହାରିପାରିଲା ନା ଟିକା ବାହାରିଲା। କୋଭିଡ୍ ରହସ୍ୟ େହାଇ ରହିଗଲା।
ତେବେ ଏହାର ପ୍ରଭାବ ଆମକୁ କିଛି ନୂଆ କଥା ଶିଖାଇଛି ଏବଂ କିଛି ପୁରୁଣା କଥାର ଗୁରୁତ୍ବକୁ ମଧ୍ୟ ହୃଦୟଙ୍ଗମ କରିବାରେ ସହାୟକ ହୋଇଛି। ଅନେକ ଗୁରୁତର ରୋଗର କାରଣ ସାଜିଥିବା ମାରାତ୍ମକ ପ୍ରଦୂଷଣ ସ୍ତର ବହୁମାତ୍ରାରେ ହ୍ରାସ ପାଇଲା। ମଣିଷ ଏବଂ ଜୀବଜନ୍ତୁ ମୁକ୍ତ ପରିବେଶର ଆନନ୍ଦ ଉପଭୋଗ କରିପାରିଲେ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ପରିବାର ଠାରୁ ଦୂରେଇ ଯାଇଥିବା ମଣିଷ ଶେଷରେ ନିଜ ଲୋକମାନଙ୍କ ଗହଣରେ ସମୟ ବିତାଇବାକୁ ସୁଯୋଗ ପାଇଲେ। କୋଭିଡ୍ କଟକଣା ମଧ୍ୟେର ବିହାରରେ ବିଧାନସଭା ନିର୍ବାଚନର ଆୟୋଜନ ସବୁଠାରୁ ବଡ଼ ସଫଳତା କୁହାଯାଇପାରିବ। କାରଣ କେମିତି କମ୍ ଲୋକଙ୍କୁ ନେଇ ସମାବେଶ ଓ ଭୋଟ ଦାନ ହୋଇପାରିବ ତାହା ଏହି ନିର୍ବାଚନ ଉଦାହରଣ ସୃଷ୍ଟି କରିଥିଲା। ଆଉ ଗୋଟିଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଘର ଭିତରେ ରହି ମଧ୍ୟ ଡିଜିଟାଲ ପ୍ରଯୁକ୍ତି ବ୍ୟବସ୍ଥା ମାଧ୍ୟମରେ କିପରି ଅଫିସ କାମ ଏବଂ ବ୍ୟବସାୟ ପରିଚାଳନା କରିହେବ ସେଥିଲାଗି କରୋନା ସୁଯୋଗ ସୃଷ୍ଟି କରିଥିଲା।
କିନ୍ତୁ ଅର୍ଥନୀତି ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରେର ଦେଶ ଯେପରି ତଳିତାଳନ୍ତ ହେଲା ତାହା ଆମର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। କୋଭିଡ୍ ଭଳି ବିଶ୍ବମହାମାରୀ ସଙ୍କଟର ମୁକାବିଲା ଲାଗି ଆମର ପ୍ରଚଳିତ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏଦିଗରେ ଅଧିକ ଗବେଷଣା ଏବଂ ଅନୁଚିନ୍ତାର ଅବଶ୍ୟକତା ରହିଛି। ଧର୍ମାନୁଷ୍ଠାନ ଅପେକ୍ଷା ଡାକ୍ତରୀ ସେବାକୁ ପ୍ରାଥମିକତା ଦେବାକୁ ପଡ଼ିବ। ହଜାର ହଜାର ସଂଖ୍ୟାରେ ଧର୍ମାନୁଷ୍ଠାନ ଥିଲେ ମଧ୍ୟ କରୋନା ସମୟରେ କେବଳ ଡାକ୍ତରୀ ସେବା ହିଁ ଜରୁରୀ। ଏହାର ଅଭାବ କୋଟି କୋଟି ଲୋକଙ୍କୁ ପ୍ରଭାବିତ କଲା। ସେହିଭଳି ଆମର ଦୁର୍ବଳ ଅର୍ଥନୈତିକ ବ୍ୟବସ୍ଥା ଏବଂ ଦୂରଦୃଷ୍ଟିର ଅଭାବ ତଥା ମାତ୍ରାଧିକ ଆତ୍ମବିଶ୍ବାସ ହିଁ ସଙ୍କଟକୁ ଆହୁରି ଜଟିଳ କରିପକାଇଲା। ତେଣୁ ଏସବୁ କ୍ଷେତ୍ରରେ ନୂତନ ଭାବେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଯାହାଫଳରେ ଏଭଳି ପରିସ୍ଥିତି ଆସିଲେ ଏହାର ସଫଳ ମୁକାବିଲା କରାଯାଇ ପାରିବ।