ବାଲେଶ୍ବର: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ଜିଲ୍ଲାରୁ ଯାଇଥିବା ନମୁନା ମଧ୍ୟରୁ ଆଉ ୫୩ଟିର ରିପୋର୍ଟ ଆସିଛି। ସେଗୁଡ଼ିକ ସବୁ ନେଗେଟିଭ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା ପାଇଁ ଲାଗୁ କରାଯାଇଥିବା ନିର୍ଦେଶାବଳୀଗୁଡ଼ିକୁ ପୂର୍ବଭଳି ମାନିବାକୁ ପରାମର୍ଶ ଦିଆଯାଇଛି। କରୋନା ସନ୍ଦେହରେ ଜିଲ୍ଲାରୁ ଗତ ୫ ତାରିଖ ସୁଦ୍ଧା ଭୁବନେଶ୍ବର ଆରଏମ୍ଆରସିକୁ ୧୫୯ ସ୍ବାବ୍ ନମୁନା ପଠାଯାଇଥିଲା। ତନ୍ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ଆସିଥିବା ୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଆଜି ସଂଧ୍ୟାରେ ଆଉ ୫୩ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିବା ଜିଲ୍ଲା ପାଇଁ ଖୁସି ଖବର ପାଲଟିଛି।
ସୂଚନାଯୋଗ୍ୟ, ୬.୪.୨୦୨୦ ତାରିଖ ସୁଦ୍ଧା ଜିଲ୍ଲାକୁ ବିଦେଶରୁ ଆସିଥିବା ମୋଟ ୨୫୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ହୋମ୍ ଆଇସୋଲେସନ୍ରେ ରଖାଯାଇଛି। ସେହିପରି ଏହି ତାରିଖରେ ଅନ୍ୟ ରାଜ୍ୟରୁ ଜିଲ୍ଲାକୁ ୪୫୫ ଜଣ ଆସିଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏବେ ସୁଦ୍ଧା ଅନ୍ୟ ରାଜ୍ୟରୁ ଜିଲ୍ଲାକୁ ମୋଟ୍ ୧୭ହଜାର ୪୬୦ ଜଣ ଆସିଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାଯାଇଛି। ତେବେ କରୋନାର ଭୟାବହହତା ଚାରିଆଡ଼େ ମାଡ଼ିଚାଲିଥିବା ବାଲେଶ୍ବରବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜିଲ୍ଲାରେ ଲକ୍ଡାଉନ କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ସେବା ଉପଲବ୍ଧ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଉଥିବା ସୂଚନା ଦିଆଯାଇଛି।