କଡ଼ାକଡ଼ି ହେଲା କଟକଣା : ଏକାଠି ହୋଇପାରିବେନି ୭ରୁ ଅଧିକ

ସରକାରୀ ବୈଠକ, ସଭା ସମିତି ମନା, ରେସ୍ତୋରାଁ, ବାର୍‌, କ୍ୟାଣ୍ଟିନ୍ ବନ୍ଦ, ଟ୍ୟାକ୍ସି, ଅଟୋ ଦିନେ ଛଡ଼ା ଦିନେ ଚାଲିବ

ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆଜି କଠୋର ହୋଇଛନ୍ତି। ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇପାରବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଏବେ ସୁଦ୍ଧା ୨ଜଣ କରୋନା(କୋଭିଡ୍‌-୧୯) ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର କରୋନା ଓ ମୌଳିକ ସେବା ପରିଚାଳନା ସଂପର୍କିତ ବୈଠକ ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅନ୍ୟ କୌଣସି ସଭା ବା ବୈଠକ ହୋଇପାରିବ ନାହିଁ ବୋଲି ଘୋଷଣା କରିଛନ୍ତି। ଜରୁରୀ ବୈଠକରେ ପରସ୍ପରଠାରୁ ୨ମିଟର ଦୂରତା ଅବଲମ୍ବନକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକ ପଡ଼ିଲେ, ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇପାରିବ ।

ଆଜି କରେନା(କୋଭିଡ୍‌-୧୯) ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ସମସ୍ତ ସରକାରୀ ଉତ୍ସବ, ଜୟନ୍ତୀ, ସ୍ମୃତି ଦିବସ ସମେତ ପ୍ରତିମୂର୍ତ୍ତି‌ରେ ମାଲ୍ୟାର୍ପଣ ଆଦିକୁ ସ୍ଥଗିତ ରଖାଯାଇଛି। ରାଜ୍ୟର ସମସ୍ତ ଏସ୍‌ସି/ଏସ୍‌ଟି ଛାତ୍ରାବାସଗୁଡ଼ିକ ଆସନ୍ତା ୨୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକ ସଂଖ୍ୟାରେ ଲୋକ ଏକତ୍ର ବସି ଖାଉଥିବା ବା ଏକତ୍ରିତ ହେଉଥିବା ସମସ୍ତ ରେସ୍ତୋରାଁ, କଫି ସପ୍ ଓ କ୍ୟାଣ୍ଟିନ୍ ଇତ୍ୟାଦିକୁ ତୁରନ୍ତ ବନ୍ଦ କରାଯିବାକୁ ନିର୍ଦେଶ ଦିଆଯାଇଛି। ହୋଟେଲଗୁଡ଼ିକରେ ଥିବା ରେସ୍ତୋରାଁରେ ଅତିଥିମାନଙ୍କ ମଧ୍ୟରେ ଅତି କମ୍‌ରେ ୨ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସହରାଞ୍ଚଳ ସୀମା ମଧ୍ୟରେ ଚଳାଚଳ କରୁଥିବା ଟ୍ୟାକ୍ସି, ଅଟୋ ସମେତ ସମସ୍ତ ପରିବହନ ଗାଡ଼ିଗୁଡ଼ିକ ଦିନେ ଛଡ଼ା ଦିନେ ଯାତାୟାତ କରିବେ। ସଂପୃକ୍ତ କର୍ତ୍ତୃପକ୍ଷ ଏହାକୁ ସୁନିଶ୍ଚିତ କରିବା ଲାଗି କୁହାଯାଇଛି। ମାତ୍ର ସମସ୍ତ ଦୋକାନ, ହାଟ ଓ ସପିଂ କମ୍ପ୍ଲେକ୍ସ ଆଦିରେ କେବଳ ପରିବାପତ୍ର, ସଉଦା, ମାଂସ, ଚିକେନ, ମାଛ, ଅଣ୍ଡା ଓ ଦୈନନ୍ଦିନ ଅତ୍ୟାବଶ୍ୟକ ପଦାର୍ଥ ଆଦି ବିକ୍ରି ହୋଇପାରିବ।

ବିଦେଶୀ ନାଗରିକଙ୍କୁ ଅନେକ ଜାଗାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଥିବା ନେଇ ଶ୍ରୀ ବାଗ୍‌ଚୀ ସୂଚାଇଥିଲେ ଯେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତଙ୍କୁ ଅପିଲ କରଯାଇଛି ଯେ କୌଣସି ବିଦେଶୀ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ଯଦି ବି କେହି ବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କୁ ଅସଦାଚରଣ କରିଥିବେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସ୍ୱାସ୍ଥ୍ୟକର୍ମୀଙ୍କୁ ବାଧା ନଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସବୁ ସ୍ୱାସ୍ଥ୍ୟ କର୍ମଚାରୀ ଓ ନର୍ସଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିବା ନେଇ ସେ ଏହି ଅବସରରେ ସୂଚନା ଦେଇଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର