ବିଦେଶ-ପ୍ରଦେଶ ଫେରନ୍ତାଙ୍କୁ ଗାଁ’ ପ୍ରବେଶ କଟକଣା ନେଇ ମୁଣ୍ଡ ଟେକିଲାଣି ଗୋଷ୍ଠୀ ବିବାଦ : ଗ‌ାଁ’ରେ ସୃଷ୍ଟି ହେଲାଣି ଅଶାନ୍ତ ପରିବେଶ ସହ ମୁହାଁମୁହିଁ ପରିସ୍ଥିତି

ପୁରୀ : ବିଶ୍ବବ୍ୟାପୀ କରୋନା ମହାମାରୀ ରୂପ ନେବାକୁ ବସିଲାଣି। ଦୈନିକ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ଏହାକୁ ପ୍ରତିହତ ପାଇଁ ସାରା ଦେଶରେ ତାଲାବନ୍ଦ ଘୋଷଣା କରାଯାଇଛି। ଯେଉଁଥି ପାଇଁ ବିଦେଶ ତଥା ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ, ଚାକିରିଆମାନେ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଗାଁ ଗହଳିରେ ତାଟିକବାଟ ପଡ଼ିଲାଣି। ବିଦେଶ, ପ୍ରଦେଶ ଫେରନ୍ତାଙ୍କ ସମେତ ବାହାର ଲୋକଙ୍କୁ ଗାଁ ପ୍ରବେଶରେ କଟକଣା ଲଗାଇ ଦିଆଯାଇଛି। ଗାଁ ମୁଣ୍ଡରେ ବାଉଁଶ ପଥର ରଖି ବାଟ ବନ୍ଦ କରି ଦିଆଯାଇଛି। ଏହାକୁ ନେଇ ଗାଁ ଗାଁରେ ଏକ ସାମାଜିକ ଅସନ୍ତୁଳନ ଦେଖାଦେଲାଣି। ଅଶାନ୍ତ ପରିବେଶ ସହ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହେଲାଣି। ଯାହା ଭବିଷ୍ୟତରେ ଭୟଙ୍କର ପରିବେଶ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଛି।

ଜିଲ୍ଲାର ସଦର ବ୍ଲକ୍ କଥା ହେଉ କି ଅନ୍ୟ ବ୍ଲକ, ସବୁଠି ଏବେ କରୋନାକୁ ନେଇ ଏଭଳି ପରିସ୍ଥିତି ଦେଖାଦେଇଛି। ଯେଉଁମାନେ ରୋଜଗାରଶୂନ୍ୟ ହୋଇ ଗାଁ’କୁ ଆଶ୍ରା ନେଇ ଫେରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଉଛି। ଯାହା ଗଣ୍ଡଗୋଳର ସୂତ୍ରପାତ କରୁଛି। ପୁରୀ ସଦର ବ୍ଲକ୍ ଉପରେ ନଜର ପକାଇଲେ, ଏଠାର ଅଧିକାଂଶ ଦାଦନ ଖଟିବାକୁ ସୁରତ ଯାଇଥିଲେ। ସେଠାରେ କାମଧନ୍ଦା ବନ୍ଦ ହୋଇଯିବା ପରେ ଏମାନେ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କିନ୍ତୁ ଗାଁ ଲୋକେ ସେମାନଙ୍କୁ ସାମାଜିକ ବାସନ୍ଦ କରି ରଖୁଛନ୍ତି। ଏଭଳି ପରିସ୍ଥିତିରେ ଗାଁରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଲାଣି।

ବିଦେଶ ତଥା ପ୍ରଦେଶ ଫେରନ୍ତାଙ୍କ ସଂପର୍କୀୟ ତଥା ସମର୍ଥକ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହେଲେଣି। ପ୍ରଶାସନ ଏ ଦିଗରେ ନଜର ଦେବା ଆବଶ୍ୟକ ହୋଇପଡ଼ିଛି। ଜିଲ୍ଲା ପ୍ରଶାସନର ଆକଳନ ମୁତାବକ, ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୪ ହଜାର ପ୍ରଦେଶ ଫେରନ୍ତା ଆସିଛନ୍ତି। ଏମାନଙ୍କ ଉପରେ ନଜର ରଖାଯାଇଛି। ଖୋଦ୍‌ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। କିନ୍ତୁ ଏହାଠାରୁ ଢ଼େର୍‌ ଅଧିକ ରାଜ୍ୟ ବାହାରୁ ଜିଲ୍ଲାକୁ ପଶି ଆସିଥିବା ଜଣାପଡ଼ିଛି। ଯେଉଁମାନଙ୍କ ହିସାବ ଏବେ ପ୍ରଶାସନ ପାଖରେ ନାହିଁ। ଏହା ସଂକ୍ରମଣର ଭୟ ଯେତିକି ସୃଷ୍ଟି କରୁଛି, ସେହି ଅନୁସାରେ ଗଣ୍ଡଗୋଳର ବାତାବରଣ ବି ସୃଷ୍ଟି କରୁଛି। ପ୍ରଶାସନ ଓ ପୁଲିସ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି।

ସମ୍ବନ୍ଧିତ ଖବର