ବଢ଼ିଚାଲିଛି କରୋନା ସଂକ୍ରମଣ: ଓଡ଼ିଶାରେ ଶଯ୍ୟା ସଂଖ୍ୟା ୫ ଗୁଣ ବଢ଼ିବ, ଆଇସିୟୁ ବେଡ୍‌ ବି, ପ୍ରସ୍ତୁତି ଜୋରଦାର କଲେ ସରକାର

ଲଗାତର ତୃତୀୟ ଦିନରେ ସଂକ୍ରମଣ ୩ ହଜାର ଉପରେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଅଭାବନୀୟ ଭାବେ ବଢ଼ିଚାଲିଛି। ଏହାକୁ ନଜରରେ ରଖି ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ବଢ଼ାଇବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଗତ ବର୍ଷ ଠାରୁ ଏଥର କୋଭିଡ୍‌ ଶଯ୍ୟା ସଂଖ୍ୟା ୫ ଗୁଣ ବୃଦ୍ଧି କରାଯିବ। ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ୍‌, ଜିଲ୍ଲା ହସ୍ପିଟାଲ୍‌ ଓ ମେଡିକାଲ କଲେଜଗୁଡ଼ିରେ ଏହି ଶଯ୍ୟା ବଢ଼ିବ। ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁଯାୟୀ ରୋଗୀଙ୍କ ପାଇଁ ୪ଟି କାଟୋଗୋରିର ଶଯ୍ୟା ଦରକାର ପଡୁଛି। ସାଧାରଣ, ଅକ୍ସିଜେନ ସପୋର୍ଟ, ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ଶଯ୍ୟା। ଏହା ମଧ୍ୟରୁ ଆଇସିୟୁ ଶଯ୍ୟା ସଂଖ୍ୟା ୨ ଗୁଣା ବୃଦ୍ଧି କରାଯିବ। କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ଶଯ୍ୟା ଦିଆଯିବ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଏବେ ସାଧାରଣ ଶଯ୍ୟାରେ ୨୫ ପ୍ରତିଶତ ଓ ଆଇସିୟୁ ଶଯ୍ୟାରେ ୬୦ ପ୍ରତିଶତ ରୋଗୀ ଅଛନ୍ତି। ସେହିପରି ଭେଣ୍ଟିଲେଟର୍‌ ଶଯ୍ୟାରେ ୧୮ ପ୍ରତିଶତ ରୋଗୀ ରହିଛନ୍ତି। ୨୪୮ ଭେଣ୍ଟିଲେଟର୍‌ ଶଯ୍ୟାରୁ ୪୫ ଶଯ୍ୟାରେ ରୋଗୀ ରହିଛନ୍ତି। ରାଜ୍ୟରେ ମୋଟ ୫୪୧ ଟି ଆଇସିୟୁ ଶଯ୍ୟା ଥିଲା ବେଳେ ଏବେ ୩୨୯ ଜଣ ରୋଗୀ ଏଥିରେ ଅଛନ୍ତି। ଏହ ସହ ରୋଗୀ ମାନଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଜିଲ୍ଲା ପାଇଁ ଡାକ୍ତର ନିୟୋଜିତ କରାଯାଉଛି। ସେପଟେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ଯେଭଳି ଅକ୍ସିଜେନର ଅଭାବ ଅନୁଭୂତ ନ ହୁଏ ସେଥିପାଇଁ ୧୦ ଗୁଣ ଅଧିକ ଅକ୍ସିଜେନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ୍‌ଗୁଡ଼ିକରେ ଶଯ୍ୟା ସମସ୍ୟା ଦେଖାଦେଇନି। ୪୦୦ ଭେଣ୍ଟିଲେଟର୍‌ ପ୍ରସ୍ତୁତ ରଖାଯାଇଛି ଓ ଆବଶ୍ୟକ ସମୟରେ ଏହାକୁ ବ୍ୟବହାର କରାଯିବ।

ଅପର ପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ି ଚାଲିଛି। ଲଗାତର ତୃତୀୟ ଦିନରେ ସଂକ୍ରମଣ ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କୋଭିଡ୍‌ ପଜିଟିଭ୍ ସଂଖ୍ୟା ୩,୬୬୪ ରହିଛି। ସଙ୍ଗରୋଧ କେନ୍ଦ୍ରରୁ ୨,୧୨୭ ଏବଂ ସ୍ଥାନୀୟ ସଂକ୍ରମଣ ୧,୫୩୭। ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ ରହିଛି। ଏଠାରୁ ସର୍ବାଧିକ ୭୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଲିକାର ଦ୍ବିତୀୟରେ ସୁନ୍ଦରଗଡ଼(୩୪୦) ଓ ତୃତୀୟରେ କଳାହାଣ୍ଡି(୩୨୪) ରହିଛନ୍ତି। ୧୦ଟି ଜିଲ୍ଲାରେ ସଂକ୍ରମଣ ୧୦୦ ଉପରେ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୨୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର