ବଲାଙ୍ଗୀର/ବରଗଡ଼ : ପଶ୍ଚିମ ଓଡ଼ିଶାରେ ଏବେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତା ସାଙ୍ଗକୁ ପ୍ରତିଦିନ ଗଡ଼ୁଛି ମୁଣ୍ଡ। ଚାରିଆଡ଼େ ଆତଙ୍କର ବାତାରଣ। କୋଭିଡ୍ ପରୀକ୍ଷା ହେଉ କି ଆକ୍ରାନ୍ତଙ୍କ ଚିକିତ୍ସା, ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ସ୍ଥିତିକୁ ଆହୁରି ସଂଗିନ କରୁଛି। କେଉଁଠି ଆବଶ୍ୟକ ସଂଖ୍ୟକ ଶଯ୍ୟା, ଭେଣ୍ଟିଲେଟର୍ ନାହିଁ ତ କେଉଁଠି ଅନଭିଜ୍ଞ ଡାକ୍ତର ଦ୍ବାରା ହେଉଛି ଚିକତ୍ସା। ଏଭଳି ପରିସ୍ଥିତିରେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଥିବା ଲୋକେ ଉପଯୁକ୍ତ ଚିକିତ୍ସା ପାଇଁ ଅନ୍ୟତ୍ର ଧାଉଁଥିବା ବେଳେ ନଥିଲାବାଲା ଭଗବାନ ଭରସାରେ ସ୍ଥାନୀୟ କୋଭିଡ୍ ହସପିଟାଲରେ ପଡ଼ିରହୁଛନ୍ତି। ବିଶେଷତଃ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ଅନେକ ରୋଗୀ ଚିକିତ୍ସା ପାଇଁ ଛତିଶଗଡ଼ ଯାଉଛନ୍ତି।
ବଲାଙ୍ଗୀର ଜିଲ୍ଲାରେ ଯାଏ ବେସରକାରୀ ଭାବେ ୫୦ରୁ ଅଧିକ କରୋନା ରୋଗୀ ଆଖି ବୁଜିଲେଣି। ସରକାରୀ ଚିକିତ୍ସାକୁ ନେଇ ନାନା ରକମର ଅଭିଯୋଗ। କୋଭିଡ ଡାକ୍ତରଖାନାରେ ବି ଅଭିଜ୍ଞ ଡାକ୍ତରଙ୍କ ଅଭାବ। କିଛି ନୂଆ ଡାକ୍ତରଙ୍କୁ ନେଇ ଚାଲିଛି କୋଭିଡ ହସପିଟାଲ। ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇ ପାରୁ ନାହାନ୍ତି ରୋଗୀ। ବଲାଙ୍ଗୀରର ଯୁବ ସଂଗଠକ ତଥା ନାଟ୍ୟ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଅନେକ ଅଭାବ ଅସୁବିଧା ସାମ୍ନାକୁ ଆଣିଛି। ତାଙ୍କ ବନ୍ଧୁ ପରିଜନଙ୍କ ସିଧାସିଧା ଅଭିଯୋଗ, ଜ୍ୟୋତିଙ୍କ ସବୁ କିଛି ଠିକ୍ଠାକ୍ ଥିଲା। କିନ୍ତୁ ହଠାତ ଯେତେବେଳେ ଅସୁସ୍ଥ ହୋଇପଡ଼ିଥିଲେ ତାଙ୍କୁ କୋଭିଡ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିଶେଷଜ୍ଞ ଡାକ୍ତରଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ଡାକ୍ତର ପୂରା ଘଟଣାକୁ ମ୍ୟାନେଜ କରିଥିଲେ। ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରୁ ବିଶେଷଜ୍ଞ ଡାକିବାକୁ ବାରବାର ଅନୁରୋଧ କରିଥିଲେ ତାଙ୍କ ବନ୍ଧୁ ପରିଜନ। କୌଣସି ଅଭିଜ୍ଞ ଡାକ୍ତର ଆସିଲେ ନାହିଁ। ଶେଷରେ ଆଖି ବୁଜିଦେଲେ ଜ୍ୟୋତି। ଚିକିତ୍ସକ ପରର କଥା, ଏଠି ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟରେ ବି ଅନେକ ଅଭିଯୋଗ। ୨୧ଟି ୱାର୍ଡ ଥିବା ବଲାଙ୍ଗୀର ପୌରପାଳିକାରେ ଆରମ୍ଭ ହୋଇଛି ଘରଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା। କିନ୍ତୁ ନିଅଣ୍ଟିଆ ସ୍ୱାସ୍ଥ୍ୟ କର୍ମୀଙ୍କ ଯୋଗୁଁ ତ୍ୱରିତ ବେଗରେ ଆଗେଇ ପାରୁନି କାମ। ଟେଷ୍ଟ ରିପୋର୍ଟ ଆସିବାରେ ବି ଅହେତୁକ ବିଳମ୍ବ। ଯାହା ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସାଧାରଣ ଲୋକଙ୍କ ଅଭିଯୋଗ।
ବଲାଙ୍ଗୀର ଜିଲ୍ଲାରେ ଯାହାର ଟଙ୍କା ଅଛି, ଟିକିଏ ବି କରୋନା ଲକ୍ଷଣ ଦେଖାଦେଲେ ସମସ୍ତେ ରାୟପୁରମୁହାଁ ହେଉଛନ୍ତି। ଦଶଦିନର ଚିକିତ୍ସା ପାଇଁ ଅତି କମରେ ୩ ଲକ୍ଷ ଟଙ୍କା ଦେଇ ଚିକିତ୍ସିତ ହେଉଛନ୍ତି। ଅଧିକରୁ ଅଧିକ ବଡ଼ ବ୍ୟବସାୟୀମାନେ ରାୟପୁରକୁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ପଛୁଆ ବଲାଙ୍ଗୀର ଜିଲ୍ଲାର ଗରିବଗୁରୁବା ଚିକିତ୍ସା ନ ପାଇ ଛଟପଟ ହେଉଛନ୍ତି।
ବରଗଡ଼ ଜିଲ୍ଲାର ଅବସ୍ଥା ମଧ୍ୟ ତଦୃପ। ମାତ୍ର ମାସେ ଭିତରେ ବରଗଡ଼ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ୩ହଜାର ଡେଇଁଛି। ଜିଲ୍ଲାରେ କରୋନାର ପ୍ରକୋପ ଶୀର୍ଷସ୍ତରରେ ରହିଛି। ବେସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୬୦ ଉପରେ। ସ୍ଥିତି ଏଭଳି ଯେ ସାଧନ ଅଭାବ ଯୋଗୁଁ ଅର୍ଥିକ ସ୍ବଚ୍ଛଳ ଥିବା ରୋଗୀମାନେ ଛତିଶଗଡ଼କୁ ଚିକିତ୍ସା ପାଇଁ ଯାଉଛନ୍ତି। ବରଗଡ଼ ଜିଲ୍ଲାରେ ମୋଟ୍ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ରହିଛି। ଏହାବାଦ୍ ଶହେ ଶଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ୍ କେୟାର ସେଣ୍ଟର ରହିଛି। କୋଭିଡ୍ ହସ୍ପିଟାଲରେ ୬ଟି ଭେଣ୍ଟିଲେଟର୍ ବ୍ୟବସ୍ଥା ରହିଛି। ବେସରକାରୀ ଭାବେ ୫ଟି ବାଇପାପ୍ ମେସିନ୍ ଉପଲବ୍ଧ। କିନ୍ତୁ ରୋଗୀ ସଂଖ୍ୟା ଦେଖିଲେ ଏସବୁ ଭିତ୍ତିଭୂମି ଅତି ସ୍ବଳ୍ପ ମନେ ହେଉଛି। ରୋଗୀଙ୍କୁ ହସ୍ପିଟାଲରେ ଶଯ୍ୟାଟିଏ ପାଇବାକୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ବହୁ ଲୋକ କରୋନାରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନା ଯିବାକୁ ଚାହୁଁଛନ୍ତି, ହେଲେ ପୂର୍ବରୁ ହିଁ ସବୁ ଶଯ୍ୟା ଭର୍ତ୍ତି ରହୁଛି। ଯଦ୍ବାରା ଲୋକେ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଚିକିତ୍ସା ପାଇଁ ଯିବାକୁ ପସନ୍ଦ କରୁଛନ୍ତି। ଛତିଶଗଡ଼ର ବିଭିନ୍ନ ସହରରେ ହୋଟେଲଗୁଡ଼ିକୁ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ ଭାବେ ପରିଣତ କରାଯାଇଛି। ଦକ୍ଷ ଡାକ୍ତର ନିଯୁକ୍ତ ରହୁଛନ୍ତି। ଦୈନିକ ଦୁଇଥର ଡାକ୍ତର ରାଉଣ୍ଡରେ ଆସୁଛନ୍ତି। ରୋଗୀ ଗୁରୁତର ହେଲେ ତାଙ୍କୁ ତୁରନ୍ତ ଆଇସିୟୁ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଫରକ୍ ଏତିକି, ସେଠାରେ ଦୈନିକ ଖର୍ଚ୍ଚ ବେଶି ହେଉଛି। ଜଣେ ରୋଗୀଙ୍କ ଦିନକର ଔଷଧ, ଡାକ୍ତର ଖର୍ଚ୍ଚ ଏବଂ ଖାଦ୍ୟପେୟ ବାବଦକୁ ଦୈନିକ ପ୍ରାୟ ୮ହଜାର ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ସହଜରେ ଶଯ୍ୟା ଏବଂ ଚିକିତ୍ସା ଉପଲବ୍ଧ ରହୁଥିବାରୁ ଲୋକେ ଛତିଶଗଡ଼ ପଳାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/coron-vv.jpg)