ପୁରୀରେ ବିଗିଡ଼ିପାରେ କରୋନା ସ୍ଥିତି, ଆର୍‌-ଭାଲ୍ୟୁ ୨ ନିକଟତର 

ସୁନ୍ଦରଗଡ଼, ବଲାଙ୍ଗୀର, ଖୋର୍ଧାରେ ମଧ୍ୟ ବଢ଼ିପାରେ

ଭୁବନେଶ୍ବର, (କ୍ଷିତୀଶ ରାୟ): ପୁରୀରେ କରୋନା ସ୍ଥିତି ବିଗିଡ଼ି ଯାଇପାରେ। କରୋନା ଭୂତାଣୁ ସଂକ୍ରମଣର ଆର(ରିପ୍ରଡକସନ୍‌) ଭ୍ୟାଲୁ ୨ ଏବେ ନିକଟତର ହୋଇଛି। ଅର୍ଥାତ୍ ପୁରୀରେ ଜଣେ ସଂକ୍ରମିତ ବ୍ୟକ୍ତି ଏବେ ଅନ୍ୟ ୨ଜଣଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛନ୍ତି। ଯଦି ଏହଭଳି ଭାବେ ସଂକ୍ରମଣ ଆଗକୁ ଯାଏ ତା’ହେଲେ ପୁରୀରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି।

କେବଳ ପୁରୀ ଜିଲ୍ଲା ନୁହେଁ ସୁନ୍ଦରଗଡ଼, ବଲାଙ୍ଗୀର, ଖୋର୍ଧା ଜିଲ୍ଲାରେ ଆର ଭ୍ୟାଲୁ ୧ ଟପିଯାଇଛି। ଯଦିଓ ସାରା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି, ମାତ୍ର ଏହି ଜିଲ୍ଲାଗୁଡ଼ିକରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏଭଳି ପରିସ୍ଥିତିରେ ସାମାନ୍ୟତମ ଢିଲା ପୁରୀ ପାଇଁ ବିପଦ ଡାକିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ଲୋକମାନେ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ଓ ଅଧିକାଂଶ ଲୋକ ଟିକା ନ ନେବା ଯାଏ ସଚେତନତା ଜାରି ରଖିବାର ଆବଶ୍ୟକତା ରହିଛି।

ଆସନ୍ତା ୧୬ତାରିଖରେ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟରେ ଦୁଇ ଦୁଇଟି ଟିକା ପହଞ୍ଚିସାରିଛି। ହେଲେ ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହି ସଂଖ୍ୟା ଯଥେଷ୍ଟ କମ୍ ଥିବାରୁ ପୁରୀରେ ମାତ୍ର ୬୩୦୦ ଟିକା ଡୋଜ୍ ଦିଆଯାଇଛି। ତେଣୁ ଲୋକମାନେ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇ ପଡ଼ିଛି। ଚେନ୍ନାଇସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ମା‌ଥମେଟିକାଲ ସାଇନ୍‌ସ ବା ଆଇଆଇଏମ୍‌ଏସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଜାନୁଆରି ୭ତାରିଖ ପର୍ଯ୍ୟନ୍ତ ପୁରୀରେ ଆର ଭ୍ୟାଲୁ ୨.୨୮ ରହିଥିଲା। ଯାହାକି ବେଶ୍‌ ଚିନ୍ତାଜନକ। ଗତ ସପ୍ତାହରେ ଏଥିରେ ସାମାନ୍ୟ ହ୍ରାସ ହୋଇଥିଲେ ହେଁ, ଆର ଭ୍ୟା‌ଲୁ ୨ ନିକଟତର ରହିଛି। ଯଦିଓ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି, ମାତ୍ର ଆର ଭ୍ୟାଲୁ ୨ନିକଟତର ହୋଇଥିବାରୁ କୌଣସି ମୁହୂର୍ତରେ ସ୍ଥିତି ବିଗିଡ଼ି ଯାଇପାରେ ବୋଲି ଆଶଙ୍କା ରହିଛି।

ସେହିପରି ବଲାଙ୍ଗୀର, ଖୋର୍ଧା, ସୁନ୍ଦରଗଡ଼ରେ ଆର ଭ୍ୟାଲୁ ୧ ଉପରେ ରହିଛି। ସୁନ୍ଦରଗଡ଼ରେ ଜାନୁଆରି ୫ତାରିଖ ପର୍ଯ୍ୟନ୍ତ ଆର ଭ୍ୟାଲୁ ୦.୭୯ ରହିଥିବା ବେଳେ ୧୦ତାରିଖ ବେଳକୁ ଏହା ୧.୦୯କୁ ବୃଦ୍ଧି ହୋଇଛି। ଖୋର୍ଧାରେ ଜାନୁଆରି ୪ ତାରିଖ ବେଳକୁ ଆର ଭ୍ୟାଲୁ ୦.୭୦ ରହିଥିବା ବେଳେ ୧୦ତାରିଖ ବେଳକୁ ବୃଦ୍ଧି ପାଇ ୧.୨୨ରେ ପହଞ୍ଚି ଯାଇଛି। ଅପରପକ୍ଷରେ ଭୁବନେଶ୍ବର ଏହା ୧ତଳକୁ ରହିଛି। ଜାନୁଆରି ୯ତାରିଖ ପର୍ଯ୍ୟନ୍ତ ଆର ଭ୍ୟାଲୁ ଭୁବନେଶ୍ବରରେ ୦.୯୮ ପ୍ରତିଶତ ରହିଥିଲା। ସେହିପରି ଜାନୁଆରି ୧୦ତାରିଖ ପର୍ଯ୍ୟନ୍ତ କଟକରେ ଆର ଭ୍ୟାଲୁ ୦.୫୧ ରେକର୍ଡ କରାଯାଇଛି। ଯେହେତୁ ରାଜଧାନୀରେ ଦିନକୁ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ହେଉଥିବାରୁ ଆର ଭ୍ୟାଲୁ କମିବାରେ ଲାଗିଛି। ଓଡ଼ିଶାରେ କରୋନା ସଂକ୍ରମଣର ଆର ଭ୍ୟାଲୁ ୧ ତଳକୁ ରହିଛି। ଯେହେତୁ ପୁରୀରେ ଆର ଭ୍ୟାଲୁ ୨ନିକଟତର ହୋଇଛି ସେଠାରେ ଢିଲାପଣ ବିପଦକୁ ଡାକିପାରେ ବୋଲି କହିଛନ୍ତି ଆଇଆଇଏମ୍‌ଏସ୍‌ର ପ୍ରଫେସର ସୀତଭ୍ର ସିହ୍ନା।

ବରିଷ୍ଠ ଚିକିତ୍ସକ ଡା.ନିରଜ ମିଶ୍ର କହିଛନ୍ତି, ଯଦି ପୁରୀରେ ଆର ଭ୍ୟାଲୁ ୨ନିକଟତର ହୋଇଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଲୋକମାନେ କରୋନା ସତର୍କତାରେ କୌଣସି ବି ଢିଲା ଦେବା ଉଚିତ୍ ନୁହେଁ। ନିକଟରେ ପୁରୀ ଶ୍ରୀମନ୍ଦିର ଖୋଲିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଆସିବାକୁ ଆରମ୍ଭ କରିଛନ୍ତି। ଯଦିଓ ଓଡ଼ିଶାରେ କରୋନା ସଂକ୍ରମଣ ହ୍ରାସ ପାଇଛି ରାଜ୍ୟ ବାହାରୁ ବିଶେଷକରି ପଶ୍ଚିମବଙ୍ଗ ଏବେ ବି ସଂକ୍ରମଣ ଜାରି ରହିଛି। ତେଣୁ ସେଠାରୁ ପର୍ଯ୍ୟଟକ ଆସୁଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ପରିସ୍ଥିତି ଯେପରି ନିୟନ୍ତ୍ରଣ ବାହାରକୁ ଚାଲି ନ ଯାଏ ତାହା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେହିପରି ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିବା ସମୟରେ ଗଞ୍ଜାମ, ଭୁବନେଶ୍ବରରେ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇଥିଲେ ‌ଓ ସେମାନଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ଯାହାଫଳରେ ସେରୋ ସର୍ବେକ୍ଷଣରେ ଭୁବନେଶ୍ବରରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। କରୋନା ସଂକ୍ରମଣ କ୍ଷେତ୍ରରେ ୫୦-୬୦ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥାଏ। ଗତ ୨ମାସ ତଳେ ଏହା ଦେଖିବାକୁ ମିଳିଥିବାରୁ ଏହା ଆହୁରି କିଛି ମାସ ବଜାୟ ରହିବ ବୋଲି ଆଶା କରାଯାଉଛି। ତେବେ ଆହୁରି ୬ମାସ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଡା.ମିଶ୍ର କହିଛନ୍ତି।

ଆର୍‌-ଭାଲ୍ୟୁ କ’ଣ?
ଆର୍‌-ଭାଲ୍ୟୁ ବା ବେସିକ ରିପ୍ରଡକସନ୍‌ ନମ୍ବର। ଏକ ଭୂତାଣରୁ ସଂକ୍ରମିତ କରିବାର କ୍ଷମତାକୁ ଆର୍‌-ଭାଲ୍ୟୁ କୁହାଯାଏ। ଏହାର କୌଣସି ସ୍ଥାୟୀ ସଂଖ୍ୟା ନାହିଁ। ବିଭିନ୍ନ ଭୂତାଣରୁ ଭିନ୍ନ ଭିନ୍ନ ଆର୍‌-ଭାଲ୍ୟୁ ରହିଛି। ଏହା ଅନେକ କ୍ଷେତ୍ର ଉପରେ ନିର୍ଭର କରିଥାଏ। ଜନଗହଳି, ଲୋକମାନଙ୍କ ସଚେତନତା ଓ ରୋଗ ପ୍ରତିରୋଧକ ଶକ୍ତି ଅନୁସାରେ ଏହା ଭିନ୍ନ ଭିନ୍ନ ହୋଇଥାଏ। ଗୋଟିଏ ସହର ବା ଅଞ୍ଚଳରେ କେତେ ସଂଖ୍ୟକ ଲୋକ ଭୂତାଣୁରେ ସଂକ୍ରମିତ ହେଉଛନ୍ତି, କେତେ ପରୀକ୍ଷା ଓ ମୃତ୍ୟୁକୁ ହିସାବକୁ ନେଇ ‘ଆର’ ଭ୍ୟାଲୁର ଗଣନା କରାଯାଇଥାଏ। ଯାହାଫଳରେ ଗୋଟିଏ ଭୂତାଣୁ କିଭଳି ସଂକ୍ରମିତ କରୁଛି ତାହା ସ୍ପଷ୍ଟ ହୋଇଥାଏ। ଯଦି ଆର୍‌-ଭାଲ୍ୟୁ ୧ ଉପରକୁ ଚାଲିଯାଏ ତାହାଲେ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିବାକୁ ଆରମ୍ଭ କରିଥାଏ। ଏହି ସଂଖ୍ୟା ଯଦି ୧ତଳଖୁ ଖସିଯାଏ ତା’ହେଲେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଖସିବାକୁ ଆରମ୍ଭ କରିଥାଏ।

ସମ୍ବନ୍ଧିତ ଖବର