ଦିନକୁଦିନ ବଲାଙ୍ଗୀରରେ ଗୁରୁତର ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ଶହଶହ ସଂକ୍ରମିତଙ୍କ ସଂଖ୍ୟା। ପ୍ରଥମ ଲହରରେ ଗାଁଗୁଡ଼ିକରେ କମ୍ ଥିଲା ସଂଖ୍ୟା। ଏଥର ଦ୍ୱିତୀୟ ଲହରରେ ଗୋଟାମୋଟା ଗାଁ କରୋନା ସଂକ୍ରମିତ। ସହରରେ ବି କମ୍ ନୁହେଁ। ପ୍ରତି ୱାର୍ଡରେ କରୋନା ରୋଗୀ। ଗାଁଠୁ ସହର ସବୁଠି ବଢୁଛି ସଂକ୍ରମଣ। ପୂରା ଜିଲ୍ଲାରେ ଏବେ ଡରାଉଛି କରୋନା।
ଜଟିଳ ହେଉଛି ପରିସ୍ଥିତି
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଭୟଙ୍କର ହେଉଛି କରୋନାର ସ୍ଥିତି। କରୋନାର ଭୟଙ୍କର ରୂପ ଯିଏ ଭୋଗୁଛି ସିଏ ହିଁ ଜାଣୁଛି। ଧୀରେ ଧୀରେ କରୋନାକୁ ନେଇ ଚାରିଆଡ଼େ ଆତଙ୍କ ଖେଳିଲାଣି। ସଂକ୍ରମଣ ହୁ ହୁ ହୋଇ ବଢୁଛି। ରୋଗୀ ଗୁରୁତର ହେଉଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ନାହିଁ। ଫଳରେ ମୃତକଙ୍କ ସଂଖ୍ୟା ବି ବଢୁଛି।
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଏବେ ଏକମାତ୍ର ଭରସା। ଦୁଇଟି ଆଇସୋଲେସନ ୱାର୍ଡ ସହ ଆଇସିୟୁ ବ୍ୟବସ୍ଥା ଅଛି। କିନ୍ତୁ ସବୁ ସମୟରେ ଆଇସିୟୁ ଓ ସାଧାରଣ ଶଯ୍ୟା ପୂର୍ଣ୍ଣ ହୋଇରହୁଛି। କାରଣ ଅନେକ ଗୁରୁତର ରୋଗୀ ଆଇସିୟୁରେ ଚିକିତ୍ସିତ ହେବାକୁ ନମ୍ବରରେ ରହୁଛନ୍ତି। ଆଉ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସା କହିଲେ ଅକ୍ସିଜେନ ଟିକିଏ ମିଳିପାରୁଛି। ଆଇସୋଲେସନ ୱାର୍ଡରେ ରୋଗୀଙ୍କ ପାଇଁ ଶଯ୍ୟା ଯେତିକି ରହୁଛି, ତାହାଠୁ ଅଧିକ ଗୁରୁତର ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆଉ ଗୁରୁତର ହେଲେ ବୁର୍ଲା ନହେଲେ ଭୁବନେଶ୍ୱର ଉପରେ ଲୋକଙ୍କ ଭରସା। ଥିଲାବାଲା ସବୁ ଭୁବନେଶ୍ୱରମୁହାଁ ହେଉଛନ୍ତି। ଅନ୍ୟପଟେ ଗରିବ ଲୋକ ଏଠି ପଡ଼ି ଛଟପଟ ହେଉଛି। ବେଶିରୁ ବେଶି ବୁର୍ଲାକୁ ଯାଇ ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟହ ହସପିଟାଲରେ ପରୀକ୍ଷା ପାଇଁ ଲୋକଙ୍କ ଲମ୍ବା ଲାଇନ। ଧାଡ଼ିରେ ଛିଡ଼ା ହୋଇ ଲୋକେ ଆଣ୍ଟିଜେନ ଟେଷ୍ଟ କରାଉଛନ୍ତି। କିଛି ଘରୋଇ କ୍ଲିନିକ୍ରେ ବର୍ତ୍ତମାନ ଆରମ୍ଭ ହୋଇଛି ପରୀକ୍ଷା। ହସପିଟାଲରେ ହିଁ ଭିଡ଼ ଏତିକି ରହୁଛି ସାମାଜିକ ଦୂରତା ରକ୍ଷା କରାଯାଇପାରୁନି। ଔଷଧ ନେବା ପାଇଁ ରୋଗୀ ଗଲେ ଧାଡ଼ି ବାନ୍ଧିଲେ ବି ସାମାଜିକ ଦୂରତା କିଛି ନାହିଁ।
ପ୍ରଶାସନ ଦେଇଥିବା ଆଜିର ତାଲିକା ଅନୁସାରେ, ନୂଆକରି ୨୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର, ପାଟଣାଗଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼ ସହରର ବିଭିନ୍ନ ୱାର୍ଡରେ ପୁଣି ନୂଆ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଗାଁଗୁଡ଼ିକରେ ବି ଏଥର ସଂଖ୍ୟା ବଢ଼ିଚାଲିଛି। ବିଭିନ୍ନ ବ୍ଲକ୍ ଅଂଚଳର କିଛି ନିର୍ଦ୍ଦିଷ୍ଟ ଗାଁରେ ଅନେକ ଲୋକଙ୍କର ପଜିଟିଭ ଚିହ୍ନଟ ହେଉଛି। ୧୪ଟି ବ୍ଲକ୍ ଅଂଚଳରୁ ଲୋଇସିଂହା, ବଲାଙ୍ଗୀର ସଦର, ବେଲପଡ଼ା, ସଇନ୍ତଳା ବ୍ଲକ୍ର କିଛି ଗାଁରେ କରୋନା ବୋଲ ମାନୁନି। ଗୋଟିଏ ଗୋଟିଏ ଗାଁରେ ଜଣେ କି ଦୁଇଜଣ ନୁହଁ, ବରଂ କେଉଁଠି ୩୦ ପଜିଟିଭ ବାହାରୁଛନ୍ତି ତ ଆଉ କେଉଁଠି ୫୦ରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏଭଳି ଭାବରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି। ଗତ ୧୦ ଦିନ ଭିତରେ ଏମିତି ମାତ୍ରାରେ ସଂଖ୍ୟା ବଢ଼ିଲାଣି ଜିଲ୍ଲା ଯେ ପ୍ରଶାସନ ଚିନ୍ତାରେ ପଡ଼ିଲାଣି। ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ଡାକ୍ତରମାନେ କହୁଛନ୍ତି। ଜନସଚେତନତା ସହ ନିଜେ ନିଜେ ସମସ୍ତେ ସତର୍କତା ଅବଲମ୍ବନ ନକଲେ ସ୍ଥିତି ସଂଗିନ ଆଡ଼କୁ ଗତି କରିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରୁଛନ୍ତି। ପୂରା ଜିଲ୍ଲାରେ ବର୍ତ୍ତମାନ ୧୩୧୨ ସକ୍ରିୟ ସଂକ୍ରମିତ ଥିବା ବେଳେ ପ୍ରତ୍ୟହ ସଂଖ୍ୟା ହୁହୁ ହୋଇ ବଢ଼ିଥିବାରୁ ଭୟର ବାତାବରଣ ସୃଷ୍ଟି ହେଲାଣି।
କରୋନା ଆଁରେ ଗାଁ
ବଲାଙ୍ଗୀର ଜିଲ୍ଲାର ଅନେକ ଗାଁକୁ କରୋନା କବଳିତ କରିଛି। ଗୋଟାମୋଟି ଗାଁର ଅନେକ ପୁରୁଷ ମହିଳା ପଜିଟିଭ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏବେ ବିଭିନ୍ନ ଗାଁକୁ ଯାଇ କରୋନା ଲକ୍ଷଣ ଥିବା ଲୋକଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରୁଛି। କିନ୍ତୁ ଗୋଟିଏ ଗୋଟିଏ ଗାଁରେ ଏମିତି ପଜିଟିଭ ବାହାରୁଛନ୍ତି, ତାହା ଏବେ ରୋକିବା ଚିନ୍ତାର ବିଷୟ ହୋଇଛି। ବଲାଙ୍ଗୀର ସଦର ବ୍ଲକ୍ ବୈଦିପାଲି ଗାଁର ଏବେ ୭୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ। ପ୍ରଶାସନ ଦେଇଥିବା ତଥ୍ୟରୁ ଜଣାଯାଏ ଯେ ପ୍ରଥମ କରି ୧୯ ତାରିଖ ଦିନ ବୈଦିପାଲିରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ତା’ ପରଦିନ ଅର୍ଥାତ ୨୦ ତାରିଖ ୪୯ ଜଣ ଉକ୍ତ ଗାଁର ପଜିଟିଭ ବାହାରିଥିବା ପ୍ରଶାସନ ସୂଚନା ଦେଇଥିଲା। ଆଉ ବୁଧବାର ପୁଣି ସେହି ଗାଁର ୨୦ ଜଣ ପଜିଟିଭ ବାହାରିଥିବା ସୂଚନା ଦେଇଛି ପ୍ରଶାସନ। ମୋଟ ଗୋଟିଏ ଗାଁର ୭୦ ଜଣ ଏବେ ପଜିଟିଭ। ଠିକ ସେହିପରି ଲୋଇସିଂହା ବ୍ଲକ୍ ରେଙ୍ଗାଲି, ସଇନ୍ତଳା ବ୍ଲକ୍ ଭଦ୍ରା, ସିସକେଲା ଓ ପୁଇନ୍ତଳା ବ୍ଲକ୍ ଛତାପିପଲ ଭଳି କିଛି ଗାଁରେ ଏବେ ଅନେକ କରୋନା ପଜିଟିଭ ଚିହ୍ନଟ ହେଲେଣି। ସେହିପରି ଉପାନ୍ତ ଅଂଚଳର କିଛି ଗାଁରେ ଘରେ ଘରେ ଲୋକଙ୍କୁ ଜ୍ୱର ହେଉଥିଲେ ବି ସେଠି ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିପାରିନି।
ସହରର ସବୁ ୱାର୍ଡକୁ ପଶିଲାଣି
ବଲାଙ୍ଗୀର ସହରରେ ବି କରୋନା ଆତଙ୍କ। ସହରର ୨୧ଟି ୱାର୍ଡ ଅଂଚଳକୁ ଏବେ କରୋନା ପଶିଲାଣି। ପ୍ରାୟ ସବୁ ୱାର୍ଡରେ ଏବେ କରୋନା ଆକ୍ଟିଭ କେସ୍। କିଛି ୱାର୍ଡରେ ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ବଲାଙ୍ଗୀର ପୌରାଞ୍ଚଳ ୱାର୍ଡ ନଂ-୨ରେ ପ୍ରଥମେ ଜଣେ ଦୁଇଜଣଙ୍କ ପଜିଟିଭ ବାହାରିଥିଲା। ୨୦ ତାରିଖ ୧୨ ଜଣଙ୍କ ପଜିଟିଭ ବାହାରିଥିବା ପ୍ରଶାସନ ସୂଚନା ଦେଇଥିଲା। ଆଜି ସେହି ୱାର୍ଡର ପଜିଟିଭ ସଂଖ୍ୟା ଦେଖିଲା ବେଳକୁ ପୁଣି ୧୦ ନୂଆ କେସ୍ ଚିହ୍ନଟ ହୋଇଛନ୍ତି। ସେହିପରି ୱାର୍ଡ ନଂ-୧୧ରେ ଗତ ତିନି ଚାରି ଦିନ ଭିତରେ ପାଖାପାଖି ୨୦ ଜଣ ପଜିଟିଭ ଚିହ୍ନଟ ହେଲେଣି। ପାଟଣାଗଡ଼ ସହରର ଅବସ୍ଥା ବହୁତ ଖରାପ। ସବୁ ପଡ଼ାରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହେଉଛନ୍ତି। ଜନଅସନ୍ତୋଷ ବି ପାଟଣାଗଡ଼ରେ ବଢ଼ିଲାଣି। କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ସହରରେ ବି ପଜିଟିଭ ସଂଖ୍ୟା ପ୍ରତ୍ୟହ ବଢ଼ି ବଢ଼ି ଚାଲିଛି।
ପରୀକ୍ଷା ପାଇଁ ଭିଡ଼, ସାମାଜିକ ଦୂରତା ପ୍ରହସନ
ବଲାଙ୍ଗୀର ସହରରେ ମାସ୍କ ପିନ୍ଧିବା ସମସ୍ତେ ମାନିଗଲେଣି। ଅଥଚ ସାମାଜିକ ଦୂରତାକୁ ସଭିଏଁ ଭୁଲିଯାଉଛନ୍ତି। ଯେଉଁଠିକୁ ଗଲେ ଗଦାଗଦା ଲୋକ। ଦୋକାନବଜାର ହେଉ କି ମଲ୍ ହେଉ, କୌଣସି ସ୍ଥାନରେ ସାମାଜିକ ଦୂରତା ଲୋକମାନେ ରକ୍ଷା କରୁ ନାହାନ୍ତି। ଦୋକାନ ବଜାରଗୁଡ଼ିକ କେବେ କେମିତି ପୁଲିସ ଫାଇନ କରିବା ସହ ସିଲ୍ କରୁଛି। କିନ୍ତୁ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଭୁଲି ଯାଉଛି। ଏବେ ସବୁଠୁ ଅଧିକ ଭିଡ଼ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା। ଜ୍ୱରରେ ପୀଡ଼ିତା ହୋଇଥିବା ଲୋକମାନେ କରୋନା ପରୀକ୍ଷା କରିବାକୁ ଚାଲିଆସୁଛନ୍ତି। ଶହ ଶହ ସଂଖ୍ୟାରେ ପୁରୁଷ ମହିଳା ଭିଡ଼ କରୁଛନ୍ତି। ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ସତ, କିନ୍ତୁ ସାମାଜିକ ଦୂରତା କେହି ରକ୍ଷା କରୁ ନାହାନ୍ତି। କରୋନା ପରୀକ୍ଷା ଯେଉଁଠି ହସପିଟାଲରେ କରାଯାଉଛି ତାହାର ଠିକ୍ ନିକଟରେ ପୁଲିସ ଆଉଟପୋଷ୍ଟ କରାଯାଇଛି। କେତେଜଣ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ବି ସାମାଜିକ ଦୂରତାରେ ରହିବାକୁ କାହାକୁ କିଛି କହୁ ନାହାନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ବାଇକ୍ ଠିକ୍ରେ ରଖିବାକୁ ଯେତିକି ପରିମାଣର ଲୋକଙ୍କୁ କହୁଛନ୍ତି ଲୋକେ କେମିତି ସାମାଜିକ ଦୂରତା ରକ୍ଷା କରି ନିଜେ ନିଜର ପରୀକ୍ଷା କରିବେ ତାହା ସେ କହୁ ନାହାନ୍ତି। ନିରାମୟ ଔଷଧ କାଉଣ୍ଟରରେ ବି ପ୍ରବଳ ଭିଡ଼ ଲାଗି ରହୁଛି।
/sambad/media/post_attachments/wp-content/uploads/2019/12/doctor-ndtv.jpg)
ଡାକ୍ତର ଦେବା ସମୟରେ ନେବାକୁ ପ୍ରୟାସ!
କୋଭିଡ଼ ସମୟରେ ସରକାରଙ୍କ ଅଜବ ନୀତି। ଏଠି ବଲାଙ୍ଗୀର ଜିଲ୍ଲାରେ ଶତାଧିକ ଡାକ୍ତର ପଦବି ଖାଲି ପଡ଼ିଛି। ଏଠାରୁ କିନ୍ତୁ ପୁଣି ଡାକ୍ତର ଅନ୍ୟ ଜିଲ୍ଲାକୁ ନେବାକୁ ପ୍ରୟାସ ଚାଲିଛି। ବର୍ତ୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଦରକାର ମୁତାବକ ଅନେକ ବିଶେଷଜ୍ଞ ପଦବି ଖାଲି। ପିଏଚ୍ସି, ସିଏଚ୍ସି ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଯାଏ ସବୁଠି ଡାକ୍ତର ଅଭାବ। ଆଉ ପାରା ମେଡିକାଲ ଷ୍ଟାଫ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ହେବା ଦିନରୁ ଆଜି ଯାଏ ନିଯୁକ୍ତି ହୋଇନାହିଁ। ପୂରା ଜିଲ୍ଲାରେ ୧୦୦ରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ହେଲେ ଏହାରି ଭିତରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରୁ ତିନିଜଣ ଡାକ୍ତରଙ୍କୁ ରିଲିଭ୍ କରିବାକୁ ନିର୍ଦେଶ ଆସିଛି। ହସପିଟାଲ ଅଧୀକ୍ଷକ ଅବସ୍ଥା ଦେଖି କାହାରିକୁ ରିଲିଭ୍ କରାଯାଇନି ବୋଲି କହିଥିଲେ ହେଁ ସରକାରଙ୍କ ଏଭଳି ନିର୍ଦେଶକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ପ୍ରତ୍ୟହ ଶହଶହ ସଂଖ୍ୟାରେ ପଜିଟିଭ କେସ୍ ସାମ୍ନାକୁ ଆସୁଛି। ଏଠି ନୂଆ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଇ ଚିକିତ୍ସା ବ୍ୟବସ୍ଥା କରିବା ବଦଳରେ ଏଠାରୁ ଡାକ୍ତର ନେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଲାଣି।