ରାଜ୍ୟର କରୋନା ସ୍ଥିତି ନେଇ ଡିଏମଇଟିଙ୍କ ସୂଚନା: ମେ ୨ୟ ସପ୍ତାହରେ ସଂକ୍ରମଣ ହ୍ରାସ ପାଇବ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ହୁ ହୁ ହୋଇ ବଢ଼ୁଥିବା ବେଳେ ମେ ୨ୟ ସପ୍ତାହରେ ସଂକ୍ରମଣ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବା କହିବା ସହ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଅକ୍ଟୋବର ୨୫ରେ କୋଲକାତାରେ ଚିହ୍ନଟ ହୋଇଥିଲା ବୋଲି ଡିଏମଇଟି ଡା.ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ତାଙ୍କ କହିବା ମୁତାବକ, ସ୍ବଳ୍ପ ଲକ୍ଷଣ ଥିବା କରୋନା ରୋଗୀ ଭୟଭୀତ ହୋଇ ବେଶି ସଂଖ୍ୟାରେ ମେଡ଼ିକାଲକୁ ଆସୁଛନ୍ତି ଏବଂ ଆଇସିୟୁ କଥା କହୁଛନ୍ତି। ସେମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଭୟଭୀତ ହୁଅନ୍ତୁ ନାହିଁ। ଗୁରୁତର ନ ଥିଲେ ଡାକ୍ତରଖାନାରେ ଭର୍ତ୍ତି ନହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ନିଜର ଚିକିତ୍ସା କରାନ୍ତୁ। କାରଣ ବର୍ତ୍ତମାନ ଆମେ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇବୁ। ଏହାଦ୍ବାରା ସେମାନଙ୍କର ଜୀବନ ବଞ୍ଚିପାରିବ।

ଓଡ଼ିଶା ଏବେ ଅନ୍ୟ ରାଜ୍ୟକୁ ଅମ୍ଲଜାନ ଯୋଗାଉଥିବା ବେଳେ ଓଡ଼ିଶାରେ ଅମ୍ଲଜାନର ଅଭାବ ନାହିଁ ତ? ବୋଲି ପ୍ରଶ୍ନ ଉଠୁଥିବା ବେଳେ ଡିଏମଇଟି ଡା.ମହାନ୍ତି କହିଛନ୍ତି ଯେ, ଓଡ଼ିଶାରେ ଅମ୍ଳଜାନ ଅଭାବ ନାହିଁ, ଅଧିକ ଅଛି ବୋଲି ଆମେ ବାହାର ରାଜ୍ୟକୁ ଯୋଗାଉଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ୨୫୦ଟନ ଅମ୍ଳଜାନ ପଠାଯାଇଛି। ତେବେ ରାଜ୍ୟରେ ଏବେ ପର୍ଯ୍ୟନ୍ତ ଶଯ୍ୟାର ଅଭାବ ନାହିଁ। ଆହୁରି ଶଯ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର