ଓଡ଼ିଶାରେ କରୋନା ସ୍ଥିତି ବିଗିଡ଼ି ଗଲାଣି: ସୁରେଶ ପୂଜାରୀ

ଅଭିଯୋଗ ମିଥ୍ୟା, ଓଡ଼ିଶା ଏବେ ରୋଲ୍‌ ମଡେଲ୍‌ : ବିିଜେଡି

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ସଂସଦରେ ବିଷୋଦଗାର କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ରାଜ୍ୟ ସରକାର କୋଭିଡ୍‌ ପରିଚାଳନାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିବା ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଅପର ପକ୍ଷରେ ଶ୍ରୀ ପୂଜାରୀଙ୍କ ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ଓଡ଼ିଶା କୋଭିଡ୍‌ ପରିଚାଳନାରେ ରୋଲ୍‌ ମଡେଲ୍‌ ବୋଲି ଦର୍ଶାଇଛି।

ଶ୍ରୀ ପୂଜାରୀ କହିଛନ୍ତି ଯେ ଓଡ଼ିଶାର ସ୍ବାସ୍ଥ୍ୟ ଠିକ୍ ନୀହିଁ। କୋଭିଡ୍‌ ସ୍ଥିତି ବିଗିଡ଼ି ଗଲାଣି। ଉପଯୁକ୍ତ ଚିକିତ୍ସା ଅଭାବରୁ କୋଭିଡ୍‌ ମୃତ୍ୟୁ ବଢ଼ିଚାଲିଛି। ଜଣେ ରୋଗୀ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହେଲା ପରେ ସେଠାରେ କିପରି ଚିକିତ୍ସା କରାଯାଉଛି ଓ ରୋଗୀର ସ୍ବାସ୍ଥ୍ୟ କିପରି ରହୁଛି, ତାହା ସମ୍ପର୍କୀୟମାନେ ଜାଣି ପାରୁ ନାହାନ୍ତି। ହସ୍ପିଟାଲ୍‌ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନାହିଁ। ସବୁ କୋଭିଡ୍‌ ହସ୍ପିଟାଲ୍‌ରେ ସିସିଟିଭି ଲଗାଗଲେ ରୋଗୀଙ୍କ ସମ୍ପର୍କୀୟମାନେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ସମ୍ପର୍କରେ ପରଦାରେ ଦେଖିପାରନ୍ତେ। ଆହୁରି ଚିନ୍ତାଜନକ ବିଷୟ ହେଲା, ଏକ ସର୍ଭେ ରିପୋର୍ଟ‌ରେ କୁହାଯାଇଛି ଯେ ଜାନୁଆରି ମାସ ଶେଷ ସପ୍ତାହ ସୁଦ୍ଧା ଓଡ଼ିଶାରେ ୧୧ ହଜାରରୁ ଅଧିକ ଲୋକ କରୋନାରେ ମୃତ୍ୟୁବରଣ କରିବେ।

ଓଡ଼ିଶାରେ କୋଭିଡ୍‌ ଟେଷ୍ଟିଂ, ଟ୍ରେସିଂ ଓ ଚିକିତ୍ସାରେ ଠିକ୍ ଭାବେ ଚାଲି ନାହିଁ। ତେଣୁ ଓଡ଼ିଶା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କିଛି ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଦିଲ୍ଲୀରେ ଯେପରି କେନ୍ଦ୍ର ସରକାର ନିଜେ ଦାୟିତ୍ବ ନେଇ କାମ କଲେ, ଓଡ଼ିଶାରେ ମଧ୍ୟ ସେମିତି କରିବାକୁ ଶ୍ରୀ ପୂଜାରୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ଶ୍ରୀ ପୂଜାରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ହାର କମ୍ ଓ ସୁସ୍ଥ ହାର ଅଧିକ ରହିଛି। ଏଥି ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଛି ଉପଯୁକ୍ତ ଚିକିତ୍ସା ଓ ଠିକ୍ କୋଭିଡ୍‌ କେୟାର ପାଇଁ କୋଭିଡ୍‌ ପରିଚାଳନାରେ ଓଡ଼ିଶା ରୋଲ୍‌ ମଡେଲ୍‌ ହୋଇପାରିଛି। ଶ୍ରୀ ପୂଜାରୀ ଏ ସମ୍ପର୍କରେ ଅବଗତ ନାହାନ୍ତି। ମିଥ୍ୟା ଅଭିଯୋଗ ଆଣି କୋଭିଡ୍‌ ପରି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ରାଜନୀତିକରଣ ନ କରିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର