ଜିଲ୍ଲାରେ କରୋନା ସ୍ଥିତି ଅସମ୍ଭାଳ, ୮୦ ଆଇସିୟୁ ବେଡ୍‌ରେ ୧୨୦ କରୋନା ରୋଗୀ

ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଖୋଲିବ ୪୭ ବେଡ୍‌ ଆଇସିୟୁ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ଉପର ମୁହାଁ। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୭୨୨। ମୃତ୍ୟୁବରଣ କରିଥିଲେ ୮। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୨୩, ମୃତ୍ୟୁବରଣ କରିଛନ୍ତି ୮ ଜଣ। ପଶ୍ଚିମ ଓଡ଼ିଶାର ସଂକ୍ରମଣରେ ଆଗରେ ରହିଥିବା ସୁନ୍ଦରଗଡ ଜିଲ୍ଲାରେ କରୋନା ମୁକାବିଲା ଜିଲ୍ଲା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଛି। ବେଡ୍‌ ଅଭାବରୁ କରୋନା ଆକ୍ରାନ୍ତ ରୋଗୀ ଘରେ ଆଇସୋଲେସନ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ‌ଗୋଟିଏ ପରେ ଗୋଟିଏ ଘରୋଇ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲରେ ପରିଣତ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବେଦବ୍ୟାସ ଦଣ୍ଡିଆପାଲିରେ ଜୟ ପ୍ରକାଶ ହସ୍ପିଟାଲ, ଉଦିତନଗର ଶାନ୍ତି ମେମୋରିଆଲ ହସ୍ପିଟାଲ, ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ସହ ନିକଟରେ ଲୋକାର୍ପିତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲ କରାଯାଇଛି। ବର୍ତ୍ତମାନ ସ୍ଥିତି ହସ୍ପିଟାଲ ଶାନ୍ତି ମେମୋରିଆଲ, ହାଇଟେକ୍‌ ଓ ଜୟପ୍ରକାଶ ‌ବେଡ୍‌ରେ ରୋଗୀ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ୮୦ ଶଯ୍ୟା ବିଶିଷ୍ଟ ଆଇସିୟୁରେ ୧୨୦ କରୋନା ଆକ୍ରାନ୍ତ ରୋଗୀ ଭର୍ତ୍ତି ହୋଇଛନ୍ତି।

-ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟବିଭାଗର ପ୍ରମୁଖ ସଚିବ
–ଦିନରେ ଆକ୍ରାନ୍ତ ୬୨୩, ମୃତ ୮

ସୁନ୍ଦରଗଡ ଏନ୍‌ଟିପିସି ‌କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ରହିଥିବା ୧୦୦ ସାଧାରଣ ବେଡ୍‌ ଗୋଟିଏ ବି ବେଡ୍‌ ଖାଲି ନାହିଁ। ଶାନ୍ତି ମେମୋରିଆଲ ହସ୍ପିଟାଲ ୧୦୫ ସାଧାରଣ ଓ୨୦ଟି ଆଇସିୟୁ ବେଡ୍‌ ରହିଛି। ୧୦୫ ସାଧାରଣ ବେଡ୍‌ରେ ୧୧୬ରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ୨୦ ଆଇସିୟୁରୁ ୧୦ରୋଗୀ ଆଇସିୟୁ ଓ ୮ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ସେମିତି ଜୟ ପ୍ରକାଶ ହସ୍ପିଟାଲରେ ୧୨୦ ସାଧାରଣ ଓ ୮୦ ଆଇସିୟୁ ବେଡ୍‌ ରହିଛି। ୧୧୯ ଜଣ ଆଇସିୟୁ, ୨୪ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ ୨୦୦ ବେଡ୍‌ରୁ ୧୨୫ ସାଧାରଣ ଓ ୨୫ଟି ଆଇସିୟୁ ବେଡ୍‌ ରହିଛି। ଏଠି ମଧ୍ୟ ଅର୍ଦ୍ଧାଧିକ ବେଡ୍‌ରେ ରୋଗୀ ଭର୍ତ୍ତି ହୋଇଛନ୍ତି। ସ୍ଥିତିର ମୁକାବିଲା ପାଇଁ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଡାକ୍ତର ଅଜିତ କୁମାର ମହାନ୍ତି ରାଉରକେଲା ତିନିଟି କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏଥିସହ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ କୋଭିଡ୍‌ ହସ୍ପିଟାଲର ଆନୁଷଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡା ସମେତ ବରି‌‌‌ଷ୍ଠ ଡାକ୍ତରଙ୍କ ସହ କୋଭିଡ୍ ପରିଚାଳନା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ଆଗାମି ୩ରୁ ୪ ଦିନ ମଧ୍ୟରେ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ୪୭ ବେଡ୍‌ର ଆଇସିୟୁ ଖୋଲା ଯିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେପଟେ ବିପିୟୁଟି ପାର୍ଶ୍ବରେ ଥିବା ଆକାଂକ୍ଷା -୧, ଆକାଂକ୍ଷା-୨ ହଷ୍ଟେଲ, ଛେଣ୍ଡ ବାଗବୁଡି ବସ୍ତି ସ୍ଥିତ ଛାତ୍ରୀ ନିବାସରେ ଯଥାକ୍ରମେ ୨୦୦, ୨୦୦ ଓ ୧୦୦ ଏମିତି ୫୦୦ ବେଡ୍‌ର କୋଭିଡ୍‌ କେୟାର ସେଣ୍ଟର (ସିସିସି) ଖୋଲିବାକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ଛେଣ୍ଡସ୍ଥିତ ବାଗବୁଡି ବସ୍ତିରେ ୧୦୦ ବେଡ୍‌ର ସିସିସିର ପ୍ରସ୍ତୁତ ରହିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ଅଭାବରୁ ଏହି ୧୦୦ ବେଡ୍‌ର ସିସିସି ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଆକାଂକ୍ଷା-୧ ଓ ଆକାଂକ୍ଷା-୨ରେ ୪୦୦ ‌ବେଡ୍‌ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ୫୦୦ ବେଡ୍‌ ସିସିସି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଘରେ ରହୁଥିବା କୋଭିଡ୍‌ ରୋଗୀଙ୍କ ମଧ୍ୟରୁ କିଛି ରୋଗୀ ସିସିସି ଦ୍ବାରା ଉପକୃତ ହୋଇପାରନ୍ତେ। ଅନ୍ୟପଟେ ଗତକାଲିରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଛି। ଜିଲ୍ଲା ପୁଲିସ ପକ୍ଷରୁ ଗଠିତ ୩୦ଟି ଏନ୍‌ଫୋର୍ସମେଣ୍ଟ, ଆର୍‌ଏମ୍‌ସିର ୫ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହରର ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛନ୍ତି। ଗତକାଲି ରାତିରେ ପୁଲିସ ମାସ୍କ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ସମ୍ବନ୍ଧିତ ଖବର