ସୁରତରେ କାୟା ମେଲୁଛି କରୋନା, ପୁଣି ପ୍ରବାସୀ ଓଡ଼ିଆ ଘରମୁହାଁ ହେବେ କି ? ଗଞ୍ଜାମ ପ୍ରତି ବଢ଼ିବ କି ବିପଦ?

ଭୁବନେଶ୍ବର: କରୋନାର ବିଭୀଷିକା ସେତେବେଳେ ଉଗ୍ରରୂପ ନେଇଥିଲା ଯେତେବେଳେ ପ୍ରବାସୀ ଓଡ଼ିଆମାନେ ସୁରତରୁ ଓଡ଼ିଶା ମୁହାଁ ହୋଇଥିଲେ । ଗତବର୍ଷ କରୋନା ସଂକ୍ରମଣ ବଢିବା ସମୟରେ ପ୍ରାୟ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ ଫେରିଥିବା ବେଳେ ୭୦ ପ୍ରତିଶତ ସୁରତରୁ ଗଞ୍ଜାମକୁ ଫେରିଥିଲେ । ଆଉ ଏବେ ଗୁଜରାଟରେ ଗୋଟିଏ ଦିନରେ ୮୦୦ରୁ ଅଧିକ ସଂକ୍ରମିତ ହେବା ଏବଂ ଗୁଜୁରାଟରେ ସଂକ୍ରମଣ ହାରରେ ସୁରଟ୍ ଏକ ନମ୍ବର ସ୍ଥାନରେ ରହିବା, ପ୍ରବାସୀ ଓଡ଼ିଆଙ୍କୁ ପୁଣି ଥରେ ଘରମୁହାଁ କରିବା ଆଶଙ୍କା ଦେଖାଦେଇଛି। ପୁଣିଥରେ ସୁରଟରୁ ଓଡ଼ିଶା ଫେରିବା ପାଇଁ ଯୋଜନା କଲେଣି ପ୍ରବାସୀ, ଯାହାକି ନିଶ୍ଚିତ ଭାବେ ଚିନ୍ତାର ବିଷୟ। କାରଣ ଗତବର୍ଷ ଗଞ୍ଜାମରେ ସଂକ୍ରମଣ ବଢିବା ପଛରେ ମୁଖ୍ୟ କାରଣ ଥିଲା ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆ। ବର୍ତ୍ତମାନ ପ୍ରାୟ ୬ ଲକ୍ଷ ଓଡ଼ିଆ ସୁରତରେ ଅଛନ୍ତି ଓ ଏହାର ସିଂହଭାଗ ଗଞ୍ଜାମ ଜିଲ୍ଲାର ମୂଳ ଅଧିବାସୀ ବୋଲି ସୂଚନା ରହିଛି।

କେବଳ ଗୁଜରାଟ କଥା ଯଦି ଦେଖିବା ତେବେ ସେଠାରେ ସୋମବାର ୮୯୦ଟି ନୂଆ ସକ୍ରିୟ ମାମଲା ଆସିବା ପରେ ମୋଟ ସଂକ୍ରମଣ ସଂଖ୍ୟା ପହଞ୍ଚିଛି ୨ଲକ୍ଷ୭୯ହଜାର୯୭ରେ । ଆଉ ସବୁଠୁ ଅଧିକ ସଂକ୍ରମିତ ହୋଇଛନ୍ତି ସୁରଟରେ । ଗତ ୨୪ ଘଣ୍ଟା ମଧ୍ୟରେ ସୁରତରେ ୨୬୨ଜଣ, ଅହମ୍ମଦାବାଦରେ ୨୦୯, ବଡ଼ୋଦରାରେ ୯୭ ଏବଂ ରାଜକୋଟରେ ୯୫ଜଣ ସଂକ୍ରମିତ ହୋଇଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏହି ୪ଟି ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଅହମ୍ମଦାବାଦ, ସୁରତ,ବଡ଼ୋଦରାରେ ଏବଂ ରାଜକୋଟରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଏହା କାର୍ଯ୍ୟକାରୀ ହେବ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ।

ନଜର ପକାନ୍ତୁ ଆଜିର ଦିନରେ କରୋନା ସଂକ୍ରମଣକୁ ନେଇ ଭାରତର ସ୍ଥିତି ଉପରେ । ଗତ ୨୪ ଘଂଟା ମଧ୍ୟରେ ଭାରତରେ ୨୪ହଜାର ୪୯୨ଟି ନୂଆ ସଂକ୍ରମଣ ମାମଲା ଆସିଛି । ସେହିପରି ଗତ ୨୪ ଘଂଟା ମଧ୍ୟରେ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ ପରେ କର୍ଣ୍ଣାଟକ ଓ କେରଳରେ ଉପରମୁହାଁ ହୋଇଛି କରୋନା ମିଟର ।

ସମ୍ବନ୍ଧିତ ଖବର